ବେଙ୍ଗାଲୁରୁ: ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲ୍କୁ ଯିବାରୁ ବଞ୍ଚିତ ହୁଅନ୍ତି। ଇଚ୍ଛା ଥାଇ ମଧ୍ୟ ଟଙ୍କା ଅଧିକ ରହୁଥିବାରୁ ସେମାନେ ଭଲ ପରଦା ବା ଭଲ ସାଉଣ୍ଡ୍ ଥିବା ହଲ୍କୁ ଯାଇପାରନ୍ତି ନାହିଁ। ହେଲେ ଏବେ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ମାତ୍ର ୨୦୦ଟଙ୍କାରେ ସବୁ ସିନେମା ହଲରେ ଲୋକେ ଫିଲ୍ମ ଦେଖିପାରିବେ କହିଛନ୍ତି କର୍ଣ୍ଣାଟକ ସରକାର। ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ।
କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବ ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ ।
କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଦିନ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ପାଇଁ ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ ।
ରାଜ୍ୟ ସରକାର ଏନେଇ ଲୋକଙ୍କଠାରୁ ୧୫ ଦିନ ମଧ୍ୟରେ ପରାମର୍ଶ ଓ ଅଭିଯୋଗ ମାଗିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି, କୌଣସି ବି ବ୍ୟକ୍ତି ଏନେଇ ପରାମର୍ଶ ଓ ଅଭିଯୋଗ ଦାଖଲ କରିପାରିବେ, ଏହା ପରେ ଯାଇ ସରକାର ଶେଷ ନିଷ୍ପତ୍ତି ନେବେ।
Follow Us