ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। କିଛି କଳାକାର ଆର୍ଥିକ ସମସ୍ୟା ପାଇଁ ଓ କିଛି କଳାକାର ପ୍ରେମରେ ବିଫଳ ହୋଇ ଜୀବନ ହାରୁଥିବାର ଖବର ଆମେ ଆପଣଙ୍କୁ ଦେଇଛୁ। ଏବେ କନ୍ନଡ ଇଣ୍ଡଷ୍ଟ୍ରିର ଜଣେ ନିର୍ଦ୍ଦେଶକ ଜୀବନ ହାରିଥିବା ଜଣାପଡ଼ିଛି। ଶନିବାର ନିର୍ଦ୍ଦେଶକ ବିନୋଦ ଡୋଣ୍ଡାଲେଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା। ଶୋଇବା ଘର ପଙ୍ଖାରେ ରଶି ଲଗାଇ ସେ ଜୀବନ ହାରିଥିଲେ।
ପୁଲିସର କହିବା ମୁତାବକ, ବିନୋଦଙ୍କ ମୃତଦେହ ପରିବାର ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ଆମକୁ ଏକ ସୁଇସାଇଡ ନୋଟ ମିଳିଥିଲା। ସେଥିରେ ଲେଖାଥିଲା, 'ମୋର ମୃତ୍ୟୁ ପାଇଁ ମୁଁ ଦାୟୀ ଏବଂ ଆର୍ଥିକ ସମସ୍ୟା ହେତୁ ମୁଁ ଏହି ଚରମ ପଦକ୍ଷେପ ନେଉଛି।' ଏବେ ଆମେ ଏତଲା ରୁଜୁ କରି ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛୁ।
ତେବେ ବିନୋଦ 'ଅଶୋକା ବ୍ଲେଡ' ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଥିଲା। ଫିଲ୍ମର ୯୦ପ୍ରତିଶତ ସୁଟିଂ ଶେଷ ହୋଇଥିବା ବେଳେ ଆଗାମୀ ସପ୍ତାହରେ ଫିଲ୍ମର ଅନ୍ତିମ ପର୍ଯ୍ୟାୟ ସୁଟିଂ ହୋଇଥାନ୍ତା। ଏବେ ତାଙ୍କର ଦେହାନ୍ତ ହେବା ଖବର ସମସ୍ତଙ୍କୁ ଚକିତ କରିଛି। ତାଙ୍କର ମୃତ୍ୟୁ ଖବର ମିଳିବା ପରେ କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
Follow Us