ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ନୂଆବର୍ଷର ନିଆରା ନାରା

Advertisment
ଦିନେ ଟ୍ରେନ ଆଗକୁ ଡେଇଁପଡ଼ିବାକୁ ଭାବିଥିଲେ ମୃଣାଳ

The Indian Express

ଦୀର୍ଘ ଆଠ ବର୍ଷର ଫିଲ୍ମ କ୍ୟାରିଅର ଭିତରେ ମାତ୍ର ଆଠଟି ସିନେମାରେ ଅଭିନୟ କରିଥିବା ସତ୍ତ୍ବେ ଦୁଇ ଦୁଇ ଥର ଜାତୀୟସ୍ତରୀୟ ସିନେ ପୁରସ୍କାର ଲାଭ କରିଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କ ପାଇଁ ଚଳିତବର୍ଷ ପୂର୍ବାପେକ୍ଷା ଅଧିକ ଲୋକପ୍ରିୟତା ଆଣିଦେବ ବୋଲି ଆଶା କରାଯାଏ। କାରଣ ପୂର୍ବରୁ ବର୍ଷକୁ ସେ ଦର୍ଶକଙ୍କୁ ହାରାହାରି ଗୋଟିଏ ଫିଲ୍ମ ଭେଟି ଦେଇଥିବା ବେ​ଳେ ଏ ବର୍ଷ ପ୍ରଥମାର୍ଦ୍ଧରେ ତାଙ୍କ ଅଭିନୀତ ୪ଟି ହିନ୍ଦୀ ଚଳଚ୍ଚିତ୍ର ଓ ଗୋଟିଏ ତେଲୁଗୁ ସିନେମା ମୁକ୍ତିଲାଭ କରିବାକୁ ଅଛି। ତେଣୁ ଏଥିପାଇଁ ଭୀଷଣ ଭାବରେ ଉତ୍ସାହିତ ଥିବା ମୃଣାଳ ଏ ବର୍ଷ ସେହି ଫିଲ୍ମଗୁଡ଼ିକରେ ଖୁନ୍ଦି ହୋଇଥିବା ଭିନ୍ନ ଧରଣର ମନୋରଞ୍ଜନ ପ୍ରଶଂସକମାନଙ୍କୁ ପରଷିବେ ବୋଲି ସୂଚନା ଦେଇଛନ୍ତି। ତେଣୁ ନୂଆ ବର୍ଷ ତାଙ୍କ ପାଇଁ ନିଆରା ନାରା ଖଞ୍ଜି ରଖିଛି ବୋଲି ସେ ଇସାରା କରିଛନ୍ତି।

publive-image India TV News

ମହାରାଷ୍ଟ୍ରର ଧୁଲେ ଠାରେ ୧୯୯୨ ଅଗଷ୍ଟ ପହିଲାରେ ଜନ୍ମିତ ମୃଣାଳ ଉଭୟ ଗଣମାଧ୍ୟମ ପାଠ୍ୟକ୍ରମ ଓ ବୈଷୟିକ ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତେବେ କିଶୋରାବସ୍ଥାରୁ ଫେସନ ଦୁନିଆଁ ପ୍ରତି ଏକ ଅହେତୁକ ଦୁର୍ବଳତା ରହିଥିବା ମୃଣାଳଙ୍କୁ ପାଠ ପଢ଼ିବା ଭିତରେ ୨୦୧୨ ମସିହାରେ ଷ୍ଟାର ପ୍ଲସ୍‌ ଟିଭି ଚ୍ୟାନେଲ୍‌ର ଧାରାବାହିକ ‘ମୁଝ୍‌ସେ କୁଛ୍‌ କେହେତି... ୟେ ଖାମୋସିୟାଁ’ରେ ପ୍ରଥମ ଅଭିନୟ ପାଇଁ ସୁଯୋଗ ମିଳିଥିଲା। ଏହାର ଆଶାତୀତ ଲୋକପ୍ରିୟତା ତାଙ୍କ ପାଇଁ ୨୦୧୩ରେ ପରବର୍ତ୍ତୀ ଟିଭି ଧାରାବାହିକ ‘ହର ଯୁଗ ମେଁ ଆୟେଗା ଏକ- ଅର୍ଜୁନ’ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ପକ୍କା କରିଦେଇଥିଲା। ଏହାପରେ ସେ ୨୦୧୬ ଯାଏ ବିଭିନ୍ନ ଧାରାବାହିକରେ ନିଜର ଚମତ୍କାରିତା ପରିବେଷଣ କରି ଟିଭି ପରଦାରୁ ଏକ ରକମ ବିଦାୟ ନେଇଯାଇଥିଲେ। ଅପରପକ୍ଷେ, ୨୦୧୪ରେ ସେ ଦୁଇଟି ମରାଠୀ ସିନେମା ମାଧ୍ୟମରେ ସିନେ ଜଗତ୍‌ରେ ନିଜର ଅଭିନୟ ଦକ୍ଷତା ପରଖିଥିବା ବେଳେ ଅସଲ ଲୋକପ୍ରିୟତା ହାସଲ କରିଥିଲେ ହିନ୍ଦୀ ଓ ଇଂରାଜୀ ଭାଷାର ଆନ୍ତର୍ଜାତିକ ସିନେମା ‘ଲଭ୍‌ ସୋନିଆ’ରେ ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ‘ଲଣ୍ଡନ ଇଣ୍ଡିଆ ଫିଲ୍ମ ଫେଷ୍ଟିଭାଲ ସମ୍ମାନ’ ମିଳିଥିଲା।

publive-image filmibeat.com

ଏହାପରେ ତାଙ୍କର ହିନ୍ଦୀ ସିନେମାକୁ ପ୍ରକୃତ ପ୍ରଥମ ପଦାର୍ପଣ ହୋଇଥିଲା ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀଭିତ୍ତିକ ସିନେମା ‘ସୁପର ୩୦’ରେ। ତାହା ୨୦୧୯ରେ ଅପୂର୍ବ ବ୍ୟାବସାୟିକ ସଫଳତା ଆଣିଥିଲା। ସେହି ବର୍ଷ ମୃଣାଳ ଅଭିନୟ କରିଥିବା ‘ବାଟଲା ହାଉସ’ ଚଳଚ୍ଚିତ୍ର ମଧ୍ୟ ଅନୁରୂପ ସଫଳତା ସାଉଁଟିଥିଲା। ଏଥିପାଇଁ ତାଙ୍କୁ ୨୦୧୯ରେ ଶ୍ରେଷ୍ଠ ଉଦୀୟମାନ ଅଭିନେତ୍ରୀ ଭାବରେ ‘ଗୋଲ୍‌ଡ ଆଵାର୍ଡସ’ ମିଳିଥିଲା। ସେହିବର୍ଷ ସେ ମଧ୍ୟ ନେଟ୍‌ଫ୍ଲିକ୍ସର ୱେବ୍‌ ଧାରାବାହିକ ‘ବାହୁବଳି: ବିଫୋର୍‌ ଦି ବିଗିନିଂ’ର ଶିବଗାମୀ ଭୂମିକାରେ ଦର୍ଶକମାନଙ୍କୁ ଭରପୂର ଆପ୍ୟାୟିତ କରିପାରିଥିଲେ। ସେହିଭଳି ୨୦୨୦ରେ ତାଙ୍କର ଦ୍ବିତୀୟ ୱେବ୍‌ ପଦାର୍ପଣ ହୋଇଥିଲା ଫିଲ୍ମ ‘ଘୋଷ୍ଟ ସିରିଜ୍‌’ ମାଧ୍ୟମରେ। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କର ‘ତୁଫାନ’ ଓ ‘ଧମାକା’ ପରି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ଆଶାନୁରୂପ ଦର୍ଶକୀୟ ଆଦୃତି ଆଣିଦେଇଥିଲା। ଅଳ୍ପ ସିନେମା ହେଉ ପଛକେ, ଲୋକପ୍ରିୟତା ପରିପ୍ରେକ୍ଷୀରେ ଏଯାବତ୍‌ ସେ ନିଜର ସ୍ଥିତିକୁ ଅକ୍ଷୁଣ୍ଣ ରଖି ଆସିଥିବା ବେଳେ ଚଳିତବର୍ଷର ସଂଖ୍ୟାଧିକ ସିନେମା ତାଙ୍କ ପାଇଁ ସଫଳ ସାବ୍ୟସ୍ତ ହେଉଛି କି ନା ତାହା ସମୟ ହିଁ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe