ଏମ୍‌ଟିଭି ରୋଡିଜ୍‌-୮ରୁ ଛୋଟ ପରଦାର ଲୋକପ୍ରିୟ ନାୟିକା

Advertisment
ଏମ୍‌ଟିଭି ରୋଡିଜ୍‌-୮ରୁ ଛୋଟ ପରଦାର ଲୋକପ୍ରିୟ ନାୟିକା

ମୁମ୍ବାଇ:  ଜୀବନର ଗତିପଥ କେତେବେଳେ କେଉଁ ମୋଡ଼ରେ କି ରୂପରେଖ ନେବ ତାହା କେବେ କାହା ହାତରେ ନଥାଏ। ତେବେ ପରିବର୍ତ୍ତିତ ପରିସ୍ଥିତି ସହ ଖାପଖୁଆଇ ଜୀବନକୁ ଆଗକୁ ଗଡ଼େଇ ନେବାରେ ହିଁ ଅପ୍ରତ୍ୟାଶିତ ଆନନ୍ଦ ମିଳିବା ସହ ତହିଁରୁ ଆତ୍ମସନ୍ତୋଷ ଲାଭ କରିହେବ। ଟିଭି ଅଭନେତ୍ରୀ ପୂଜା ବାନାର୍ଜୀ ସେଜଵାଲ୍‌ ସେପରି ଜଣେ କଳାକାର ଯିଏ ଏକ ବାସ୍ତବଧର୍ମୀ ଟିଭି ଧାରାବାହିକରେ ପ୍ରତିଯୋଗୀ ସାଜୁ ସାଜୁ ସେହି ଟିଭି ଦୁନିଆରେ ହିଁ ଜୀବନ ଗଢ଼ିବା ପାଇଁ ପସନ୍ଦ କରିଥିଲେ।

ସେ ଏବେ ଟିଭି ଧାରାବାହିକର ଜଣେ ଆଗଧାଡ଼ିର ଅଭିନେତ୍ରୀ ହେବା ସହ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଅନୁପୂରକ ସାଜିଛନ୍ତି। ଉତ୍ତରପ୍ରଦେଶର ଆଲିଗଡ଼ ଠାରେ ୧୯୯୧ ନଭେମ୍ବର ୮ ତାରିଖରେ ଜନ୍ମିତ ସେଜଵାଲଙ୍କର ଜୀବନରେ କେବେ ଅଭିନୟରେ କ୍ୟାରିଅର କରିବାର ସ୍ପୃହା ନଥିଲା। ତେବେ ୨୦୧୧ରେ ଏମ୍‌ଟିଭି ରୋଡିଜ୍‌-୮ରେ ଜଣେ ପ୍ରତିଯୋଗୀ ଭାବେ ଭାଗ ନେବା ଅବସରରେ ତାଙ୍କ ମନରେ ଗ୍ଲାମର ଦୁନିଆ ପ୍ରତି ଏକ ଅହେତୁକ ଦୁର୍ବଳତା ବସା ବାନ୍ଧିବାକୁ ଲାଗିଲା।ଛେ

ନିଜର ଏହି ପରିବର୍ତ୍ତିତ ଅଭିଳାଷ ପୂରଣ ପାଇଁ ସେ ଟିଭି ଧାରାବାହିକରେ ପ୍ରବେଶ କରିଥିଲେ ୨୦୧୨ରେ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ‘ଏକ ଦୂସରେ ସେ କରତେ ହେଁ ପ୍ୟାର ହମ୍‌’ ମାଧ୍ୟମରେ। ତାଙ୍କର ପରବର୍ତ୍ତୀ ଧାରାବାହିକ ‘ଦି ଆଡଭେଞ୍ଚର୍ସ ଅଫ୍‌ ହାତିମ୍‌’ ଓ ‘ଘର ଆଯା ପରଦେଶୀ’ରେ ତାଙ୍କ ଭୂମିକାକୁ ଦର୍ଶକ ଖୁବ୍‌ ପ୍ରଶଂସା କରିଥିଲେ। ଏହାପରେ ‘ବକ୍ସ କ୍ରିକେଟ ଲିଗ୍‌’ରେ ଜଣେ ପ୍ରତିଯୋଗୀ ସାଜି ଅନ୍ୟମାନଙ୍କୁ ଆପ୍ୟାୟିତ କରିବା ସହ ଚ୍ୟାନେଲ୍‌-୫ରେ ପ୍ରସାରିତ ଯୁବଧର୍ମୀ ନାଟକ ‘ସ୍ବିମ୍‌ ଟିମ୍‌’ରେ ତାଙ୍କର ରେଵା ମାଥୁର ଚରିତ୍ର ମଧ୍ୟ ବେଶ ଗ୍ରହଣୀୟ ହୋଇପାରିଥିଲା। ତେବେ ତାଙ୍କୁ ଅସଲ ପ୍ରତିଷ୍ଠା ମିଳିଥିଲା ଲାଇଫ୍‌ ଓକେର ‘ନାଗାର୍ଜୁନ- ଏକ ଯୋଦ୍ଧା’ ଧାରାବାହିକରେ।

ତାହା ପରେ ପରେ ଏକତା କପୂରଙ୍କ ପ୍ରଯୋଜନା ସଂସ୍ଥା ସହ ‘ଚନ୍ଦ୍ରକାନ୍ତା’, ‘ଚନ୍ଦ୍ର ନନ୍ଦିନୀ’ ଓ ‘ଦିଲ୍‌ ହି ତୋ ହୈ’ ଆଦି ଧାରାବାହିକରେ ଛୋଟମୋଟ ଚରିତ୍ର କରି ସେଜଵାଲ ନିଜର ଅଭିନୟକୁ ଅଧିକ ଶାଣିତ କରିପାରିଥିଲେ। ପରିଣତି ସ୍ବରୂପ ‘କସୌଟି ଜିନ୍ଦଗି କେ’ରେ ତାଙ୍କର ନିବେଦିତା ଭୂମିକା ଓ ‘କୁମକୁମ ଭାଗ୍ୟ’ରେ ରିଆ ମେହରା ଚରିତ୍ର ଦର୍ଶକଙ୍କ ମନରେ ଗଭୀର ଛାପ ପକାଇଥିଲା ଏବଂ ତାଙ୍କ ପଛରେ ପ୍ରଶଂସାର ସୁଅ ଛୁଟିଥିଲା। ଏହିପରି ଭାବେ ଏଇ ଦଶ ବର୍ଷ ଭିତରେ ସେଜଵାଲ୍‌ କୋଡ଼ିଏରୁ ଅଧିକ ଧାରାବାହିକ ସମେତ ପାଞ୍ଚଟି ୱେବ୍‌ ସିରିଜ୍‌ରେ ନିଜର କମାଲ୍‌ ଦେଖାଇ ସାରିଛନ୍ତି। ଏପରିକି ୨୦୧୮ ପରଠାରୁ ‘କହନେ କୋ ହମସଫର ହେଁ’ର ତିନିଟିଯାକ ସିଜନ୍‌ରେ ସେ ବାଣୀ ମେହରା ପରି ପ୍ରମୁଖ ଚରିତ୍ରରେ ଉଭା ହୋଇ ଦର୍ଶକମାନଙ୍କୁ ମନଭରି ମନୋରଂଜନ ଯୋଗାଇ ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe