ରଜରେ ମିଳିଲାନି ଦେଖା

Advertisment
ରଜରେ ମିଳିଲାନି ଦେଖା

ରଜ ଅବସରରେ ଏ ବର୍ଷ ୪ଟି ଓଡ଼ିଆ ଛବି ଦର୍ଶକଙ୍କ ପାଖକୁ ଆସିଛି- ‘ଟିକେ ଟିକେ ଅଚିହ୍ନା ତୁ’, ‘ପାବାର’, ‘ଚନ୍ଦ୍ରବଂଶୀ’ ଓ ‘କୁହୁଡ଼ି’। ଏଥିରେ ଉଭୟ ନବାଗତ ଓ ପ୍ରତିଷ୍ଠିତ କଳାକାର ଅଭିନୟ କରିଥିବା ବେଳେ କେତେକ ନାମୀଦାମୀ କଳାକାରଙ୍କୁ ରଜ ବଜାରରେ ଦେଖିବାକୁ ମିଳିନାହିଁ। ଠିକ୍ ସେହିପରି ଆଗରୁ ଯେଉଁ ନିର୍ଦ୍ଦେଶକମାନଙ୍କର ଫିଲ୍ମ କ୍ରମାଗତ ରଜରେ ରିଲିଜ୍ ହେଉଥିଲା,ଏଥର ବି ସେମାନେ ଦୃଶ୍ୟମାନ ହୋଇନାହାନ୍ତି।

ଅରିନ୍ଦମ କି ସବ୍ୟସାଚୀ ନାହାନ୍ତି ଏଥର
ଏଥର ରଜ ଅବସରରେ ମୁକ୍ତିଲାଭ କରିଥିବା କୌଣସି ଓଡ଼ିଆ ଛବିରେ ଓଲିଉଡ୍‌ର କେତେଜଣ ଲୋକପ୍ରିୟ ନାୟକଙ୍କ ଦେଖା ମିଳିନାହିଁ। ଅରିନ୍ଦମ ରଜ ସିନେମା ‘ପ୍ରେମ ଋତୁ ଆସିଲାରେ’(୨୦୦୬)ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ଏକାଧିକ ରଜ ସିନେମାରେ ନଜର ଆସିଥିଲେ। ଠିକ୍ ସେହିପରି ସବ୍ୟସାଚୀ ମଧ୍ୟ ରଜ ସିନେମା ‘ପାଗଳ ପ୍ରେମୀ’(୨୦୦୭) ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିଲେ ଓ ଘଟଣାଚକ୍ରରେ ରଜରେ ମୁକ୍ତିଲାଭ କରିଥିବା ବେଶ୍‌ କେତୋଟି ଛବିରେ ଅଭିନୟ କରିଥିଲେ। କିନ୍ତୁ ଏଥର ଅନୁପସ୍ଥିତ ତାଲିକାରେ ଏ ଦୁଇ ଆଗଧାଡ଼ିର ନାୟକ ସାମିଲ୍ ହୋଇଛନ୍ତି। ଅବଶ୍ୟ ଅରିନ୍ଦମ୍ ଭାଜପା ପ୍ରାର୍ଥୀ ହୋଇ ସାଲେପୁରରୁ ନିର୍ବାଚନ ଲଢୁଥିଲେ। ଗତବର୍ଷ ରଜରେ ଶୈଳେନ୍ଦ୍ରଙ୍କୁ ‘ଗୁଡୁ ଗ୍ୟାଙ୍ଗଷ୍ଟର୍’ରେ ଦେଖିବାକୁ ମିଳିଥିଲା, ହେ‌ଲେ ଏଥର ସେ ଅନୁପସ୍ଥିତ। ତେଣେ ଅମ୍ଳାନ, ବୁଦ୍ଧାଦିତ୍ୟ, ସମ୍ବିତ, ଜ୍ୟୋତି, ଦୀପକ ଓ ଅଭିଷେକ ଆଦି ନାୟକଙ୍କୁ ପରଦାରେ ଦେଖିବାକୁ ପାଇନାହାନ୍ତି ଦର୍ଶକ।

publive-image

ଅନୁ, ବର୍ଷା ଓ ଅର୍ଚ୍ଚିତା ବି ଅନୁପସ୍ଥିତ
ଅତୀତରେ ରଜରେ ମୁକ୍ତଲାଭ କରିଥିବା ‘ପ୍ରେମ ଋତୁ ଆସିଲାରେ’ରେ ଅଭିନୟ କରିଥିବା ଦୁଇ ନାୟିକା ଅନୁ ଚୌଧୁରୀ ଓ ନମ୍ରତା ଥାପା ଏଥର ନାହାନ୍ତି ରଜରେ। ସେହିପରି ‘ତୋ ବିନା ମୋ କାହାଣୀ ଅଧା’, ‘ଆକାଶେ କି ରଙ୍ଗ ଲାଗିଲା’ ଓ ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’ ଭଳି ରଜ ରିଲିଜ୍‌ର ନାୟିକା ଅର୍ଚ୍ଚିତା ଏବଂ ‘ଆମ ଭିତରେ କିଛି ଅଛି’ ଓ ‘ଗପ ହେଲେ ବି ସତ’ ଭଳି ରଜରେ ମୁକ୍ତିପ୍ରାପ୍ତ ଛବିର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଚଳଚ୍ଚିତ୍ର ରଜରେ ଆସିନାହିଁ। ‘ସିଷ୍ଟର୍‌ ଶ୍ରୀଦେବୀ’, ‘ଦିଲ୍ ମୋର ମାନେନା’ ଓ ‘ଗୁଡୁ ଗ୍ୟାଙ୍ଗଷ୍ଟର୍’ ପରି ରଜ ସିନେମାର ନାୟିକା ଶିବାନୀଙ୍କୁ ବି ୨୦୨୪ରେ ଦେଖିବାକୁ ପାଇନାହାନ୍ତି ଦର୍ଶକ। ଏଣେ ପ୍ରିୟା, ଦିବ୍ୟା, ଶୀତଲ୍, ରୀୟା, ଝିଲିକ୍ ଓ ସନମୀରାଙ୍କ ପରି ଜଣାଶୁଣା ନାୟିକା ବି ଏଥର ରଜବଜାରରେ ଅନୁପସ୍ଥିତ।

ନିର୍ଦ୍ଦେଶକ ବି ନିଖୋଜ
ଗତ କିଛି ବର୍ଷର ରଜ ବଜାରରେ ରାଜ୍ କରିଥିବା ନିର୍ଦ୍ଦେଶକ ମୁରଲୀକ୍ରୀଷ୍ଣାଙ୍କ କୌଣସି ଓଡ଼ିଆ ସିନେମା ଏଥର ରିଲିଜ୍‌ ହୋଇନାହିଁ। ଅତୀତରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗପ ହେଲେ ବି ସତ’, ‘ଅଗସ୍ତ୍ୟ’ ଆଦି ରଜ ବଜାରକୁ ସରଗରମ କରିଥିଲା। ଏକଦା ରଜରେ ଚହଳ ପକାଇଥିବା ‘କିଏ ପୋଛିବ ମା ଆଖିର ଲୁହ’, ପ୍ରେମୀ ନମ୍ବର ୱାନ୍’, ‘ନୂଆ ନୂଆ ପ୍ରେମରେ’ ଭଳି ସିନେମାର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ କୌଣସି ଛବି ସିନେମା ବି ହଲ୍‌କୁ ଆସିନାହିଁ। ତେଣେ ‘ଆମ ଭିତରେ କିଛି ଅଛି’ ଓ ‘ଗୋଲାପି ଗୋଲାପି’ ଭଳି ଓଡ଼ିଆ ସିନେମା ଜରିଆରେ ରଜକୁ ରସାଣିତ କରିଥିବା ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଫିଲ୍ମ ବି ଆସିନି ଏଥର। ‘ମୋ କୋଳ ତୋ ଝୁଲଣା’, ‘ଲଭ୍ ୟୁ ହମେଶା’ ଓ ‘ଦିଲ୍ ମୋର ମାନେନା’ ଭଳି ରଜ ରିଲିଜ୍‌ର ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କର ବି କୌଣସି ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ଆସିନାହିଁ । ଏଣେ ନିର୍ଦ୍ଦେଶକ ଜ୍ୟୋତି ଦାସ, ଏସ୍ ଦିଲୀପ ପଣ୍ଡା, ସୁଧାକର ବସନ୍ତ ଓ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖଙ୍କର ବି କୌଣସି ଓଡ଼ିଆ ଛବି ରିଲିଜ୍ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe