ଭୁବନେଶ୍ବର: ମୁମ୍ବାଇଠାରେ ଅନୁଷ୍ଠିତ ଜାଗରଣ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ସିନେମା ‘ପୂୟୋଦକମ୍’ ପ୍ରଦର୍ଶିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶିବପ୍ରସାଦ ମହାନ୍ତି, ପ୍ରଯୋଜିକା ଗୁନଗୁନ, ରୀନା ଜେନା, କାର୍ଯ୍ୟକାରୀ ପ୍ରଯୋଜକ ନିର୍ମାଲ୍ୟ କୁମାର, ଖ୍ୟାତି ସମ୍ପନ୍ନ ସାଉଣ୍ଡ ଡିଜାଇନର୍ ସୁବାସ ସାହୁ, ବର୍ଷିଆନ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ଜେନା (ଡଲି) ପ୍ରମୁଖ ଯୋଗ ଦେଇଥିଲେ। ନଭେମ୍ବର ୧୩ରୁ ୧୬ ତାରିଖ ଯାଏ ଆୟୋଜିତ ଏହି ଅନ୍ତର୍ଜାତୀୟ ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ପୂୟୋଦକମ’ ବେଶ ପ୍ରଶଂସା ସାଉଁଟିଛି। ବଳିଷ୍ଠ କାହାଣୀ, ସ୍ୱତନ୍ତ୍ର ଉପସ୍ଥାପନା, ପ୍ରଭାବୀ ଅଭିନୟ ଓ ଉଚ୍ଚକୋଟୀର ନିର୍ମାଣଶୈଳୀ ପାଇଁ ଏହା ଉଭୟ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ଆଦୃତ ହୋଇଛି।
ଗୁନଗୁନ ଫିଲ୍ମସ୍ ନିବେଦିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଶିବପ୍ରସାଦ ମହାନ୍ତି। କେବଳ ନିର୍ଦ୍ଦେଶନା ନୁହେଁ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହ ସମ୍ପାଦନା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ଫିଲ୍ମର ପ୍ରଯୋଜନା କରିଛନ୍ତି ଗୁନଗୁନ ଓ ରୀନା ଜେନା। ବିଭିନ୍ନ ଭୂମିକାରେ ଗୁନଗୁନ, ଶ୍ରୀତମ ଦାସ, ଗାର୍ଗୀ ମହାନ୍ତି, ଅଭିଷେକ ଗିରି, ଶୁଭ୍ରାଂଶୁ ନାୟକ, ବିଭୂ ଦାସ ଓ ପୂର୍ଣ୍ଣେନ୍ଦୁ ଦତ୍ତ ପ୍ରମୁଖ ଅଭିନୟ କରିଛନ୍ତି। କ୍ୟାମେରାରେ ପ୍ରେମ ଜୟନ ଥିବାବେଳେ ସଙ୍ଗୀତ ସଂଯୋଜନାରେ ଅଛନ୍ତି ସୁବାସ ସାହୁ ଓ ଅରୁଣ ଜ୍ୟୋତି। ସାଉଣ୍ଡ ଡିଜାଇନ କରିଛନ୍ତି ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ ସାଉଣ୍ଡ ଡିଜାଇନର ସୁବାସ ସାହୁ। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ପରେ ଏହା ବଡ଼ ପରଦାକୁ ଆସିବ ବୋଲି ଗୁନଗୁନ ସୂଚନା ଦେଇଛନ୍ତି।
Follow Us