ହାଇଦ୍ରାବାଦ: ରବିବାର ଦିନ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ହାଇଦ୍ରାବାଦସ୍ଥିତ ଘର ଉପରେ ଆକ୍ରମଣ କରାଯାଇଥିଲା। ଓସମାନିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିବାକୁ ଆସିଥିଲେ। ସେମାନେ ଅଲୁ ଅର୍ଜୁନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଅଲୁ ଅଜୁର୍ନଙ୍କୁ ଦେଖିବା ପାଇଁ ପ୍ରେକ୍ଷାଳୟ ଆଗରେ ଭିଡ ଜମିବାରୁ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦେବାକୁ ଦାବି କରି ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଘର ଉପରେ ଆକ୍ରମଣ ହେବା ଦେଖି ଅଭିନେତା ନିଜ ପରିବାରକୁ ନେଇ ଘରୁ ବାହାରକୁ ଚାଲିଯାଇଥିଲେ।
ଏସବୁ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଅଲୁ ଅର୍ଜୁନଙ୍କ ଘର ଓ ସେ କେତେ କୋଟିର ମାଲିକ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଲ୍ଲୁ ଏବେ ୪୬୦କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କର ବାର୍ଷିକ ଆୟ ୯୦କୋଟି ଟଙ୍କା ହୋଇଥିବା ବେଳେ ପ୍ରତି ଚଳଚ୍ଚିତ୍ର ପାଇଁ ସେ ୬୫କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି, ଯାହା ଏବେ ୩୦୦କୋଟିକୁ ବଢ଼ିଥିବା କୁହାଯାଉଛି। ୧୨ଟି ବ୍ରାଣ୍ଡର ସେ ବ୍ରାଣ୍ଡ ଆମ୍ବାସାଡର ଥିବା ବେଳେ ବ୍ରାଣ୍ଡର ପ୍ରତିଟି ପ୍ରମୋସନ ପାଇଁ ୧୦କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି ଅଲ୍ଲୁ। ଏହା ବ୍ୟତୀତ ହାଇଦ୍ରାବାଦରେ ୧୫୦୦୦ ସ୍କୋୟାର ଫିଟରେ ତାଙ୍କର ଏକ ବଡ଼ ଘର ରହିଛି, ଯାହାର ମୂଲ୍ୟ ୪୦କୋଟି। ଏହା ସହ ସେ ହାଇଦ୍ରାବାଦରେ ଓ ହାଇଦ୍ରାବାଦ ପାଖାପାଖି ୬୦କୋଟି ଟଙ୍କାର ଜମି କିଣିଛନ୍ତି।
ତାଙ୍କ ପାଖରେ ବିଭିନ୍ନ ଦାମୀ କାର୍ ରହିଥିବା ବେଳେ ୭କୋଟି ଟଙ୍କାର ଏକ ଭ୍ୟାନିଟି ଭ୍ୟାନ୍ ରହିଛି। କାର୍ ସହ ଏକ ପ୍ରାଇଭେଟ ଜେଟର ମାଲିକ ଅଟନ୍ତି ଅଲ୍ଲୁ। ତାଙ୍କ ପାଖରେ ୮୦କୋଟି ଟଙ୍କାର ପ୍ରାଇଭେଟ ଜେଟ ରହିଛି, ଯାହାକୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ରଖାଯାଇଛି। ବାହାରକୁ ଯିବାର ଥିବା ବେଳେ ଅଲ୍ଲୁ ଏହି ବିମାନରେ ପରିବାର ସହ ଯାତ୍ରା କରନ୍ତି।
Follow Us