ମିସ୍‌ ଇଣ୍ଡିଆ ୨୦୨୨ ଜିଣିଲେ ସିନୀ

Advertisment
ମିସ୍‌ ଇଣ୍ଡିଆ ୨୦୨୨ ଜିଣିଲେ ସିନୀ

ଦେଶର ବିଭିନ୍ନ ରାଜ୍ୟର ପ୍ରତିଯୋଗୀମାନଙ୍କୁ ପଛରେ ପକାଇ କର୍ଣ୍ଣାଟକର ସିନୀ ସେଟ୍ଟୀ ୨୦୨୨ ମସିହାର ବହୁ ଆକାଂକ୍ଷିତ ‘ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ଵାର୍ଲଡ୍‌’ ପ୍ରତିଯୋଗିତାର ବିଜେତ୍ରୀ ହୋଇଛନ୍ତି। ରାଜସ୍ଥାନର ରୁବଲ ଶେଖାଵତ ଏହାର ପ୍ରଥମ ଉପବିଜେତ୍ରୀ ଏବଂ ଉତ୍ତର ପ୍ରଦେଶର ଶିନାତା ଚୌହାନ ଏହାର ଦ୍ବିତୀୟ ଉପବିଜେତ୍ରୀ ଘୋଷିତ ହୋଇଛନ୍ତି। ଗତ ରବିବାର ମୁମ୍ବାଇର ଜିଓ ଵାର୍ଲଡ୍‌ କନ୍‌ଭେନ୍‌ସନ୍‌ ସେଣ୍ଟର୍‌ରେ ଆୟୋଜିତ ଏହି ପ୍ରସିଦ୍ଧ ସୁନ୍ଦରୀ ପ୍ରତିଯୋଗିତାରେ ଅଭିନେତ୍ରୀ ନେହା ଧୁପିଆ, ଡିନୋ ମୋରିଆ, ମଲାଇକା ଅରୋରା, ଡିଜାଇନର୍‌ ରୋହିତ ଗାନ୍ଧୀ ଓ ରାହୁଲ ଖନ୍ନା, କୋରିଓଗ୍ରଫର୍‌ ଶାମକ ଡାବର ଓ ପୂର୍ବତନ କ୍ରିକେଟର୍‌ ମିତାଲି ରାଜ ପ୍ରମୁଖ ଜୁରି ସଦସ୍ୟ ଭାବେ ଯୋଗ ଦେଇଥିଲେ।

ଏହାର ଆୟୋଜକ ଭର୍ଚୁଆଲ୍‌ ଅଡିସନ୍ ମାଧ୍ୟମରେ ଦେଶବ୍ୟାପୀ ପ୍ରତିଭାବାନ ପ୍ରତିଯୋଗୀଙ୍କ ଅନ୍ବେଷଣ କରି ୩୧ ଜଣ ରାଜ୍ୟସ୍ତରୀୟ ବିଜେତ୍ରୀଙ୍କୁ ଚୟନ କରିଥିଲେ। ଏହି ମନୋନୀତ ପ୍ରତିଯୋଗୀମାନେ ମୁମ୍ବାଇ ଆସି କଠିନ ପ୍ରଶିକ୍ଷଣ ଓ ଆଚରଣ ବିକାଶ ଅଧିବେଶନର ସମ୍ମୁଖୀନ ହେବା ପରେ ଶେଷରେ ଏହି ଆଡ଼ମ୍ବରପୂର୍ଣ୍ଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କୃତି ସେନନ, ଲୌରେନ ଗୋଟ୍‌ଲିଏବ୍‌ ଓ ଆସ୍‌ ଚାଣ୍ଡଲର୍‌ ପ୍ରମୁଖ ତାରକା ନୃତ୍ୟ ପରିବେଷଣ କରିଥିଲେ। ଅଭିନେତା ମନୀଷ ପାଲ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଥିଲେ। ଏହି କାର୍ଯ୍ୟକ୍ରମଟି ଆସନ୍ତା ୧୭ ତାରିଖରେ କଲର୍ସ ଟିଭିରେ ପ୍ରସାରିତ ହେବ।

୨୧ ବର୍ଷୀୟା ସିନୀଙ୍କ ମୂଳ ଘର କର୍ଣ୍ଣାଟକରେ; ତେବେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ କୁହନ୍ତି ତାଙ୍କ ପାଇଁ ନୃତ୍ୟ ହେଉଛି ଖୁସିର ଏକ ଅସରନ୍ତି ସ୍ରୋତ। ତାଙ୍କୁ ମାତ୍ର ଚାରି ବର୍ଷ ହୋଇଥିବା ବେଳୁ ସେ ନୃତ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ସେ ଶାସ୍ତ୍ରୀୟ ନୃତ୍ୟ ଭରତନାଟ୍ୟମରେ ମଧ୍ୟ ପାରଙ୍ଗମ। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆଦର୍ଶ ଓ ପ୍ରେରଣାର ସ୍ରୋତ ବୋଲି ସେ ଅତୀତରେ ସ୍ବୀକାର କରିଛନ୍ତି। ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିସାରିଥିବା ସିନୀ ଏବେ ଚାର୍ଟାଡ୍‌ ଫାଇନାନ୍‌ସିଆଲ୍ ଆନାଲିଷ୍ଟ ନାମକ ଏକ ପେସାଦାର ପାଠ୍ୟକ୍ରମରେ ଅଧ୍ୟୟନରତ। ଆଗକୁ ସେ ୭୧ତମ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ବ କରିବେ। ସେଥିରେ ସିନୀ ନିଜ ଆଦର୍ଶ ପ୍ରିୟଙ୍କାଙ୍କ ସଫଳ​ତା ଦୋହରାଇପାରୁଛନ୍ତି କି ନାହିଁ ତାହା ଦେଖିବାକୁ ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe