ନୋରା ଫତେହିଙ୍କ ଭାରତପ୍ରୀତି

Advertisment
ନୋରା ଫତେହିଙ୍କ ଭାରତପ୍ରୀତି

ବିଦେଶରେ ଜନ୍ମ ନେବା ସହ ବିଦେଶୀ ସଂସ୍କୃତିରେ ପ୍ରତିପାଳିତ ହୋଇ ସୁଦ୍ଧା ଭାରତୀୟ ଦର୍ଶକଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଥିବା ଅଭିନେତ୍ରୀ, ନୃତ୍ୟାଙ୍ଗନା, ଗାୟିକା ମଡେଲ୍ ତଥା ପ୍ରଯୋଜିକା ନୋରା ଫତେହିଙ୍କ ଭାରତପ୍ରୀତିକୁ ତାରିଫ କରିବାକୁ ହେବ। ବିଶେଷ କରି ଭାରତୀୟ ସିନେମା ସହ ଜଡ଼ିତ ରହି ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟଲୀ ଭାଷାର ସିନେମାରେ ଅଭିନୟ ସାଙ୍ଗକୁ ବିଭିନ୍ନ ଟିଭି ରିଅଲିଟି ଧାରାବାହିକ ଓ ସଂଗୀତ ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିବା ନୋରାଙ୍କ ସୁଦୀର୍ଘ ଅଭିଜ୍ଞତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ନିଶ୍ଚୟ। ମାତ୍ର ୭ ବର୍ଷର ମନୋରଞ୍ଜନ ପେସା ଭିତରେ ଏ ଯାବତ୍ ବିଭିନ୍ନ ଭାଷାର କୋଡ଼ିଏରୁ ଅଧିକ ସିନେମା ସାଙ୍ଗକୁ ଦଶରୁ ଅଧିକ ଟିଭି ଧାରାବାହିକ ଓ ସମାନ ସଂଖ୍ୟକ ସଂଗୀତ ଆଲବମ୍‌ରେ ଅଭିନୟ କରି ନୋରା ଭାରତୀୟ ଗ୍ଳେମର ଦୁନିଆଁରେ ସକ୍ରିୟ ରହିବା ସହ ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି। କାନାଡ଼ାରେ ୧୯୯୨ ଫେବ୍ରୁଆରି ୬ ତାରିଖରେ ଏକ ମରକୋ ପରିବାରରେ ଜନ୍ମିତ ନୋରାଙ୍କର ୨୦୧୪ ମସିହାରେ ହିଁ ହିନ୍ଦୀ ଫିଲ୍ମ ‘ରୋର୍: ଟାଇଗର୍ସ ଅଫ୍ ସୁନ୍ଦରବନ୍’ ମାଧ୍ୟମରେ ଭାରତୀୟ ସିନେମା ଦୁନିଆଁକୁ ପ୍ରଥମ ପ୍ରବେଶ ହୋଇଥିଲା। ତେବେ ତହିଁ ପରବର୍ଷ ତେଲୁଗୁ ଫିଲ୍ମ ‘ଟେମ୍ପର’ ତାଙ୍କ ପାଇଁ କଳ୍ପନାତୀତ ଲୋକପ୍ରିୟତା ଅଜାଡ଼ି ଦେଇଥିଲା।

publive-image

ସେହିପରି ‘ମି. ଏକ୍ସ’ରେ ତାଙ୍କର ସ୍ବତନ୍ତ୍ର ଭୂମିକା ଓ ‘ବାହୁବଳୀ: ଦି ବିଗିନିଂ’ ଓ ‘କିକ୍’ ପରି ତେଲୁଗୁ ଚଳଚ୍ଚିତ୍ରର କାମୋଦ୍ଦୀପକ ଗୀତରେ ତାଙ୍କର ଅଙ୍ଗଭଙ୍ଗୀ ଦର୍ଶକଙ୍କୁ ଖୁବ୍ ଆପ୍ୟାୟିତ କରିଥିଲା। ଏହାପରେ ପଛକୁ ପଛ ‘ରକି ହାଣ୍ଡସମ୍’, ‘ସେର’, ‘ଲୋଫର’, ‘ବାଟଲା ହାଉସ୍’, ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ ଓ ‘ସତ୍ୟମେବ ଜୟତେ-୨’ ପରି ମାଲାୟକୀ, ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାର ସିନେମାରେ ସେ ନିଜର ପ୍ରତିଭା ବିକଶିତ କରିବା ସହ ଅଦ୍ୟାବଧି ତାହା ଜାରି ରଖିଛନ୍ତି। ଚଳିତବର୍ଷ ମୁକ୍ତିଲାଭ କରିବାକୁ ଥିବା ‘ଥାଙ୍କ ଗଡ୍’ର ଏକ ଉତ୍ତେଜକ ଗୀତରେ ତାଙ୍କର ଅଭିନୟ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଦେବ ବୋଲି ଚର୍ଚ୍ଚା ହେଉଛି।

publive-image

ସେହିପରି ୨୦୧୫ରେ ଟିଭି ସୋ’ ‘ବିଗ୍ ବସ୍-୯’ ସମେତ ୨୦୧୬ରେ ‘ଝଲକ୍ ଦିଖଲା ଯା’ ଓ ‘କମେଡ଼ି ନାଇଟ୍ସ ବଚାଓ’ରେ ତାଙ୍କର ଭୂମିକାକୁ ଦର୍ଶକ ଖୁବ୍ ଗ୍ରହଣ କରିଥିଲେ। ଏହାପରେ ‘ଡ୍ୟାନ୍ସ ପ୍ଲସ୍-୪’, ‘ଡ୍ୟାନ୍ସ ଦିଵାନେ’ ଓ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ ଆଦି ଟିଭିର ନୃତ୍ୟଭିତ୍ତିକ ଧାରାବାହିକରେ ମଧ୍ୟ ତାଙ୍କୁ ଆଶାନୁରୂପ ସଫଳତା ମିଳିପାରିଛି। ସେହିପରି ୨୦୧୭ରୁ ବିଭିନ୍ନ ସଂଗୀତ ଆଲବମ୍‌ରେ ମଧ୍ୟ ତାଙ୍କ ନୃତ୍ୟାଭିନୟ ଦର୍ଶକଙ୍କୁ ମୁଗ୍ଧ କରି ବାନ୍ଧିରଖିଛି। ଏହି ଅବସରରେ ୨୦୧୯ରେ ତାଙ୍କର ପ୍ରଥମ ଇଂରାଜୀ ସଂଗୀତ ଆଲବମ୍ ‘ପେପେଟା’ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ତାଙ୍କ ପାଇଁ ଯଥେଷ୍ଟ ପ୍ରସିଦ୍ଧି ଆଣିଦେଇଛି। ଗତବର୍ଷ ମାର୍ଚ୍ଚରେ ୟୁଟ୍ୟୁବ୍‌ରେ ପ୍ରଦର୍ଶିତ ତାଙ୍କର ‘ଦିଲବର’ ଗୀତ ଦ୍ବାରା ସେ ଶହେ କୋଟି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ପ୍ରଥମ ଆଫ୍ରିକୀୟ-ଆରବ କଳାକାରର ମାନ୍ୟତା ହାସଲ କରିଥିଲେ। ବିଭିନ୍ନ ସାକ୍ଷାତକାରରେ ନିଜକୁ ହୃଦୟର ସହ ଜଣେ ଭାରତୀୟ ବୋଲି ବିଚାରୁଥିବା ନୋରାଙ୍କର ଭାରତ ପ୍ରତି ରହିଥିବା ଦୁର୍ବଳତା ହିଁ ତାଙ୍କୁ ଏପରି ଲୋକପ୍ରିୟ କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe