ମୁମ୍ବାଇ: ଦକ୍ଷିଣୀ ସୁପରଷ୍ଟାର ନାଗାର୍ଜୁନଙ୍କୁ ନେଇ ଗୋଟିଏ ଖବର ଆଜି ସକାଳୁ ଭାଇରାଲ୍ ହୋଇଥିଲା। କେତେକ ୱେବଚାନେଲ୍ ଓ ଟିଭି ଚାନେଲରେ ପ୍ରସାରିତ ଉକ୍ତ ଖବର ଅନୁସାରେ ପୁଅ ନାଗା ଚୈତନ୍ୟ ଓ ବୋହୂ ସାମନ୍ଥାଙ୍କ ଛାଡ଼ପତ୍ର ନିଷ୍ପତ୍ତି ନେଇ ନୀରବତା ଅବଲମ୍ବନ କରୁଥିବା ନାଗାର୍ଜୁନ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ମାତ୍ର ଏହି ଖବରକୁ ମିଛ ଓ ମନଗଢ଼ା ବୋଲି ସ୍ପଷ୍ଟ କରିଛନ୍ତି ନାଗାର୍ଜୁନ। ଏଥିସହ ଗୁଜବ ଖବର ପୋଷ୍ଟ ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
ପ୍ରକାଶିତ ଖବର ଅନୁସାରେ ନାଗାର୍ଜୁନ ମନୋରଞ୍ଜନଧର୍ମୀ ଖବର ପ୍ରକାଶ କରୁଥିବା ପୋର୍ଟାଲ୍ ‘ଇଣ୍ଡିଆଗ୍ଲିଜ୍’କୁ ଏକ ସାକ୍ଷାତକାର ଦେଇ ପ୍ରକାଶ କରିଛନ୍ତି କି ବୋହୂ ସାମନ୍ଥା ପ୍ରଥମେ ଛାଡ଼ପତ୍ର ଲାଗି ଆବେଦନ କରିଥିଲେ। ନାଗା ଚୈତନ୍ୟ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନେଇଥିଲେ ହେଁ ନାଗାର୍ଜୁନଙ୍କୁ ନେଇ ସେ ଚିନ୍ତିତ ଥିଲେ। ଏହି ଘଟଣାରେ ସେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବେ ଅଥବା ତାଙ୍କ ଛାଡ଼ପତ୍ର ନିଷ୍ପତ୍ତି ବାପାଙ୍କ ସାମାଜିକ ସମ୍ମାନରେ ଆଞ୍ଚ ଆଣିବ କି, ଏସବୁ ଭାବି ନାଗା ଚୈତନ୍ୟ ବିଚଳିତ ଥିଲେ ବୋଲି ନାଗାର୍ଜୁନ କହିଥିବା ପ୍ରସାରିତ ହୋଇଥିଲା।
ତେବେ ଏହି ସାକ୍ଷାତକାରଭିତ୍ତିକ ଖବରକୁ ମିଛ ଖବର ଓ ସଂପୂର୍ଣ୍ଣ ବକୱାସ୍ ବୋଲି କହିଛନ୍ତି ନାଗାର୍ଜୁନ। ସାମନ୍ଥା ଓ ନାଗା ଚୈତନ୍ୟଙ୍କ ବିଚ୍ଛେଦ ନେଇ ମୋର ଯେଉଁ ମତାମତ ସୋସିଆଲ୍ ମିଡିଆ ଓ ଟିଭି ଚାନେଲରେ ପ୍ରକାଶ ପାଇଛି ତାହା ‘ଫେକ୍’ ଓ ‘ଆବସଲ୍ୟୁଟ୍ ନନସେନ୍ସ’ ବୋଲି ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ନାଗାର୍ଜୁନ। ସେ ଏଭଳି ସାକ୍ଷାତକାର କାହାକୁ ଦେଇ ନାହାନ୍ତି ବୋଲି କହିଛନ୍ତି।
Follow Us