ପାଣାଜୀ: ନବପ୍ରତିଭାମାନଙ୍କ ସୃଜନଶୀଳତା ପ୍ରଦର୍ଶନ ଲାଗି ସବୁଠୁ ଆକର୍ଷଣୀୟ ମଞ୍ଚ ରୂପେ ଖ୍ୟାତି ଅର୍ଜନ କରିଥିବା କ୍ରିଏଟିଭ୍‌ ମାଇଣ୍ଡସ୍‌ ଅଫ୍‌ ଟୁମୋରା (ଭବିଷ୍ୟତର ସୃଜନଶୀଳ ନିର୍ମାତା)-ସିଏମଓଟି ପ୍ରତିଯୋଗିତା ଶୁକ୍ରବାର ଠାରୁ ଗୋଆରେ ଆରମ୍ଭ ହୋଇଛି। ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ- ଆଇଏଫଏଫଆଇର ଅଂଶବିଶେଷ ସ୍ୱରୂପ ଆରମ୍ଭ ହୋଇଥିବା ଏହି ମଞ୍ଚରେ ଭାରତର ସବୁଠୁ ପ୍ରତିଭାସମ୍ପନ୍ନ ଏବଂ ଉଦୀୟମାନ ଯୁବ ଚଳଚ୍ଚିତ୍ର ନିର୍ମାତାମାନେ ଏକାଠି ହୋଇଛନ୍ତି। ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ୧୨୫ ଜଣ ଉଦୀୟମାନ ତାରକା। ଏହି ପ୍ରତିଯୋଗିତାରେ ଚିତ୍ରନାଟ୍ୟ ଲେଖିବା ଠାରୁ ଆରମ୍ଭ କରି କାହାଣୀକୁ ପରଦାରେ ଉତାରିବା ପର୍ଯ୍ୟନ୍ତ ସୃଜନଶୀଳତା, ସହଭାଗିତା ଏବଂ ସିନେମାର ଯାଦୁ ଦେଖିବାକୁ ମିଳିବ। ଏହା କେବଳ ଏକ ସାଧାରଣ ମହୋତ୍ସବ କାର୍ଯ୍ୟକ୍ରମ ନୁହେଁ, ବରଂ ଏହି ପ୍ରତିଯୋଗିତାରେ ଭବିଷ୍ୟତର ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ କଥାକାରମାନେ ସେମାନଙ୍କର ବ୍ଲକବଷ୍ଟର କାହାଣୀକୁ ଉପସ୍ଥାପନ କରିବେ।

Advertisment

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଏହି ପ୍ରତିଯୋଗିତାକୁ ଉଦଘାଟନ କରି ଅଂଶଗ୍ରହଣକାରୀଙ୍କ ଉତ୍ସାହ ଏବଂ ସୃଜନଶୀଳତାକୁ ପ୍ରଶଂସା କରିଛନ୍ତି। ୨୦୨୧ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ସ୍ଥିର ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସିଏମଓଟି ଯୁବ ନିର୍ମାତାମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚ ଯୋଗାଇ ଦେଇଛି। ସେ କହିଛନ୍ତି, ଏହି ମଞ୍ଚ ଭାରତର ଉଦୀୟମାନ ସ୍ରଷ୍ଟାମାନଙ୍କୁ ବିଶ୍ୱ ପ୍ରଯୋଜକ ଏବଂ ସୃଜନଶୀଳ ନେଟୱର୍କ ସହ ଯୋଡ଼ିପାରିଛି। ଏହା କେବଳ ଚଳଚ୍ଚିତ୍ର ନିର୍ମାଣ ଉପରେ ଆଧାରିତ ନୁହେଁ, ବରଂ ଏହା ଦେଶର ସୃଜନଶୀଳ ଭବିଷ୍ୟତକୁ ଆକାର ଦେଉଛି।

ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ

ଅଂଶଗ୍ରହଣକାରୀମାନଙ୍କୁ ୪୮ ଘଣ୍ଟିଆ ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରି ଡକ୍ଟର ମୁରୁଗନ କହିଛନ୍ତି ଏହି ପ୍ରତିଯୋଗିତାର ଉଚ୍ଚସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ନିର୍ମାତାମାନଙ୍କର ଉପରେ ଚାପ ସୃଷ୍ଟି କରିବ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି ସହିତ ଶ୍ରେଷ୍ଠ ପ୍ରଦର୍ଶନ କରିବାର ସୁଯୋଗ ଆଣିଦେବ। ନବପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା, ଭାରତର ସୃଜନଶୀଳ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ମନୋରଞ୍ଜନ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ଆଇଆଇସିଟି) ମୁମ୍ବାଇ ବିଷୟରେ ସେ ଅବତାରଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ କହିଥିଲେ ଏକ ଉଜ୍ଜ୍ୱଳ ଏବଂ ନୂତନ ଉଦ୍ଭାବନ ଆଧାରିତ ସୃଜନଶୀଳ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ସାକାର କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି।

ଆହୁରି ପଢ଼ନ୍ତୁ: IFFI Goa: ଆଇଏଫଏଫଆଇର ବିଶ୍ୱସ୍ତରୀୟ ଉଦ୍‌ଘାଟନୀ ଉତ୍ସବରେ ମୋହିତ ଗୋଆ

ଯୁବପ୍ରତିଭାମାନଙ୍କୁ ଅଭିନନ୍ଦନ

ସିଏମଓଟି ପ୍ରତିଯୋଗିତାରେ ଚୟନ ହୋଇଥିବା ଯୁବପ୍ରତିଭାମାନଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ, ସେମାନଙ୍କର ଚୟନ ଏକ ଉଲ୍ଲେଖନୀୟ ଉପଲବ୍ଧି। ଅଂଶଗ୍ରହଣକାରୀଙ୍କ ଉତ୍ସାହକୁ ପ୍ରଶଂସା କରି ସଚିବ କହିଥିଲେ, ଗତବର୍ଷ ଏହି ପ୍ରତିଯୋଗିତାରେ ଅସଧାରଣ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଅନ୍ତିମ ଚଳଚ୍ଚିତ୍ର ପ୍ରଦର୍ଶନ ଓସ୍କାର ଭଳି ହୋଇଥିଲା। ସେ ଜୋର ଦେଇ କହିଥିଲେ, ସିଏମଓଟି ବିରଳ ସହଭାଗିତାକୁ ପ୍ରୋତ୍ସାହିତ କରିଥାଏ। ଏଠାରେ ଅପରିଚିତ ଲୋକମାନେ ଚାପଯୁକ୍ତ ପରିବେଶରେ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ଲାଗି ଏକତ୍ରିତ ହୋଇଥା’ନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଭବିଷ୍ୟତର କାହାଣୀକାର ଏବଂ ବିଶ୍ୱରେ ଭାରତର ସାଂସ୍କୃତିକ ଦୂତ ରୂପେ ପ୍ରସିଦ୍ଧି ହାସଲ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଜଣେ ସିଏମଓଟି ପ୍ରତିଯୋଗୀ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ସେ ଉଲ୍ଲେଖ କରିଥିଲେ। 

ଆହୁରି ପଢ଼ନ୍ତୁ: Amit Shah: ବିଏସ୍ଏଫ୍‌ର କେବଳ ଗୋଟିଏ ଲକ୍ଷ୍ୟ ରହିଛି ଭାରତର ସୁରକ୍ଷା: ଶାହ