ମୁମ୍ବାଇ: ଜୁନ ୧୪, ୨୦୨୦ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିବା ନେଇ ଖବର ମିଳିଥିଲା। ୧୪ମହଲା ଉପରୁ ତଳକୁ ଡେଇଁ ସେ ଜୁନ ୯ ତାରିଖ ରାତି ପ୍ରାୟ ୨ଟାରେ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଥିଲା। ତେବେ କିଛି ଲୋକ ଏହାକୁ ହତ୍ୟାର ନାଁ ଦେଇଥିବା ବେଳେ କିଛି ଲୋକ କାମର ଚାପ ପାଇଁ ସେ ଆତ୍ମହତ୍ୟା କରିଥିବା କଥା କହିଥିଲେ। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିନଥିବା ବେଳେ ତାଙ୍କ ଭାବିସ୍ବାମୀ ରୋହନ ରାୟ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମୃତ୍ୟୁ ପୂର୍ବରୁ ଦିଶା ରୋହନଙ୍କ ସହ ନିର୍ବନ୍ଧ କରିଥିଲେ। ହେଲେ ଏହାର କିଛି ଦିନ ପରେ ତାଙ୍କର ମୃତ୍ୟୁ ହେବାରୁ ରୋହନଙ୍କ ଉପରକୁ ଆଙ୍ଗୁଳି ଉଠିଥିଲା। ଦିଶାଙ୍କ ମୃତ୍ୟୁର ଦୁଃଖରେ ପ୍ରାୟ ୩ବର୍ଷ ରହିବା ପରେ ଏବେ ସେ ଅଭିନେତ୍ରୀ ତଥା ନିଜ ସହ-କଳାକାର ଶିନ ଦାସଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି। ଦୁହିଁଙ୍କ ବିବାହ କଶ୍ମୀରରେ ହେବ ବୋଲି ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରୋହନ ରାୟ କହିଛନ୍ତି, 'ଯେତେବେଳେ କଶ୍ମୀର କଥା ଉଠେ, ସେତେବେଳେ ଶିନଙ୍କ ପରିବାର ଭାବପ୍ରବଣ ହୋଇପଡ଼ନ୍ତି। ସେଥିପାଇଁ ଆମେ ଚାହୁଁଛୁ ଯେ, ଆମ ବିବାହ ସେଠାରେ ହେଉ। ବିବାହ ରୀତିନୀତି ଦୁଇ ଦିନ ଧରି ଚାଲିବ ଯେଉଁଥିରେ ପରିବାର ସଦସ୍ୟ ଏବଂ ଅତି ଘନିଷ୍ଠ ବନ୍ଧୁମାନେ ଅଂଶଗ୍ରହଣ କରିବେ। ବିବାହର ଗୋଟିଏ ଦିନ ପୂର୍ବରୁ ହଲଦୀ ଏବଂ ମେହେନ୍ଦି କାର୍ଯ୍ୟକ୍ରମ ଆୟୋଜନ ହେବ।
କୁହାଯାଉଛି ଯେ, ୨୦୧୮ରେ ରୋହନ ଓ ଶିନ ଏକାଠି କାମ କରିଥିଲେ। ହେଲେ ଦିଶାଙ୍କ ମୃତ୍ୟୁର ୨ବର୍ଷ ପରେ ଦୁହିଁଙ୍କ ବନ୍ଧୁତା ପ୍ରେମରେ ପରିଣତ ହେଲା, ଯାହା ଏବେ ବିବାହର ରୂପ ନେବ।
Follow Us