ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ ଚୈତ୍ର’

Advertisment
ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ ଚୈତ୍ର’

ଚଳିତ ମାସ ଦ୍ବିତୀୟ ସପ୍ତାହରେ ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ ଚୈତ୍ର’। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପାର୍ଥସାରଥୀ ରାୟ, ଅନନ୍ୟା ମିଶ୍ର ଓ ବିଏମ୍ ବୈଶାଳୀ। ଏମାନଙ୍କ ବ୍ୟତୀତ ଏଥିରେ ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ବତୀ ବସୁ, ପ୍ରଣବ ପ୍ରସନ୍ନ, ମନୀଷା ମଞ୍ଜରୀ, ଓ ଚନ୍ଦନ ବିଶ୍ବାଳ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତିି ପିନାକୀ ସିଂହ ଓ ଶିଶିର କୁମାର ସାହୁ। ଏଥିରେ ସହକାରୀ ପ୍ରଯୋଜକ ତଥା ନିବେଦକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ଅଭିନେତା ବାବୁସାନ୍। ଏହାର କାହାଣୀ ସୁଲଗ୍ନା ମହାନ୍ତି ରଚନା କରିଥିବା ବେଳେ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରଣବ ପ୍ରସନ୍ନ ରଥ।

କାହାଣୀରେ ପାଞ୍ଚଟି ଗୀତ ରହିଛି। ଶୀର୍ଷକ ଗୀତ ରହିଛି ‘ଫାଲଗୁନ ଚୈତ୍ର’। ଏହା ବ୍ୟତୀତ ‘ସ୍ମତି ବୁଣିଯାଏ ଜୀବନ’, ‘ଖୋଜି ଯାଏରେ’, ‘ସଖା’ ଓ ‘ପରିଚୟ’ ଗୀତ ରହିଚି। ଏବେ ୟୁଟ୍ୟୁବରେ ‘ସ୍ମୃତି ବୁଣିଯାଏ ଜୀବନ’ ଏବଂ ‘ପରିଚୟ’ ଦୁଇଟି ଗୀତ ଶ୍ରୋତା-ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହେଇଛି। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ-ଈଶାନ୍-କୌଶିକ୍ ଏବଂ ଚିତ୍ରୋତ୍ତୋଳନ କରିଛନ୍ତି ରୁଦ୍ରକାନ୍ତ ସିଂହ। ସମ୍ପାଦନା କରିଛନ୍ତି ରଶ୍ମିରଂଜନ ଦାଶ।

ଚଳଚ୍ଚିତ୍ରର ନାୟିକା ଜଣେ ଆର୍କିଟେକ୍‌ଟ। ଗୃହ ନିର୍ମାଣ, ବାସ୍ତୁକଳା, ସ୍ଥପତିରେ ସେ ନିପୁଣା। ପାହାଡ଼ି ଅଞ୍ଚଳରେ ଥିବା ଛୋଟ ସହରରେ ଏକ ପ୍ରାଚୀନ କୋଠାର ପୁନଃନିର୍ମାଣ ଦାୟିତ୍ବ ନେଇଛନ୍ତି ନାୟିକା କାବ୍ୟା। ସେଠାରେ କାବ୍ୟାଙ୍କର ସ୍ମୃତିଙ୍କର ସହ ଭେଟ ହୁଏ। ସ୍ମୃତି ଜଣେ ଇଣ୍ଟେରିୟର ଡେକୋରେଟର ଏବଂ ଉକ୍ତ କୋଠାର ମାଲିକଙ୍କ ଝିଅ। କାମ କରିବା ବେଳେ ଏମାନେ ଉଭୟ ପ୍ରେମରେ ପଡ଼ନ୍ତି। ହେଲେ ପରବର୍ତ୍ତୀ ସମୟରେ ଏମିତି ଘଟଣା ଘଟେ ଯାହା ଉଭୟଙ୍କ ଜୀବନର ମୋଡ଼ ବଦଳାଇଦିଏ। ମୌଳିକ ଓଡ଼ିଆ କାହାଣୀ, ମନଛୁଆଁ ଗୀତ ଏବଂ କଳାକାରଙ୍କ ବାସ୍ତବ ଅଭିନୟ ଚଳଚ୍ଚିତ୍ରଟିକୁ ‌ସରସ ସୁନ୍ଦର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe