Deccan Chronicle
ବିଦାୟୀ ବର୍ଷ କଙ୍ଗନା ରନୌତଙ୍କ ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ନ ଥିଲା। ନାନା ବିବାଦରେ ସେ ଫସିରହିଥିଲେ। ଏକାଧିକ ବଡ଼ ବଡ଼ ଅଭିନେତା ଓ ନିର୍ଦେଶକଙ୍କ ସହ ମୁହାଁମୁହିଁ, ତାଙ୍କୁ ବିଭିନ୍ନ ମହଲରେ ଅପ୍ରିୟ କରାଇଥିଲା। କ୍ରମାଗତ ଭାବେ ତାଙ୍କର ଫିଲ୍ମ ବ୍ୟବସାୟିକ ବିଫଳତା ଲାଭକରିଥିଲା। ତଥାପି ସେ ବୁଝାମଣା କରିବା ବଦଳରେ ଔଦ୍ଧତ୍ୟ ଦେଖାଇବା ଛାଡ଼ି ନ ଥିଲେ। ଅବଶ୍ୟ ବର୍ଷର ଶେଷ ଆଡ଼କୁ ଟିକିଏ ନରମିଥିଲେ। ତେବେ, ଚଳିତ ବର୍ଷ ଆସୁଆସୁ କଙ୍ଗନାଙ୍କ ପାଇଁ ସୁଯୋଗ ସୃଷ୍ଟି କରିଚାଲିଛି। କରଣ ଜୌହରଙ୍କ ସହ ତାଙ୍କ ବିବାଦର ଅନ୍ତ ହୋଇଛି। ତାଙ୍କୁ ପୁଣି ଥରେ ଗ୍ରହଣ କରିବାକୁ କରଣ ହୃଦୟର ସହ ପ୍ରସ୍ତୁତ।
ଖାଲି ଏତିକି ନୁହେଁ, ପେସାଦାର ଜୀବନରେ ପ୍ରଥମ ଥର ପାଇଁ ‘ବିଗ୍ ବି’ ଅମିତାଭ ବଚ୍ଚନଙ୍କ ସହ ଏକତ୍ର ଅଭିନୟ କରିବା ଲାଗି, ତାଙ୍କୁ ସୁଯୋଗ ମିଳିଛି। ଆର୍ ବଲକୀଙ୍କ ଆଗାମୀ ଫିଲ୍ମରେ ଦୁହେଁ କାମ କରିବେ। ଏହା ଅରୁଣିମା ସିହ୍ନାଙ୍କ ଜୀବନୀ ଉପରେ ଆଧାରିତ। ୨୦୧୧ରେ ଦୁର୍ବୃତ୍ତମାନେ ଅରୁଣିମାଙ୍କୁ ରେଳ ଭିତରୁ ଠେଲିଦେଇଥିଲେ। ପରିଣାମସ୍ୱରୂପ ଡାକ୍ତରମାନେ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ବାଧ୍ୟ ହୋଇଥିଲେ। ତେବେ, ପରିସ୍ଥିତି ଉପରେ ବିଜୟ ହାସଲ କରିଥିଲେ ଅରୁଣିମା। ଏଭ୍ରେଷ୍ଟ୍, କିଲମାଞ୍ଜେରୋ, ଏଲ୍ବ୍ରୁଜ୍ ଆଦି ଗିରିଶୃଙ୍ଗ ଚଢ଼ିବାରେ ସଫଳ ହୋଇଥିଲେ। ଆଉ ଏଥି ପାଇଁ ତାଙ୍କୁ ପ୍ରସ୍ତୁତ କରିଥିବା ମହାନ୍ ମଣିଷ ଭୂମିକାରେ ଅଭିନୟ କରିବା ନିମନ୍ତେ ରାଜିହୋଇଛନ୍ତି ଅମିତାଭ। ଦର୍ଶକେ, କଙ୍ଗନାଙ୍କୁ ଅରୁଣିମା ଭୂମିକାରେ ହିଁ ଦେଖିବେ।
Follow Us