ମଲ୍ଲିକାଙ୍କ ଅଭିଯୋଗ ଓ ଘୃଣା

Advertisment
ମଲ୍ଲିକାଙ୍କ ଅଭିଯୋଗ ଓ ଘୃଣା

ବଲିଉଡ୍‌କୁ ନେଇ ବିଭିନ୍ନ ରକମର ଅଭିଯୋଗ ଶୁଣିବାକୁ ମିଳେ। ସେ ଭିତକୁ ଗୋଟିଏ ପ୍ରମୁଖ ଅଭିଯୋଗ ହେଲା ଯେ ବଲିଉଡ୍‌ର ବିସ୍ତୀର୍ଣ୍ଣ ପଡ଼ିଆରେ ବିଚରଣ କରିବା ମହିଳାଙ୍କ ତୁଳନାରେ ପୁରୁଷଙ୍କ ପାଇଁ ଅଧିକ ସହଜ। ଏହି ଅଭିଯୋଗକୁ ସୁଦୃଢ଼ କରିଛନ୍ତି ଅଭିନେତ୍ରୀ ମଲ୍ଲିକା ଶେରାଵତ। ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ବଳିଉଡ୍‌ ଶିଳ୍ପରେ ପୁରୁଷମାନେ ପୁରୁଷପ୍ରଧାନ ଚରିତ୍ରଗୁଡ଼ିକୁ ଗୁରୁତ୍ବ ଦେଇଥାନ୍ତି। ସେ ଏହା ମଧ୍ୟ କହିବାକୁ ପଛାଇ ନାହାନ୍ତି ଯେ ବଲିଉଡ୍‌ ହେଉଛି ଏକ ପୁରୁଷପ୍ରଧାନ ବ୍ୟବସ୍ଥା; ଏହି ସମସ୍ୟାର ବଡ଼ କାରଣ ହେଲା ଆମ ଦେଶ ମଧ୍ୟ ଅତ୍ୟନ୍ତ ପୁରୁଷପ୍ରଧାନ। ବଲିଉଡ୍‌ ଚଳଚ୍ଚିତ୍ରମାନଙ୍କର ଅଧିକାଂଶ ଲେଖକ ଓ ନିର୍ଦେଶକ ପୁରୁଷ ହୋଇଥିବାରୁ ସେମାନେ ଅଭିନେତାଙ୍କୁ ଶୀର୍ଷସ୍ଥାନୀୟ କରି ଚଳଚ୍ଚିତ୍ର ନିର୍ମାଣ କରିଥାନ୍ତି। ତେଣୁ ଚଳଚ୍ଚିତ୍ରରେ ଅଭିନେତାମାନେ ହିଁ ସର୍ବୋତ୍କୃଷ୍ଟ ଚରିତ୍ର ପାଇଥାନ୍ତି। ସେହି କାରଣରୁ ଯଦିଓ ଅଭିନେତାଙ୍କୁ ସଂଘର୍ଷ କରିବାକୁ ପଡ଼େ, କିନ୍ତୁ ଅଭିନେତ୍ରୀଙ୍କୁ ସେମାନଙ୍କ ତୁଳନାରେ ବହୁତ ଅଧିକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ସୌଭାଗ୍ୟବଶତଃ ଓଟିଟି ମଞ୍ଚର ଆବିର୍ଭାବ ପରେ କିଛିଟା ପରିବର୍ତ୍ତନ ହୋଇଛି, କିନ୍ତୁ ସେଥିରେ ମଧ୍ୟ ପୁରୁଷଙ୍କୁ ପ୍ରାଧାନ୍ୟ ମିଳୁଛି ବୋଲି ମଲ୍ଲିକା କହିଛନ୍ତି। ଏହି ୪୫ ବର୍ଷୀୟା ଅଭିନେତ୍ରୀ ଆଉ ଏକ ପ୍ରସଙ୍ଗରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମକୁ ଘୃଣା କରନ୍ତି ବୋଲି ସିଧାସଳଖ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଯେଉଁଭଳି ଭାବେ ଅଭିନେତା ଅଭିନେତ୍ରୀଙ୍କର ଚରିତ୍ରହନନ କରାଯାଉଛି ତାହା ସବୁତକ ଶକ୍ତି ଶୋଷି ନିଏ। ସାମାଜିକ ଗଣମାଧ୍ୟମ କେବଳ ଖରାପ ଜିନିଷର ନିଶା ଲଗାଇଥାଏ। ତେଣୁ ମଲ୍ଲିକା ସାମାଜିକ ଗଣମାଧ୍ୟମକୁ ପସନ୍ଦ କରନ୍ତି ନାହିଁ କି ସେଥିରେ ଭାଗ ନିଅନ୍ତି ନାହିଁ। ଆଜିକାଲିର ପିଲାମାନେ ସବୁବେଳେ ଫୋନରେ ବ୍ୟସ୍ତ ରହିବା ବଦଳରେ ବାହାରେ ଖେଳିବା, ବହି ପଢ଼ିବା ଭଳି କାର୍ଯ୍ୟକଳାପରେ ଭାଗ ନେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ଗତ ୨୨ ତାରିଖରେ ମଲ୍ଲିକାଙ୍କ ଅଭିନୀତ ‘ଆର୍‌କେ/ଆର୍‌କେ’ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ସମୀକ୍ଷକମାନଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ ହେଁ ଭଲ ବ୍ୟବସାୟ କରିବାରେ ବିଫଳ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe