ଦି ବକିଂହମ୍‌ ମର୍ଡର୍‌ସରେ କରୀନାଙ୍କ ସବୁଠୁ ଗମ୍ଭୀର ରୂପ

Advertisment

ଏହି ଚଳଚ୍ଚିତ୍ରରେ କରୀନାଙ୍କ ଚରିତ୍ର ଏହି ଘଟଣାଠାରୁ ଅଧିକ ବିଷାଦଜନକ ତଥା ହୃଦୟବିଦାରକ ପରିସ୍ଥିତିର ସାମ୍ନା କରୁଛି। ନିଜ ଛୋଟ ପୁଅକୁ ଏକ ଗୁଳିକାଣ୍ଡରେ ହରାଇବା ପରେ ଯଶପ୍ରୀତ ଲଣ୍ଡନ୍‌ ଛାଡ଼ି ଏକ ଛୋଟ ସହରକୁ ବଦଳି ହୋଇ ଯାଇଛନ୍ତି।

ଏହି ଚଳଚ୍ଚିତ୍ରରେ କରୀନାଙ୍କ ଚରିତ୍ର ଏହି ଘଟଣାଠାରୁ ଅଧିକ ବିଷାଦଜନକ ତଥା ହୃଦୟବିଦାରକ ପରିସ୍ଥିତିର ସାମ୍ନା କରୁଛି। ନିଜ ଛୋଟ ପୁଅକୁ ଏକ ଗୁଳିକାଣ୍ଡରେ ହରାଇବା ପରେ ଯଶପ୍ରୀତ ଲଣ୍ଡନ୍‌ ଛାଡ଼ି ଏକ ଛୋଟ ସହରକୁ ବଦଳି ହୋଇ ଯାଇଛନ୍ତି।

fhfshfsfstt

ଗତ ବୁଧବାର ଦିନ ଘନିଷ୍ଠ ବାନ୍ଧବୀ ମଲାଇକା ଅରୋଡ଼ାଙ୍କ ପିତା ଅନୀଲ ଅରୋଡ଼ା ଆତ୍ମହତ୍ୟାରେ ମୃତ୍ୟୁବରଣ କରିବା ଘଟଣା କରୀନା କପୁର ଖାଁଙ୍କୁ ଏକ ଦ୍ବନ୍ଦ୍ବରେ ପକାଇଥିବ- ନିଜର ପ୍ରଥମ ପ୍ରଯୋଜିତ ସିନେମାର ପ୍ରଚାର କରିବେ ନା ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ଦାରୁଣ ସମୟରେ ବାନ୍ଧବୀ ମଲାଇକାଙ୍କ ନିକଟରେ ରହିବେ? ‘ଦି ବକିଂହମ୍‌ ମର୍ଡର୍‌ସ’ ଚଳଚ୍ଚିତ୍ରରେ ତାଙ୍କ ଅଭିନୀତ ଯଶପ୍ରୀତ ଭମରା ଚରିତ୍ର ପରି ସେ ମାନବିକ ସହାନୁଭୂତିକୁ ଗୁରୁତ୍ବ ଦେଇ ପ୍ରଚାର କାର୍ଯ୍ୟକ୍ରମମାନ ବାତିଲ କରିଦେଇଥିଲେ। ଏହି ଚଳଚ୍ଚିତ୍ରରେ କରୀନାଙ୍କ ଚରିତ୍ର ଏହି ଘଟଣାଠାରୁ ଅଧିକ ବିଷାଦଜନକ ତଥା ହୃଦୟବିଦାରକ ପରିସ୍ଥିତିର ସାମ୍ନା କରୁଛି। ନିଜ ଛୋଟ ପୁଅକୁ ଏକ ଗୁଳିକାଣ୍ଡରେ ହରାଇବା ପରେ ଯଶପ୍ରୀତ ଲଣ୍ଡନ୍‌ ଛାଡ଼ି ଏକ ଛୋଟ ସହରକୁ ବଦଳି ହୋଇ ଯାଇଛନ୍ତି। ସେଠାରେ ନିଜ ପୁଅ ବୟସର ଏକ ବାଳକର ହତ୍ୟାକାଣ୍ଡ ତଦନ୍ତରେ ସାମିଲ ହେବା ପରେ ସେ କିପରି ବ୍ୟକ୍ତିଗତ ସଂଘର୍ଷ ଓ ପେସାଦାର କର୍ତ୍ତବ୍ୟ ମଧ୍ୟରେ ଭାରସାମ୍ୟ ରଖିବାକୁ ଚେଷ୍ଟା କରୁଛନ୍ତି ତାହା ହେଉଛି ଏହି କାହାଣୀର ସାର। କହିବା ବାହୁଲ୍ୟ, ଜଣେ ଅନୁସନ୍ଧାନକାରୀ ପୁଲିସ ଅଫିସର୍‌ ଭାବେ କରୀନାଙ୍କ ଅଭିନୟର ଅଭୂତପୂର୍ବ ଦିଗ ଏଥିରେ ଦେଖିବାକୁ ମିଳିଛି। ଏହି ସିନେମାର କାହାଣୀ ପ୍ରସିଦ୍ଧ ଇଂଲିସ୍‌ ଅଭିନେତ୍ରୀ କେଟ୍‌ ଵିନ୍‌ସଲେଟ୍‌ଙ୍କ ‘ମେର୍‌ ଅଫ୍‌ ଇଷ୍ଟଟାଉନ୍‌’ ଧାରାବାହିକ ଦ୍ବାରା ଅନୁପ୍ରାଣିତ ହୋଇଥିବାବେଳେ ଏଥିରେ କରୀନା ମଧ୍ୟ କେଟ୍‌ଙ୍କ ପରି ନିଜ ବୟସର ଛାପ ଓ ପ୍ରାଜ୍ଞତାକୁ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିପାରିଛନ୍ତି।

ଏହି ସିନେମାର ପ୍ରଥମ ବିସ୍ମୟକର ଦିଗ ହେଉଛି ବାସ୍ତବଧର୍ମୀ ଚଳଚ୍ଚିତ୍ର ନିର୍ଦେଶକ ହଂସଲ ମେହତା ଓ ମସାଲା ସିନେମାର ଗ୍ଲାମର୍‌ କୁଇନ୍‌ କରୀନା ଏକାଠି କାମ କରିବା। ପୁଣି ବିଦେଶ (ଇଂଲଣ୍ଡ୍‌)ରେ ଅଭିନୀତ ଏହି କାହାଣୀର ପ୍ରାୟ ୮୦% ସଂଳାପ ଇଂରେଜୀ ଭାଷାର ହୋଇଥିବାରୁ ଏହା ଦେଖିବା ନେଇ ଭାରତୀୟ ଦର୍ଶକଙ୍କ ମନରେ ସଂଶୟ ସୃଷ୍ଟି ହୋଇପାରେ। ତେବେ ଜଟିଳ କାହାଣୀ ଓ ବିଶ୍ବସନୀୟ ଅଭିନୟ ପସନ୍ଦ କରୁଥିବା ଦର୍ଶକଙ୍କୁ ଏହା କଦାପି ନିରାଶ କରିବ ନାହିଁ। କାରଣ ଏହି ସିନେମାରେ ଛୋଟରୁ ଛୋଟ ଚରିତ୍ରମାନଙ୍କୁ ମଧ୍ୟ ନିର୍ଦେଶକ ଅବହେଳା କରିନାହାନ୍ତି। ବିଦେଶର ସିନେମାଟୋଗ୍ରାଫର୍‌ ଏମ୍ମା ଡାଲ୍‌ସମ୍ୟାନ୍‌ଙ୍କ ଅଭିନବ ଚିତ୍ରୋତ୍ତୋଳନ ଏହାକୁ ଏକ ଅଣ-ବଲିଉଡ୍‌ ସିନେମାର ରୂପ ଦେଇଛି, କିନ୍ତୁ କାହାଣୀର ସଂକୀର୍ଣ୍ଣ ଅବସର ଯୋଗୁଁ ଏଥିରେ ମନୋରମ ଦୃଶ୍ୟ ନାହିଁ। ତେବେ ଏହାର ଅଭିବନ ପ୍ରଚ୍ଛଦ ସଂଗୀତ ମର୍ମସ୍ପର୍ଶୀ ହୋଇଛି। ଭାରତୀୟ ସିନେମାରେ ରହସ୍ୟ ଓ ଉତ୍କଣ୍ଠାର ଭାବ ଉଦ୍ରେକ ଲାଗି ସାଧାରଣତଃ ପାଶ୍ଚାତ୍ୟ ଧ୍ବନିର ଉପଯୋଗ କରାଯାଉଥିବା ବେଳେ ଏଥିରେ ତବଲା ପରି ଭାରତୀୟ ବାଦ୍ୟର ମିଶ୍ରଣ କରାଯାଇଛି, ଯାହାର ପୂର୍ଣ୍ଣ ପ୍ରଭାବ ପ୍ରେକ୍ଷାଳୟ ଛଡ଼ା ଅନ୍ୟ କେଉଁଠି ମିଳିବା ସମ୍ଭବ ନୁହେଁ।

ଏହି ସିନେମାର ଆଉ ଏକ ଭଲ ଦିଗ ହେଉଛି ଚରିତ୍ରମାନଙ୍କର ଭାଷାର ବିବିଧତା। ଇଂଲଣ୍ଡରେ ରହୁଥିବା ପ୍ରବାସୀ ମୁସଲମାନ ଓ ଶିଖ ଚରିତ୍ରମାନେ ହିନ୍ଦୀ ଓ ପଞ୍ଜାବୀ କହୁଥିବା ବେଳେ ପୁଲିସ ଅଧିକାରୀମାନେ ଇଂରେଜୀ ଭାଷାରେ କଥା ହୁଅନ୍ତି। ଆଉ ଯଶପ୍ରୀତ ଚରିତ୍ର ଆବଶ୍ୟକ ଅନୁଯାୟୀ ଇଂରେଜୀ ଓ ହିନ୍ଦୀ ଭାଷା ବ୍ୟବହାର କରିଛନ୍ତି। କେତେକ ମୁହୂର୍ତ୍ତରେ ମନେ ହୁଏ କାହାଣୀ ଦିଗହରା ହୋଇ ମୂଳ ଅନୁସନ୍ଧାନରୁ ବିଚ୍ୟୁତ ହୋଇଯାଉଛି। ହତ୍ୟାର ଶିକାର ଜଣେ ଶିଖ ବାଳକ ଓ ହତ୍ୟା ଅଭିଯୁକ୍ତ ଜଣେ ମୁସଲମାନ ପିଲା ହୋଇଥିବାରୁ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିର ଅବତାରଣା ତାହାର ଏକ ଉଦାହରଣ। କିନ୍ତୁ ଭଲ କଥା ହେଲା କାହାଣୀକାର କେତେକ ସାମାଜିକ ଅଲକ୍ଷଣ ଓ ଜଟିଳତାକୁ ସ୍ପର୍ଶ କରି ମୂଳ କାହାଣୀକୁ ଫେରିଆସିବାରେ ସଫଳ ହୋଇଛନ୍ତି। କେବଳ ଗୋଟିଏ ଦୃଶ୍ୟକୁ ଛାଡ଼ିଦେଲେ କରୀନାଙ୍କ ଅଭିନୟ ନିଖୁଣ ସ୍ତରର ବୋଲି କହିହେବ। ରାତି ସମୟର ସେହି ଦୃଶ୍ୟରେ କରୀନା ହତାଶଜର୍ଜର ଅବସ୍ଥାରେ ଘର ବାହାରକୁ ଯାଇ ଉଚ୍ଚ ଗଳାରେ ଚିତ୍କାର କରୁଛନ୍ତି। ହତ୍ୟା, ଡ୍ରଗ୍‌ସ ସେବନ, ଆତ୍ମହତ୍ୟା, ଅସଭ୍ୟ ଭାଷା, ସମଲିଙ୍ଗୀ ସମ୍ପର୍କ, ନଗ୍ନତା ଆଦିର ଉପସ୍ଥିତି କାରଣରୁ ଏହି ସିନେମାକୁ କେବଳ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ସାର୍ଟିଫିକେଟ୍‌ ମିଳିଛି। ‘ଦି ବକିଂହମ୍‌ ମର୍ଡର୍‌ସ’ ମାତ୍ର ୧ ଘଣ୍ଟା ୪୯ ମିନିଟ୍‌ରେ ସରିଯାଉଥିଲେ ହେଁ ପ୍ରେକ୍ଷାଳୟରୁ ବାହାରିବାର ଦୀର୍ଘ ସମୟ ପରେ ମଧ୍ୟ ଏହା ଦର୍ଶକ ମନକୁ ଆନ୍ଦୋଳିତ କରିବା ଜାରି ରଖିଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe