ଘରୋଇ ହିଂସାକୁ ନେଇ, ନନ୍ଦିତାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର

Advertisment
ଘରୋଇ ହିଂସାକୁ ନେଇ, ନନ୍ଦିତାଙ୍କ କ୍ଷୁଦ୍ର ଚଳଚ୍ଚିତ୍ର

ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଲିସିନ୍‌ ଟୁ ହର୍‌’ ଘରେ ରହି ପ୍ରସ୍ତୁତ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ କେବଳ ଭାରତ ନୁହେଁ, ଅନ୍ତର୍ଜା‌ତୀୟସ୍ତରରେ ମଧ୍ୟ ଘରୋଇ ହିଂସା ବଢ଼ିଛି। ତେବ‌େ ଏହା ବିରୋଧରେ ମହିଳାମାନେ ସ୍ବର ଉତ୍ତୋଳନ କରିବା ସହ ଥାନାରେ ଏତଲା ଦେବାକୁ ଚଳଚ୍ଚିତ୍ର ମାଧ୍ୟମରେ ସେ ବାର୍ତ୍ତା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଭାରତରେ ଘରୋଇ ହିଂସା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଜାତୀୟ ମହିଳା କମିସନଙ୍କ ରିପୋର୍ଟ ଉପରେ ଆଖି ପକାଇଲେ ଏହା ସ୍ପଷ୍ଟ ହେଉଛି। କମିସନ୍‌ଙ୍କ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୩ରୁ ଏପ୍ରିଲ ୧୬ ମଧ୍ୟରେ ସାରା ଦେଶରେ ୨୩୯ଟି ଘରୋଇ ହିଂସା ମାମଲା ରୁଜୁ ହୋଇଛି। କିନ୍ତୁ ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ରୁଜୁ ହୋଇଥିବା ଘରୋଇ ହିଂସା ମାମଲା ହେଉଛି ମାତ୍ର ୧୨୩। ଏହି ରିପୋର୍ଟକୁ ତୁଳନା କଲେ ଜଣାପଡ଼ୁଛି, ଲକ୍‌ଡାଉନ୍‌ ସମୟରେ ଘରୋଇ ହିଂସା ଦ୍ବିଗୁଣିତ ହୋଇଛି।

ଏହି ଚଳଚ୍ଚିତ୍ରକୁ ୟୁ-ଟ୍ୟୁବ୍‌ରେ ସେୟାର କରିବା ସହ ନନ୍ଦିତା ଲେଖିଛନ୍ତି, ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଏବେ ଏକ ବ୍ୟଙ୍ଗୋକ୍ତି ପାଲଟିଛି। ଭିଡିଓରେ ମହିଳାମାନଙ୍କୁ ସ୍ବର ଉଠାଇବାକୁ କୁହାଯାଇଛି। ଜଣେ ମହିଳାଙ୍କ ପାଇଁ ମୁହଁ ଖୋଲିବା ସେତେବେଳେ ସମ୍ଭବ, ଯେତେବେଳେ ସେ ଜାଣିବେ ଯେ ତାଙ୍କୁ କେହି ଶୁଣୁଛନ୍ତି। ଏହି ଚଳଚ୍ଚିତ୍ର ଆମକୁ ଏହି କଥା ହିଁ ମନେ ପକାଇ ଦେଉଛି ବୋଲି ନନ୍ଦିତା କହିଛନ୍ତି। ଚଳଚ୍ଚିତ୍ରର ରଚନା, ପ୍ରଯୋଜନା ଓ ନିର୍ଦ୍ଦେଶନା ନିଜେ ନନ୍ଦିତା ଦାସ ଦେଇଥିବା ବେଳେ ସେଥିରେ ସେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ୟୁନେସ୍କୋ, ୟୁଏନ୍‌ଏଫ୍‌ପିଏ, ୟୁନିସେଫ୍‌, ୟୁଏନ୍‌ ଓମେନ୍ ଓ ସାଉଥ୍‌ ଏସିଆ ଫାଉଣ୍ଡେସନ୍‌ର ସହଯୋଗ ମିଳିଛି। ଏ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ ଏହାକୁ ପ୍ରାୟ ୫୦୦୦ ଲୋକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe