ଏହି ଓଡ଼ିଆ ସିନେମାର କାହାଣୀର ମୂଳରେ ନାହିଁ ନାୟକ- ନାୟିକାଙ୍କ ପ୍ରେମ, ରହିଛି ଏକ ମୋଟର ସାଇକଲ୍‌

ଏହି ଓଡ଼ିଆ ସିନେମାର କାହାଣୀର ମୂଳରେ ନାହିଁ ନାୟକ- ନାୟିକାଙ୍କ ପ୍ରେମ, ରହିଛି ଏକ ମୋଟର ସାଇକଲ୍‌

ଭୁବନେଶ୍ୱର: ଏ ବର୍ଷ ରିଲିଜ୍‌ ହେବ ଓଡ଼ିଆ ସିନେମା ‘ଡାର୍ଲିଂ’। ଏହାର କାହାଣୀର ମୂଳରେ ରହିଛି ଏକ ମୋଟର ସାଇକଲ୍‌ । ଫିଲ୍ମର ହିରୋର ସବୁଠୁ ପ୍ରିୟ ହେଉଛି ତାର ମୋଟର ସାଇକଲ୍‌ । ସେ ଏକ ଅଫିସ୍‌ ରେ କାମ କରେ। ଦିନେ ନାୟକ ଅଫିସ୍‌ ଆଗରେ ନିଜର ମୋଟର ସାଇକଲ୍‌ ଟି ରଖି କାମ କରୁଥାଏ। କିଛି ସମୟ ପରେ ଅଫିସ୍‌ ସମ୍ମୁଖରେ ଜଣେ କର୍ପୋରେଟର୍‌ ଙ୍କର ହତ୍ୟା ହୁଏ । ହତ୍ୟାକାରୀ ନାୟକର ମୋଟର ସାଇକଲ୍‌ ଧରି ଫେରାର ହୋଇଯାଏ।
ନିଜର ପ୍ରିୟ ବାଇକ୍‌ଟିକୁ ଯେତେବେଳେ ନାୟକ ବହୁ ଖୋଜାଖୋଜି ପରେ ମଧ୍ୟ ପାଏନା ସେତେବେଳେ ସେ ବ୍ୟତିବ୍ୟସ୍ତ ହୋଇପଡ଼େ ଏବଂ ଥାନାରେ ଏ ସଂପର୍କରେ ଅଭିଯୋଗ କରେ। ପୋଲିସ୍‌ ଅନୁସଂଧାନ କରିବାପରେ ଜାଣିବାକୁ ପାଏ ଯେ ସେ ଅଞ୍ଚଳର କୁଖ୍ୟାତ ଚୋରା ବେପାରୀ ମୋଟର ସାଇକଲ୍‌ ନେଇ ଚାଲିଯାଇଛି। ଉକ୍ତ ପୋଲିସ୍‌ ଅଫିସର୍‌ ଜଣକ ଚୋରା ବେପାରୀଠାରୁ ମାସିକିଆ ବଟି ନେଉଥିବା କାରଣରୁ ସେ ଏଘଟଣାରେ ମୁଣ୍ଡ ଖେଳାନ୍ତି ନାହିଁ। ତେବେ ନାୟକ କିପରି ତାର ଅତି ପ୍ରିୟ ବାଇକ୍‌ଟିକୁ ଫେରି ପାଇବାରେ ସଫଳ ହୁଏ ଏବଂ ତାଭିତରେ କି ରହସ୍ୟ ରହିଛି ତାହା ଜାଣିବା ଲାଗି ଆପଣଙ୍କୁ ଫିଲ୍ମ ‘ଡାର୍ଲିଂ’ ରିଲିଜ୍‌ ହେବାଯାଏଁ ଅପେକ୍ଷା କରିବାକୁ ପଡ଼ିବ।

publive-image
ଏଥିରେ ଦର୍ଶକଏକ ନୂଆ ଯୋଡିକୁ ଭେଟିବେ। ସେମାନେ ହେଲେ ବରଦାପ୍ରସନ୍ନ ଜେନା-ସୁଶ୍ରୀ। ଏହି ସିନେମାରେ ନବାଗତ ବରଦାପ୍ରସନ୍ନ ଜେନା ନାୟକ ଭୂମିକାରେ ଅବତୀର୍ଣ ହୋଇଛନ୍ତି ଏବଂ ସୁଶ୍ରୀ ନାୟିକା ସାଜିଛନ୍ତି। ଏତଦବ୍ୟତୀତ ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା,ଅସିତ ପତି , ପୀୟୁଷ ଏବଂ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି । ଆସିବୁ କେବେ ସାଜି ମୋ ରାଣୀ, ମୁଁ ଦିଓ୍ଵାନା ତୋ ପାଇଁ , ସାହିତ୍ୟ ଦିଦି, ଆଦିର ନିର୍ଦେଶନା ଦେଇଥିବା ମନୋରଞ୍ଜନ ପାଲ୍‌ ଏହି ସିନେମାର ନିର୍ଦ୍ଦେଶକ । ଜଣାଶୁଣା ସଂଳାପକାର ଡ଼ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଂଗୀତକାର ଦୀପକ କୁମାର ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଏହାର ପୋଷ୍ଟ ପ୍ରଡକସନ୍‌ କାମ ସରିଛି ଏବଂ ଏ ବର୍ଷ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe