ହସରେ ଭସେଇବେ କୀର୍ତ୍ତି

Advertisment
ହସରେ ଭସେଇବେ କୀର୍ତ୍ତି

Telugu Bullet

ତେର ବର୍ଷ ତଳେ ହାସ୍ୟରସାତ୍ମକ ହିନ୍ଦୀ ଫିଲ୍ମ ‘ଖିଚଡ଼ି: ଦି ମୁଭି’ରେ ପ୍ରଥମେ ପଦାର୍ପଣ ପରଠାରୁ ଅଭିନେତ୍ରୀ କୀର୍ତ୍ତି କୁହ୍ଲାରି ତାଙ୍କ ଭାବମୂର୍ତ୍ତିରେ ଲଗାତାର ପରିବର୍ତ୍ତନ ଆଣିଛନ୍ତି। ପରବର୍ତ୍ତୀ ସିନେମାଗୁଡ଼ିକରେ ତାଙ୍କର ଗମ୍ଭୀର ଭୂମିକା ଦେଖିବାକୁ ମିଳିଥିଲା। ତେବେ ଚଳିତବର୍ଷ ସେ ଦର୍ଶକମାନଙ୍କୁ ପୁଣି ହସରେ ଭସେଇବେ ବୋଲି ଭବିଷ୍ୟବାଣୀ କରିଛନ୍ତି ଏବଂ ଦର୍ଶକ ତାହା ଦେଖି ବିଶ୍ବାସ କରିପାରିବେନି ବୋଲି ସେ କହିଛନ୍ତି। ଚଳିତବର୍ଷ ଆସିବାକୁ ଥିବା ତାଙ୍କ ଅଭିନୀତ ଦୁଇଟି ହାସ୍ୟ ସିନେମା ମଧ୍ୟରୁ ‘ଖିଚଡ଼ି-୨’ ହେଉଛି ଗୋଟିଏ। ଅନ୍ୟ ହାସ୍ୟାତ୍ମକ ଫିଲ୍ମ ‘ନାୟେକା’ର ସେ ନିଜେ ହେଉଛନ୍ତି ପ୍ରଯୋଜିକା। ତେବେ ଚାରି ପାଞ୍ଚ ବର୍ଷ ହେଲା ଓଟିଟି ମଞ୍ଚରେ ଜଣେ ଅଣହାସ୍ୟ ଭୂମିକାର ଅଗ୍ରଣୀ ଅଭିନେତ୍ରୀ ଭାବେ ଚହଳ ପକାଇଥିବା କୀର୍ତ୍ତିଙ୍କର ହଠାତ୍‌ ଏପରି ପଛକୁ ଫେରିଯିବାର କାରଣ ସେ ହାସ୍ୟରସକୁ ଭାରି ପସନ୍ଦ କରନ୍ତି। ତେବେ ତାହା ପାରମ୍ପରିକ ବା ତଥାକଥିତ ହାସ୍ୟ ହୋଇନଥିବା ଦରକାର। ବିଶେଷ କରି ପରିସ୍ଥିତିଭିତ୍ତିକ ବ୍ୟଙ୍ଗକୁ ସେ ଭଲପାଆନ୍ତି ବୋଲି କୀର୍ତ୍ତି କହିଛନ୍ତି।

ସେହିପରି ଗାମ୍ଭୀର୍ଯ୍ୟ, ଶୋକ ପରି ଅଭିନୟର ଅନ୍ୟାନ୍ୟ ରସ ଅପେକ୍ଷା ହାସ୍ୟରସ ଫୁଟାଇବା ଏକ କଷ୍ଟକର ବ୍ୟାପାର ବୋଲି ଅନେକଙ୍କର ଧାରଣା ଥିବା ବେଳେ ସେ ସେଥିରେ ବିଶ୍ବାସ କରନ୍ତି ନାହିଁ। ଅବଶ୍ୟ ହାସ୍ୟରସକୁ ଜଣେ ଯେଭଳି ପ୍ରଦର୍ଶନ କରିପାରିବ, ଅନ୍ୟ ଜଣେ ଅନୁରୂପ ନ୍ୟାୟ ଦେଇପାରିବନି ବୋଲି ସେ ସ୍ବୀକାର କରନ୍ତି। ଏହି ଅବସରରେ ସେ ‘ଚମତ୍କାର’ ସିନେମାରେ ଶ୍ରୀଦେବୀଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରିଛନ୍ତି। କୀର୍ତ୍ତି ଏ ମଧ୍ୟରେ ଦୁଇ ଥର ଜାତୀୟ ସ୍ତରର ସମ୍ମାନ ହାସଲ କରିସାରିଛନ୍ତି। ପ୍ରଥମ ଫିଲ୍ମ ‘ଖିଚଡ଼ି’ ବାଦ୍‌ ସେ ପରବର୍ତ୍ତୀ ‘ସଇତାନ’, ‘ସୁପର ସେ ଉପର’, ‘ଜାଲ୍‌’, ‘ରାଇଜ୍‌ ଅଫ୍‌ ଦି ଜୋମ୍ବି’ ଓ ‘କ୍ୟୁଟ୍‌ କମିନା’ ପରି ସିନେମାରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିଲେ। ତେବେ ‘ଇନ୍ଦୁ ସରକାର’ ସିନେମାରେ ଶୀର୍ଷକ ଭୂମିକା ନିର୍ବାହ କରି ସମୀକ୍ଷକମାନଙ୍କୁ ମୁଗ୍‌ଧ କରିପାରିଥିଲେ ଏବଂ ୨୦୧୮ରେ କ୍ଷୁଦ୍ର ଫିଲ୍ମ ‘ମାୟା’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ୬୪ତମ ଫିଲ୍ମଫେୟାର ସମ୍ମାନ ମିଳିଥିଲା। ଏହାପରେ ‘ମିସନ୍‌ ମଙ୍ଗଳ’, ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ ଓ ‘ଦି ଗାର୍ଲ ଅନ୍‌ ଦି ଟ୍ରେନ୍‌’ ଆଦିରେ ତାଙ୍କର ଭିନ୍ନ ଭିନ୍ନ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ୱେବ୍‌ ଧାରାବାହିକ ‘ଫୋର୍‌ ମୋର୍‌ ସଟ୍‌ସ’ ଓ ‘ବାର୍ଡ ଅଫ୍‌ ବ୍ଲଡ୍‌’ରେ କୀର୍ତ୍ତିଙ୍କ ଅଭିନୟ ବେଶ୍‌ ମନମୁଗ୍ଧକର ହୋଇଥିଲା। ତେବେ ତାଙ୍କର ଆଗାମୀ ହାସ୍ୟ ଅବତାରକୁ ଦର୍ଶକ ପୂର୍ବ ଭଳି ଗ୍ରହଣ କରୁଛନ୍ତି କି ନାଇଁ ତାହା ସମୟ ହିଁ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe