Mint
ପଟିଆଲା: ମାନବ ଚାଲାଣ ମାମଲାରେ ପଞ୍ଜାବ ପୁଲିସ ଆଜି ଖ୍ୟାତନାମା ଗାୟକ ଦଲେର ମେହେନ୍ଦିଙ୍କୁ ଗିରଫ କରିଛି। ଏହି ମାମଲାରେ ପଟିଆଲା ଜିଲ୍ଲା ଅଦାଲତ ୨୦୧୮ରେ ଦଲେରଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ସଜା ୩ ବର୍ଷରୁ କମ୍ ହେବା କାରଣରୁ ଦଲେରଙ୍କୁ ସେତେବେଳେ ଜାମିନ ମିଳିଯାଇଥିଲା। ପରେ ଦଲେର ତାଙ୍କ ଦଣ୍ଡାଦେଶ ବିରୋଧରେ ପଟିଆଲା ସେସନ କୋର୍ଟରେ ଆବେଦନ କରିଥିଲେ। ଆଜି ଅଦାଲତ ଦଣ୍ଡାଦେଶ କାଏମ ରଖିବା ପରେ ପୁଲିସ ଦଲେରଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ ଯେ ୨୦୦୩ରେ ପଟିଆଲା ସଦର ଥାନାରେ ଦଲେର ମେହେନ୍ଦିଙ୍କ ବିରୋଧରେ ଏଫ୍ଆଇଆର୍ ହୋଇଥିଲା ଏବଂ ଦୀର୍ଘ ୧୫ ବର୍ଷ ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୩ରେ ଦଲେର, ତାଙ୍କର ଭାଇ ସମଶେର ସିଂହ ଏବଂ ଅନ୍ୟ ଦୁଇ ଜଣଙ୍କୁ ମାନବ ଚାଲାଣ ମାମଲାରେ ପଟିଆଲା ପୁଲିସ ଗିରଫ କରିଥିଲା। ପ୍ରଥମ ଅଭିଯୋଗ ପଞ୍ଜୀକରଣ କରିବା ପରେ ପୁଲିସ ଦଲେରଙ୍କ ବିରୋଧରେ ୩୫ଟି ସମାନ ଅଭିଯୋଗ ପାଇଥିଲା। ଦିଲ୍ଲୀର କନ୍ନଟପ୍ଲେସ୍ରେ ଥିବା ଦଲେରଙ୍କ କାର୍ଯ୍ୟାଳୟରେ ପୁଲିସ ଚଢ଼ଉ କରି ମାନବଚାଲାଣ ସଂକ୍ରାନ୍ତ କେତେକ ଦଲିଲ ଜବତ କରିଥିଲା।
Follow Us