Dailymotion
‘ରାମାୟଣ’ଙ୍କ ମନ୍ଥରା ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଲଳିତା ପାୱାର। ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ଲୋକେ ଲଳିତାଙ୍କୁ ଆଉ ଲଳିତା ନୁହେଁ, ବରଂ ମନ୍ଥରା ଭାବେ ନିଜ ମନରେ ଚିତ୍ରଣ କରିଦେଇଥିଲେ। ଏପରିକି ଏହି ଅଭିନୟ ପାଇଁ ତାଙ୍କୁ ଲୋକଙ୍କ ଆଗରେ ଘୃଣାର ପାତ୍ର ହେବାକୁ ପଡ଼ିଥିଲା। ହିନ୍ଦୀ ଚଳଚ୍ଚିତ୍ରରେ ଖଳନାୟିକା ଭାବେ ଜଣାଶୁଣା ଲଳିତା ଆଜି ବି ତାଙ୍କର ଅଭିନୟ ପାଇଁ ସଭିଙ୍କ ମନରେ ତାଜା ଅଛନ୍ତି। ସବୁଠୁ ବଡ଼ କଥା ହେଉଛି, ଲଳିତା ୭୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପ୍ରାୟ ଅଧିକାଂଶ ଚଳଚ୍ଚିତ୍ରରେ ସେ ନକାରାତ୍ମକ ଭୂମିକା ନିର୍ବାହ କରୁଥିଲେ। ତାଙ୍କର ଅଭିନୟ ଚାତୁରୀ ଦେଖି ହିଁ ରାମାନନ୍ଦ ସାଗର ତାଙ୍କୁ ମନ୍ଥରା ଚରିତ୍ର ପାଇଁ ଅଫର୍ ଦେଇଥିଲେ। ତେବେ ମନ୍ଥରା ଚରିତ୍ରରେ ସେ ଲୋକଙ୍କ ମନରେ ଏପରି ଛାପ ଛାଡ଼ିଥିଲେ ଯେ ଯେତେବେଳେ ସେ କୌଣସି ସର୍ବସାଧାରଣ ସ୍ଥାନକୁ ଯାଉଥିଲେ କିଛି ଲୋକେ ତାଙ୍କୁ ଏପଟସେପଟ କଥା କହି ତାଚ୍ଛଲ୍ୟ କରୁଥିଲେ। ତେବେ ଏସବୁ ଲଳିତାଙ୍କ ଉପରେ ପ୍ରଭାବ ପକାଇପାରିନଥିଲା, ବରଂ ସେ ଯେ ବାସ୍ତବିକ ଚରିତ୍ର ନିଭାଇ ପାରୁଥିଲେ ଏହା ତାଙ୍କ ମନକୁ ସାନ୍ତ୍ବନା ଦେଉଥିଲା। ବାସ୍ତବରେ ୧୯୪୨ରେ ଲଳିତା ନାୟିକା ହେବା ଆଶାରେ ଚଳଚ୍ଚିତ୍ର ଜଗତକୁ ଆସିଥିଲେ। ମାତ୍ର ‘ଜଙ୍ଗ ଏ ଆଜାଦୀ’ ଚଳଚ୍ଚିତ୍ରରେ ଅଭିନୟ ବେଳେ ଏକ ଚାପୁଡ଼ା ଖାଇବା ଦୃଶ୍ୟରେ ତାଙ୍କ ଆଖିର ପରଦା ଫାଟି ଯାଇଥିଲା। ଫଳରେ ତାଙ୍କର ସେଇ ଆଖି ହିଁ ତାଙ୍କୁ ନକାରାତ୍ମକ ଭୂମିକା ଭିତରେ ସୀମିତ ରଖିଦେଲା।
Follow Us