ମହାଯାତ୍ରାରେ ମିନତି..ଶେଷରେ ଥମିଲା ନୂପୁର... ପଡ଼ିଲା ଯବନିକା

Advertisment
ମହାଯାତ୍ରାରେ ମିନତି..ଶେଷରେ ଥମିଲା ନୂପୁର... ପଡ଼ିଲା ଯବନିକା

ଭୁବନେଶ୍ବର: ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ଡ.ମିନତି ମିଶ୍ରଙ୍କ ବିୟୋଗରେ ଓଡ଼ିଶାରେ କଳା ପରିସରରେ ଏକ ଅପୂରଣୀୟ କ୍ଷତି ଘଟିଛି। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ମିଳିବାରେ ଯେଉଁ କତିପୟ ଶିଳ୍ପୀ ଓ ଗବେଷକଙ୍କର ଅବଦାନ ଥିଲା, ସେମାନଙ୍କ ମଧ୍ୟରୁ ଡ.ମିଶ୍ର ଅନ୍ୟତମ। ବିଶେଷ କରି ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶୀକୁ ଉପସ୍ଥାପିତ କରି ଏହାର ଉତ୍କର୍ଷ ଓ ସ୍ବକୀୟତାକୁ  ପ୍ରତିପାଦିତ କରିବାରେ ତାଙ୍କର ଥିଲା ଏକ ନିର୍ଣ୍ଣାୟକ ଭୂମିକା। ଓଡ଼ିଶୀ ନୃତ୍ୟର ଆଦ୍ୟପିଢ଼ିର ତିନିଗୁରୁ ଗୁରୁ ପଙ୍କଜ ଚରଣ, ଦେବ ପ୍ରସାଦ ଦାସ ଓ କେଳୁଚରଣଙ୍କ ସଂସ୍ପର୍ଶରେ ଆସିଥିବା ମିନତି ଦେଶବିଦେଶରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରାଇଥିଲେ।

ତାଙ୍କର ଅବଦାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଡ.ମିଶ୍ରଙ୍କୁ ବହୁଭାବେ ସମ୍ମାନିତ ଓ ପୁରସ୍କୃତ କରିଥିଲେ। ୨୦୧୨ ମସିହାରେ ତାଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ସମ୍ମାନ ପ୍ରଦାନ କରିଥିଲେ। ଏହାଛଡ଼ା ସେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କ‌ାର ଓ  ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ବି ଲାଭ କରିଥିଲେ।  ପଦ୍ମଶ୍ରୀ ମିନତି ମିଶ୍ର ତାଙ୍କ ଅବର୍ତ୍ତମାନ ପର୍ଯ୍ୟନ୍ତ  ବରିଷ୍ଠତମ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସମ୍ମାନିତ ହେଉଥିଲେ । ଓଡ଼ିଶୀ ନୃତ୍ୟ ଜଗତର ସେ ଥିଲେ ଜଣେ ବର୍ଷିୟାନ ଶିଳ୍ପୀ ଓ ଗୁରୁ। ପିଲା ଦିନରୁ ନୃତ୍ୟ ସଂଗୀତ ସହ ଜଡ଼ିତ ମିନତି ପ୍ରାରମ୍ଭିକ ସମୟରେ ଅଜିତ ଘୋଷ ଓ ବନବିହାରୀ ମାଇତିଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ୧୯୫୦ ମସିହାରେ ସେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ଠାରୁ ବୃତ୍ତି ଲାଭ କରି  ମିନତି ଦେଶର ଖ୍ୟାତନାମା ନୃତ୍ୟଶିକ୍ଷାନୁଷ୍ଠାନ କଳାକ୍ଷେତ୍ରରେ ଯୋଗ ଦେଇ ଭରତ ନାଟ୍ୟମ୍ ଶିକ୍ଷା କରିଥିଲେ।

publive-image

ଏଠାରେ ଶିକ୍ଷା ସମାପ୍ତି ପରେ ସେ ଦେଶ-ବିଦେଶର ବିଭିନ୍ନ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ ଆରମ୍ଭ କରିଥିଲେ। ୧୯୫୯ ମସିହାରେ ସେ ସୁଇଜରଲ୍ୟାଣ୍ଡ ପରିକ୍ରମାରେ ଯାଇ ଜୁରିକ୍‌ ଲୁଜର୍ଣ୍ଣ, ଜେନେଭା ଆଦି ସହରରେ ଓଡ଼ିଶୀ ନୃତ୍ୟ ଉପସ୍ଥାପନ କରିଥିଲେ। ୧୯୬୨ ମସିହାରେ ନାଟ୍ୟଶାସ୍ତ୍ର ଉପରେ ଗବେଷଣାତ୍ମକ ନିବନ୍ଧ ଲେଖି ଜର୍ମାନୀର ଫିଲିପ୍‌ ୟୁନିଭର୍ସିଟିରୁ ଡକ୍ଟରେଟ ଡିଗ୍ରି ହାସଲ କରିଥିଲେ। ୧୯୬୩ ମସିହାରେ ବର୍ଲିନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କୁ ନୃତ୍ୟ ପରିବେଷଣ ଲାଗି ନିମନ୍ତ୍ରଣ କରାଯାଇଥିଲା।

୧୯୮୦ ମସିହାରେ ସ୍ୱାମୀ ଇଂ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗ ଘଟିବା ପରେ ଡ.ମିଶ୍ର ନୃତ୍ୟ ପରିବେଷଣ ଓ ପ୍ରଶିକ୍ଷଣରୁ ଦୂରେଇ ଯାଇଥିଲେ। ଏହାପରେ ୧୯୯୦ରେ ସେ ବିଧିବଦ୍ଧ ଭାବେ ନୃତ୍ୟ ଜଗତରୁ ଅବସର ନେଇଥିଲେ। ତେବେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ନିଜର କଳାପ୍ରାଣତାକୁ ପୁଞ୍ଜିକରି ସମୟ ଅତିବାହିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe