ଅରୁଣ ମନ୍ତ୍ରୀଙ୍କ ପରେ ଡକ୍ଟର ନିର୍ମଳ ନାୟକ ଦ୍ୱିତୀୟ ଗୀତିକାର ଭାବେ ୨୦୦ଟି ଚଳଚ୍ଚିତ୍ରରେ ଗୀତ ଲେଖିବାର ଗୌରବ ଅର୍ଜନ କରିଛନ୍ତି। ‘କାଶିଆ କପିଳା’ରୁ ଗୀତ ଲେଖା ଆରମ୍ଭ କରିଥିବା ନିର୍ମଳ ନିକଟରେ ମୁକ୍ତିଲାଭ କରିଥିବା ‘ଡେଲିଭରି ବୟ-୨’ ଜରିଆରେ ଏହି ରେକର୍ଡ ହାସଲ କରିଛନ୍ତି। ଏହା ସହିତ ସେ ୨୦୨୩ ମସିହାରେ ୨୧ଟି ଚଳଚ୍ଚିତ୍ରରେ ଗୀତ ଲେଖି ଗୋଟିଏ ବର୍ଷରେ ସର୍ବାଧିକ ଚିତ୍ରରେ ଗୀତ ଲେଖିବା ରେକର୍ଡ କରିଛନ୍ତି। ଏହାବାଦ୍ ୩୩ଟି ଚଳଚ୍ଚିତ୍ରର ସମସ୍ତ ଗୀତ ଲେଖି ସେ ସ୍ବରୁପ ନାୟକଙ୍କ ରେକର୍ଡ ଭାଙ୍ଗିଛନ୍ତି। ସ୍ୱରୁପ ନାୟକ ୩୦ଟି ଚଳଚ୍ଚିତ୍ରର ସମସ୍ତ ଗୀତ ଲେଖିଥିଲେ।
୧୯୯୯ ମସିହାରେ ସମ୍ରାଟ ମ୍ୟୁଜିକ୍ର ‘ଧସକିଗଲା’ କ୍ୟାସେଟ୍ର ଶୀର୍ଷକ ଗୀତ ଲେଖି ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏହାପରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ‘କାଶିଆ କପିଳା’ ଚଳଚିତ୍ରରେ ଅଭିଜିତ ମଜୁମ୍ଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ‘ତୁମେ ମୋ ମାନ, ତୁମେ ସୁହାଗ ଶଙ୍ଖା ସିନ୍ଦୂର...’ ଗୀତଟି ଲେଖି ଓଲିଉଡ୍ରେ ପଦାର୍ପଣ କରିଥିଲେ। ଏହାପରେ ସେ ଆଉ ଅଟକି ନାହାନ୍ତି। ଜାରି ରହିଛି ତାଙ୍କର ଗୀତିଯାତ୍ରା।
‘କାଶିଆ କପିଳା’ ସିନେମାରୁ ଦୁହେଁ ଗୀତିକାର ଭାବେ ଓଲିଉଡ୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଆଗରୁ ଅରୁଣ ମନ୍ତ୍ରୀ ୨୦୦ଟି ଚଳଚ୍ଚିତ୍ରରେ ଗୀତ ଲେଖିସାରିଥିବା ବେଳେ ନିକଟରେ ଡକ୍ଟର ନିର୍ମଳ ନାୟକ ସେହି ଲକ୍ଷ୍ୟ ହାସଲ କରିଛନ୍ତି।
ଏହି କ୍ରମରେ ସଂପ୍ରତି ମୁକ୍ତିଲାଭ କରିଥିବା ‘ଡେଲିଭରି ବୟ-୨’ ନିର୍ମଳଙ୍କର ୨୦୦ତମ ଚିତ୍ର। ଏହି ଛବିର ‘ଲୋକାଲ ମାଧୁରୀ...’ ଗୀତଟି ବେଶ୍ ଲୋକପ୍ରିୟତା ପାଇଛି। ଓଡିଶାର ପ୍ରାୟ ସମସ୍ତ ସଂଗୀତ ନିର୍ଦ୍ଦେଶକଙ୍କ ପାଇଁ ଗୀତ ଲେଖିଥିବା ନିର୍ମଳଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ଗୀତଗୁଡ଼ିକ ହେଲା- ଏ କେମିତି ଋତୁ ହେଲା..., ହାଏରେ ମୋ ନୂଆ ଓଢ଼ଣି..., ବାଳୁଙ୍ଗା ଟୋକା..., ନଡ଼ିଆ ତେଲ.., ଆଧାର କାର୍ଡ..., ରାନୁଲୋ ରାନୁ... ଇତ୍ୟାଦି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଚଳଚିତ୍ରର ‘ଆକାଶ ପଡ଼ୁଚି ଖସି, ଫାଟିଯାଏ ମାଟି..’ ଗୀତଟି ବି ଚର୍ଚ୍ଚାରେ ରହିଛି। କେବଳ ଗୀତ ନୁହେଁ, ଡକ୍ଟର ନିର୍ମଳ ନାୟକ ୪୦ରୁ ଅଧିକ ଓଡ଼ିଆ ଛବିରେ ସଂଳାପ ମଧ୍ୟ ରଚନା କରିଛନ୍ତି। ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ‘ତୁମକୁ ପାରୁନିତ ଭୁଲି’ ଚଳଚିତ୍ର ପାଇଁ ଶ୍ରେଷ୍ଠ ଗୀତିକାର ଭାବେ ରାଜ୍ୟ ସରକାରଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି।
- ଗୌରୀ ଶଙ୍କର ପଣ୍ଡା
Follow Us