ସ୍ମୃତି ଏକ ରୁପାଜହ୍ନ: ଷଷ୍ଠ ଶ୍ରେଣୀରୁ ମୋ ମୁହଁରୁ ହସ ଲିଭିନି

୧୯୮୮ ମସିହାରେ ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଏକମାତ୍ର ସିନେମା ‘କୁରୁକ୍ଷେତ୍ର’ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ସେ। ଏହାପରେ ଆଉ ତାଙ୍କ ପାଦ ଅଟକି ନାହିଁ। ଇତିମଧ୍ୟରେ ୨୦୦ରୁ ଅଧିକ ଓଡ଼ିଆ ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ମନଛୁଆଁ ଅଭିନୟ କରି ଦର୍ଶକଙ୍କ ହୃଦୟରେ....

New Project (14)

୧୯୮୮ ମସିହାରେ ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଏକମାତ୍ର ସିନେମା ‘କୁରୁକ୍ଷେତ୍ର’ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ସେ। ଏହାପରେ ଆଉ ତାଙ୍କ ପାଦ ଅଟକି ନାହିଁ। ଇତିମଧ୍ୟରେ ୨୦୦ରୁ ଅଧିକ ଓଡ଼ିଆ ସିନେମାରେ ଭିନ୍ନ ଭିନ୍ନ ଭୂମିକାରେ ମନଛୁଆଁ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନଟିଏ ତିଆରି କରିଛନ୍ତି ଅଶ୍ରୁମୋଚନ ମହାନ୍ତି। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରୁ ତାଙ୍କର କଳାକାର ଜୀବନ ଆରମ୍ଭ। କେବଳ ସିନେମା ନୁହେଁ, ନାଟକ, ଧାରାବାହିକ ଓ ଯାତ୍ରା; ମନୋରଞ୍ଜନର ସବୁ ମଞ୍ଚରେ ସେ ସକ୍ରିୟ। ଅଭିନୟ ସାଥିରେ ଯାତ୍ରା ନାଟକ ନିର୍ଦ୍ଦେଶନା ବି ଦେଇଛନ୍ତି ସେ। ଓଲିଉଡ୍‌ର ଖ୍ୟାତନାମା କଳାକାର ଅଶ୍ରୁମୋଚନ ବଖାଣିଛନ୍ତି ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି।

ବନ୍ଦନା ମିଶ୍ର୍ର

‘‘ମୋ ବାପାମାଆ ଥିଲେ ସ୍ବାଧୀନତା ସଂଗ୍ରାମୀ। ଭାଇମାନେ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ବେଳେ ଆମ ପରିବାରର ମୁଁ ଏକମାତ୍ର ସଦସ୍ୟ, ଯିଏକି ଅଭିନୟ ଜଗତରେ ପଶିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମୁଁ ବିଜ୍ଞାନ ପାଠ ପଢ଼ିବା ପରେ କଳାକାର ବୃତ୍ତି ଆପଣେଇଥିଲି। କଳାକାର ତ ବହୁତ ପଛରେ ହେଲି। ହେଲେ ଅଭିନୟକୁ ନେଇ ମୋର ପିଲାଦିନର ଏକ ସ୍ମୃତି ମୁଁ ଆଜି କହିବାକୁ ଚାହିଁବି। ସେତେବେଳେ ମୁଁ ଆନନ୍ଦପୁରର ବି.ଏନ୍. ସ୍କୁଲ୍‌ରେ ଷଷ୍ଠ ଶ୍ରେଣୀରେ ପଢୁଥାଏ। ଆମ ସ୍କୁଲ୍‌ରେ ଡ୍ରାମା ହେଉଥାଏ। ସେଥିରେ ବିଷ୍ଣୁଙ୍କ ଚରିତ୍ରରେ କିଏ ଅଭିନୟ କରିବ ସେଥିପାଇଁ ପିଲା ଖୋଜା ଚାଲିଥାଏ। ସେହି ସମୟରେ ଜଣେ ସାଙ୍ଗର ନଜର ମୋ ଉପରେ ପଡ଼ିଲା। ସେ ଯାଇ ସାର୍‌ଙ୍କୁ ଜଣେଇଲା।

ଯେହେତୁ ମୋ ବର୍ଣ୍ଣ କଳା ଏବଂ ମୁଁ ଟିକେ ଦରହସା ସ୍ବଭାବର ତ ବିଷ୍ଣୁଙ୍କ ଚରିତ୍ର ମୁଁ ଭଲ କରିପାରିବି ବୋଲି ସାର୍ ଭାବିଲେ। ସମସ୍ତଙ୍କ ପସନ୍ଦକ୍ରମେ ମୋତେ ନାଟକରେ ଭଗବାନ ବିଷ୍ଣୁଙ୍କ ଚରିତ୍ର ତୁଲାଇବା ସୁଯୋଗ ମିଳିଲା। ମୁଁ ଅଭିନୟ କଲି ଓ ବହୁତ ଭଲ କଲି ମଧ୍ୟ। ମୋ ହସ ସମସ୍ତଙ୍କୁ ବହୁତ ଭଲ ଲାଗିଲା। ସାର୍ ତା’ପରେ ମୋତେ ପାଖକୁ ଡାକି କହିଲେ, ‘ତୋ ନାଁକୁ ତୋ ଚରିତ୍ର ପୂରା ମେଳଖାଉଛି। ଅଶ୍ରୁମୋଚନ ମାନେ ଅନ୍ୟର ଲୁହ ଯିଏ ହରଣକରେ ବା ଦୁଃଖ ଦୂରକରେ। ଆଉ ତୋ ହସ ଏତେ ସୁନ୍ଦର ଯେ ତାକୁ ଦେଖିଲେ ଯେ କେହି ବି ଖୁସି ହୋଇଯିବ। ତୋ ମୁହଁର ଏ ହସ କେବେ ଲିଭିବାକୁ ଦେବୁନି।’ ଏମିତିରେ ସବୁବେଳେ ମୁଁ ହସୁଥାଏ। ମୋତେ ଆସି ଏତେ ବୟସ ହେଲାଣି, ସେବେଠାରୁ ମୁଁ କେବେ ମୁହଁରୁ ହସକୁ ଲିଭିବାକୁ ଦେଇନି। ପରିସ୍ଥିତି ଯେମିତି ବି ହୋଇଥାଉ, ହସ ହସ ମୁହଁରେ ରହିବା ମୋର ଅଭ୍ୟାସରେ ପଡ଼ିଯାଇଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe