ମୁମ୍ବାଇ: ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ। ଦୁହେଁ ଏନେଇ ଇନଷ୍ଟାରେ ଏକ ପୋଷ୍ଟ କରି ଜଣାଇଛନ୍ତି। କିଛି ଦିନ ହେବ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଦୁହେଁ ଖବରକୁ ସ୍ପଷ୍ଟ କରିଛନ୍ତି। ଇନଷ୍ଟାରେ ଏକ ଫଟୋ ସେୟାର କରି ଉଭୟ ବିକି ଓ କଟ୍ରିନା ଲେଖିଛନ୍ତି ଯେ, 'ଆମ ଜୀବନର ସର୍ବୋତ୍ତମ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ହୃଦୟ ଆନନ୍ଦ ଏବଂ କୃତଜ୍ଞତାରେ ପରିପୂର୍ଣ୍ଣ।'
ଦୁହେଁ ସେୟାର କରିଥିବା ଫଟୋରେ ଦୁହେଁ ଧଳାରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବିକି, କଟ୍ରିନାଙ୍କ ବେବି ବମ୍ପକୁ ସ୍ନେହର ସହ ଧରିଛନ୍ତି। ତେବେ କେବେ କଟ୍ରିନାଙ୍କ ପ୍ରସବ ହେବ ବା ସେ କେତେ ମାସର ଗର୍ଭବତୀ ଅଛନ୍ତି, ତାହା ଜଣାପଡ଼ିନାହିଁ। ତେବେ କୁହାଯାଉଛି ଯେ, ବିକି ଏବଂ କ୍ୟାଟ୍ରିନା ଆସନ୍ତା ମାସରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିପାରନ୍ତି। ପୂର୍ବରୁ ଅନେକ ଥର ଏଭଳି ଚର୍ଚ୍ଚା ହୋଇଥିବା ବେଳେ ଅଭିନେତା ପ୍ରତିଥର ଚର୍ଚ୍ଚାକୁ ଅସ୍ବୀକାର କରି ଆସୁଥିଲେ। ହେଲେ ଏଥର ସେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି।
ପୂର୍ବରୁ, ଯେତେବେଳେ କଟ୍ରିନା କୈଫଙ୍କ ଗର୍ଭବତୀ ହେବାର ଗୁଜବ ପ୍ରକାଶ ପାଇଥିଲା, ବିକି କୌଶଲ କହିଥିଲେ ଯେ, ଏହି ଖବରରେ କୌଣସି ସତ୍ୟତା ନାହିଁ। ତାଙ୍କ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍'ର ଟ୍ରେଲର ଲଞ୍ଚ ସମୟରେ ବିକି କୌଶଲ କହିଥିଲେ, 'ଖୁସି ଖବର କଥା କହିବାକୁ ଗଲେ, ଆମେ ଏହାକୁ ନିଶ୍ଚିତ ଭାବେ ଆପଣଙ୍କ ସହିତ ସେୟାର କରିବୁ। କିନ୍ତୁ ବର୍ତ୍ତମାନ ଏହି ଖବରରେ କୌଣସି ସତ୍ୟତା ନାହିଁ। ଏବେ ଫିଲ୍ମ 'ବ୍ୟାଡ୍ ନ୍ୟୁଜ୍'ର ମଜା ନିଅନ୍ତୁ। ଯେତେବେଳେ ଭଲ ଖବର ଆସିବ, ଆମେ ନିଶ୍ଚିତ ଭାବରେ ଏହାକୁ ଆପଣଙ୍କ ସହିତ ସେୟାର କରିବୁ।'
ଉଲ୍ଲେଖଯୋଗ୍ୟ, କଟ୍ରିନା କୈଫ୍ ଏବଂ ବିକି କୌଶଲ ୨୦୨୧ ମସିହାରେ ରାଜସ୍ଥାନରେ ବିବାହ କରିଥିଲେ। କେବଳ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ। ଏହି ଦମ୍ପତି ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବିବାହର ଖବର ଦେଇଥିଲେ। ବର୍ତ୍ତମାନ ପ୍ରଶଂସକମାନେ କଟ୍ରିନାଙ୍କ ଗର୍ଭଧାରଣକୁ ନେଇ ଉତ୍ସାହିତ।
Vicky Kaushal | Pregnant
Follow Us