ପୂର୍ବତନ ମିସ୍‌ ଇଣ୍ଡିଆ ନତାଶା ସୂରୀ ଆଶ୍ବସ୍ତ ! ଏବେ ବିଳମ୍ବିତ ମାତୃତ୍ବ ସମ୍ଭବ

Advertisment
ପୂର୍ବତନ ମିସ୍‌ ଇଣ୍ଡିଆ ନତାଶା ସୂରୀ ଆଶ୍ବସ୍ତ ! ଏବେ ବିଳମ୍ବିତ ମାତୃତ୍ବ ସମ୍ଭବ

ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଣ୍ଡିଆ ନତାଶା ସୂରୀ ନିକଟରେ ତାଙ୍କ ଡିମ୍ବାଣୁଗୁଡ଼ିକୁ ହିମୀକୃତ ଅବସ୍ଥାରେ ସଂରକ୍ଷିତ କରାଇଛନ୍ତି। ସେ ବାସ୍ତବରେ ମାତୃତ୍ବଲାଭ କରିବା ବିରୋଧରେ ନାହାନ୍ତି, ବରଂ ସେଥିପାଇଁ ସେ ବେଶ୍ ଉତ୍ସୁକ। ମାତ୍ର ସେ ଉଚିତ ସମୟ ଏବଂ ଉପଯୁକ୍ତ ଜୀବନସାଥୀଙ୍କ ସହିତ ପରିବାର ଆରମ୍ଭ କରିବାକୁ ଚାହାନ୍ତି। ଏବେ ଯେହେତୁ ସେ ନିଜ କ୍ୟାରିୟର୍‌ ନେଇ ବ୍ୟସ୍ତ ଅଛନ୍ତି, ମାତୃତ୍ବଲାଭ କରି ଶିଶୁର ଯତ୍ନ ନେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ଅନୁଭବ କରନ୍ତି। ତେଣୁ ନିଜର ଡିମ୍ବାଣୁ ସଂରକ୍ଷଣର ନିଷ୍ପତ୍ତି ପରେ ୩୩ ବର୍ଷୀୟା ନତାଶା ଆଶ୍ବସ୍ତିର ନିଶ୍ବାସ ମାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଧୁନିକ ଡାକ୍ତରୀ ପଦ୍ଧତିରେ ହିମୀକୃତ ଡିମ୍ବାଣୁ ସାହାଯ୍ୟରେ ଜୀବନର ବିଳମ୍ବିତ ପର୍ଯ୍ୟାୟରେ ଗର୍ଭଧାରଣ କରିବା ସମ୍ଭବ ହୋଇଥାଏ।

ମାତୃତ୍ବଲାଭ କରିବା ଜୀବନର ଏକ ବଡ଼ ନିଷ୍ପତ୍ତି ହୋଇଥିବାରୁ ସାମାଜିକ ଚାପ ସମ୍ମୁଖରେ ହାର ନ ମାନି ମହିଳାମାନେ ସୁଚିନ୍ତିତ ନିଷ୍ପତ୍ତି ନିଅନ୍ତୁ ବୋଲି ନତାଶାଙ୍କର ମତ।ତେଣୁ ୩୦ରୁ ୪୦ ବର୍ଷ ବୟସ ଗୋଷ୍ଠୀରେ ଆସୁଥିବା ଯେଉଁ ମହିଳା ମାନସିକ ସ୍ତରରେ ପିଲା ଜନ୍ମ କରିବାକୁ ବର୍ତ୍ତମାନ ପ୍ରସ୍ତୁତ ନାହାନ୍ତି ବା ନିଜ କ୍ୟାରିୟର ଗଢ଼ିବାରେ ବ୍ୟସ୍ତ ଅଛନ୍ତି ସେମାନେ ଏହି ପ୍ରକ୍ରିୟାର ସୁବିଧା ନେବା ଉଚିତ ବୋଲି ନତାଶା ଉପଦେଶ ଦେଇଛନ୍ତି। ସେହିପରି ପୋଷ୍ୟ ସନ୍ତାନ ଗ୍ରହଣ କରିବା ମଧ୍ୟ ଏକ ସୁନ୍ଦର ବିକଳ୍ପ ବୋଲି ନତାଶା ବିଶ୍ବାସ କରନ୍ତି। ତେବେ ତାଙ୍କ ଦୃଷ୍ଟିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନାରୀ ଦୂରଦୃଷ୍ଟିସମ୍ପନ୍ନ ହୋଇ ଭବିଷ୍ୟତର ସମସ୍ତ ସମ୍ଭାବନାକୁ ଉନ୍ମୁକ୍ତ ରଖିବା।

ନତାଶା ୨୦୦୬ରେ ଫେମିନା ମିସ୍‌ ଇଣ୍ଡିଆ ଵାର୍ଲଡ୍‌ ମୁକୁଟ ପିନ୍ଧିଥିଲେ। ସେ ଅତୀତରେ ତରୁଣ ତହିଲିୟାନୀ, ରୋହିତ ବଳ, ନୀତା ଲୁଲ୍ଲାଙ୍କ ପରି ଡିଜାଇନର୍‌ଙ୍କ ପାଇଁ ମଡେଲିଂ କରିଛନ୍ତି। ୨୦୧୬ରେ ମାଲୟାଲମ୍ ଚଳଚ୍ଚିତ୍ର ‘କିଙ୍ଗ ଲିୟାର’ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ। ପରେ ‘ଭିର୍ଜିନ ଭାନୁପ୍ରିୟା’, ‘ଇନ୍‌ସାଇଡ୍‌ ଏଜ୍’ ଆଦି ଧାରାବାହିକରେ ସେ ଅଭିନୟ କରିଥିଲେ। ଶେଷ ଥର ତାଙ୍କୁ ବିପାଶା ବସୁ ଓ କରନ ସିଂହ ଗ୍ରୋଭରଙ୍କ ସହ ‘ଡେଞ୍ଜୋରସ୍‌’ରେ ଦେଖିବାକୁ ମିଳିଥିଲା। ଆସନ୍ତା ସେପ୍‌ଟେମ୍ବର ମାସରେ ତାଙ୍କ ଅଭିନୀତ ‘ଟିପ୍‌ସି’ ଶୀର୍ଷକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଅଛି। ଏହି ଚଳଚ୍ଚିତ୍ରର କାହାଣୀ ପାଞ୍ଚ ଜଣ ଯୁବତୀଙ୍କ ଗୋଆ ଯାତ୍ରା ଉପରେ ପର୍ଯ୍ୟବସିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe