ମନେପଡ଼ନ୍ତି ମିହିର : ରେଭେନ୍ସାରେ +୨ ପଢ଼ୁଥିଲେ, ମିଳିଥିଲା ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ

Advertisment
ପରଲୋକରେ ମିହିର : ଗାର୍ଡ ଅଫ୍‌ ଅନର୍‌ ସହ ସତୀଚୌରାରେ ଆଜି ହେବ ଶେଷକୃତ୍ୟ

ଭୁବନେଶ୍ବର : ବର୍ଷିୟାନ୍ ଅଭିନେତା ମିହିର ଦାସ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ନିଜ ଅଭିନୟ ମାଧ୍ୟମରେ ସେ ଚିରକାର ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଥିବେ। ଦୀର୍ଘ ୪୦ ବର୍ଷର ଅଭିନୟ ଜୀବନ ଭିତରେ ମିହିର ବହୁ ପରୀକ୍ଷାନିରୀକ୍ଷା କରିଛନ୍ତି। ଏଭଳି ‌କୌଣସି ଧରଣର ଚରିତ୍ର ନାହିଁ, ଯାହାକି ମିହିର ଦାସ ଦର୍ଶକଙ୍କ ଲାଗି ତୋଳି ଧରି ନାହାନ୍ତି। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ମିହିର ଅଭିନୟରେ ସକ୍ରିୟ ଥିଲେ। ତାଙ୍କ ଅଭିନୀତ ‘ଟୋଟାଲ୍ ବାଳୁଙ୍ଗା’, ‘ପଗଲୁ’ ଏବଂ ଆଉ କେତେଗୋଟି ଛବି  ମୁକ୍ତି ଅପେକ୍ଷାରେ ରହିଛି। ଜଣେ କଳାକାର ପାଇଁ ସବୁବେଳେ ଜୀବନର ପ୍ରଥମ ଅଭିନୟ ଅପା‌ସୋର ହୋଇ ରହିଥାଏ। ମିହିର ଦାସ ଏହାର ବ୍ୟତିକ୍ରମ ନୁହନ୍ତି। ଆସନ୍ତୁ ଜାଣିବା ମିହିର ପ୍ରଥମ ଚଳଚ୍ଚିତ୍ର ଅଭିନୟ ଅନୁଭୂତି ସଂପର୍କରେ।

ଏକ ସାକ୍ଷାତକାରରେ ମିହିର ଦାସ  କହିଥିଲେ, ‘‘ପଞ୍ଚମ ଶ୍ରେଣୀ ପଢ଼ିବା ବେଳେ ହିଁ ମୁଁ ଏହି ରଙ୍ଗିନ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲି। ପ୍ରଥମେ ଛୋଟ ଛୋଟ ନାଟକରେ ସୁଯୋଗ ମିଳିଥିଲା। ରେଭେନ୍‌ସାରେ +୨ ପଢ଼ିବା ବେଳେ ନିର୍ଦ୍ଦେଶକ-ଅଭିନେତା ଗୋବିନ୍ଦ ତେଜ ମତେ ଡାକି ନେଇ ‘ରାମାୟଣ’(୧୯୮୦) ଚଳଚ୍ଚିତ୍ରରେ ଶତୃଘ୍ନ ଚରିତ୍ର ଦେଇଥିଲେ। ସେଥିପାଇଁ ପ୍ରଯୋଜକ ଧୀର ବିଶ୍ୱାଳ ପାରିଶ୍ରମିକ ୩୦୦ ଟଙ୍କା ଦେଇଥିଲେ। ସେଇ ଟଙ୍କାରେ କୋଲକାତା ବୁଲିଥିଲି। ନିଶ କାଟି ଧନୁସର ଧରି ଶତୃଘ୍ନ ହେବା ଅପୂର୍ବ ଆନନ୍ଦ ଦେଇଥିଲା। ଏବେ ବି ମନେ ପଡ଼ିଲେ ହସ ଲାଗେ। କିନ୍ତୁ ଏହାକୁ ମୁଁ ସିନେମା ବୋଲି ଧରି ନଥିଲି। ସମସ୍ତେ କୁହନ୍ତି ‘ରାମାୟଣ’ ହେଉଛି ମୋର ପ୍ରଥମ ଚଳଚ୍ଚିତ୍ର। କିନ୍ତୁ ମୋ ହିସାବରେ ମୋର ପ୍ରଥମ ଫିଲ୍ମ ଥିଲା ‘ସ୍କୁଲ ମାଷ୍ଟର’। ସେଥିରେ ମତେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ମିଳିଥିଲା।’’

‘‘ଚଳଚ୍ଚିତ୍ର ଦୂନିଆରେ କାମ କରିବା ମୋ ପାଇଁ ଯନ୍ତ୍ରଣାମୟ ଥିଲା। ସେଥିପାଇଁ ଭାବିଲି ସବୁ ଛାଡ଼ି ପଳେଇବି। ମାତ୍ର ଏନେଇ ପ୍ରଯୋଜକଙ୍କଠାରୁ ବହୁତ ଗାଳି ଖାଇଲି। ଏତେ ଗାଳି ଶୁଣିଲି ଯେ, ଭାବିଲି କାମ ଛାଡ଼ିକି ପଳେଇବି। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଦର୍ଶକଙ୍କ ଆଦର, ସହଯୋଗ ମତେ ସାହସ ଦେଲା। ନିଜକୁ ସୁହୃଢ଼ କଲି। ସେହି ଦିନଠୁ ମୁଁ ସୁଟିଂ ସେଟ୍‌ରେ ନିଜକୁ ହଜେଇ ଦେଲି। ଏତେ ସବୁ ସଂଗ୍ରାମ ପରେ ମୋର ଅନୁଭବ କୁହେ ଯେ, ଯଦି ଆମର ଗୋଟିଏ ଜିନିଷ ପାଇବାକୁ ଭଗବାନଙ୍କ ପାଖରେ ୧୦୦ଗୁଣ ଇଛା କରାଯାଏ ତେବେ ଭଗବାନ ନିଶ୍ଚିତ ପୂରଣ କରନ୍ତି। ସେଥିପାଇଁ ବୋଧେ ଶହଶହ ଚଳଚ୍ଚିତ୍ର କରିସାରିଥିଲେ ବି ଆଜି ମୁଁ ଥକି ପଡ଼ିନି’’ ବୋଲି କହିଥଲେ ମିହିର ଦାସ।

ଏଯାବତ୍ ମିହିର ଦାସଙ୍କ ଅଭିନୀତ ମୁକ୍ତିଲାଭ କରିଥିବା ଶେଷ ଚଳଚ୍ଚିତ୍ର ଥିଲା ଏନ୍.ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମନେମନେ ମନ ଖୋଜୁ୍‌ଥିଲା’। ଏଥିରେ ମିହିର ଚରିତ୍ର ଅଭିନୟ କରିଥିଲେ। ଫିଲ୍ମଟି ୨୦୨୧ ଅ‌କ୍ଟୋବରରେ ପରଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe