ପଞ୍ଚଭୂତରେ ଲୀନ ହେଲା ଶ୍ରୀଦେବୀଙ୍କ ମରଶରୀର

Advertisment
ପଞ୍ଚଭୂତରେ ଲୀନ ହେଲା ଶ୍ରୀଦେବୀଙ୍କ ମରଶରୀର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କର ମରଶରୀର। ମୁମ୍ବାଇର ଭିଲେ ପର୍ଲେ ସେବା ସମାଜ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି। ତ୍ରିରଙ୍ଗାରେ ଅଚ୍ଛାଦିତ ଶ୍ରୀଦେବୀଙ୍କ ମରଶରୀର ନିକଟରେ ତାଙ୍କର ସ୍ୱାମୀ ବୋନି କପୁର,ଦିଅର ଅନିଲ୍‌ କପୁର,ଦୁଇ ଝିଅ ଜାହ୍ନବୀ ଓ ଖୁସୀ ଏବଂ ବହୁ ବଲିଉଡ୍‌ ବ୍ୟକ୍ତିତ୍ୱ ଉପସ୍ଥିତ ଉପସ୍ଥିତ ଥିଲେ। ପତି ବୋନି କପୁର ଶ୍ରୀଦେବୀଙ୍କୁ ମୁଖାଗ୍ନି ଦେଇଥିଲେ।

publive-image

ଶ୍ରୀଦେବୀଙ୍କ ମରଶରୀରକୁ ସର୍ବସାଧାରଣଙ୍କର ଶେଷ ଦର୍ଶନ ଲାଗି ମୁମ୍ବାଇର ଲୋଖନ୍ଦଓ୍ଵାଲାସ୍ଥିତ ସେଲିବ୍ରେସନ୍‌ ସ୍ପୋର୍ଟସ୍‌ କ୍ଲବ୍‌ରେ ଗତ ରାତିରୁ ରଖାଯାଇଥିଲା। ବୁଧବାର ଅପରାହ୍ନ ୨ଟା ପରେ ଶ୍ରୀଦେବୀଙ୍କ ଶବଧାରା ନିକଟରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ଶ୍ମଶାନକୁ ଶ୍ରୀଦେବୀଙ୍କୁ ନିଆଯାଇଥିଲା। ସ୍ୱର୍ଗତଃ ଶ୍ରୀଦେବୀଙ୍କ ଇଚ୍ଛାକୁ ସମ୍ମାନ ଦିଆଯାଇ ସଂପୂର୍ଣ୍ଣ ଶବାଧାରକୁ ଧଳା ଫୁଲରେ ସୁସଜ୍ଜିତ କରାଯାଇଥିଲା। ମୁମ୍ବାଇର ରାଜରାସ୍ତାରେ ଶବଧାରକୁ ନିଆଯିବା ସମୟରେ ବହୁ ସଂଖ୍ୟାରେ ଲୋକେ ରାସ୍ତାର ଦୁଇ ପାର୍ଶ୍ୱରେ ଠିଆ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

publive-image

ଅଶୀ ଦଶକରେ ଜଣେ ଗ୍ଲାମର ଗାର୍ଲ ଭାବେ ବଲିଉଡରେ ପାଦ ରଖିଥିବା ଅଭିନେତ୍ରୀ ଶ୍ରୀଦେବୀ ଜୀବନର ଶେଷ ଦୃଶ୍ୟରେ ମଧ୍ୟ ଠିକ୍‌ ସେହିଭଳି ଆକର୍ଷଣୀୟ ଓ ସୁନ୍ଦରୀ ଦେଖାଯାଉଥିଲେ। ଏକ ସୁନେଲୀ ଓ ଲାଲ୍‌ ମିଶ୍ରିତ କାଞ୍ଜିବରମ୍‌ ପାଟରେ ଆଚ୍ଛାଦିତ ଶ୍ରୀଦେବୀ ସଧବା ବେଶରେ ଅତ୍ୟନ୍ତ ଜୀବନ୍ତ ଓ ଆକର୍ଷଣୀୟ ଦିଶୁଥିଲେ। ଭିଲେ ପର୍ଲେ ସେବା ସମାଜ ଶ୍ମଶାନରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ସମୟରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe