ୱାନ୍ ଫୋର୍ ଥ୍ରି

Advertisment
ୱାନ୍ ଫୋର୍ ଥ୍ରି

ଅତୀତରେ ପରଦା ପ୍ରେମରୁ ବାସ୍ତବ ଜୀବନ ପ୍ରେମକୁ ଢଳିଥିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ସେତେବେଳେ କିନ୍ତୁ ସୁଟିଂସେଟ୍ ବ୍ୟତୀତ ଏମିତି ପ୍ରେମୀଯୋଡ଼ିଙ୍କୁ ସର୍ବସାଧାରଣରେ ଏକାଠି ଦେଖିବା ମୁସ୍କିଲ ଥିଲା। କାରଣ ସେମାନଙ୍କ ଚାରିପଟେ କ୍ୟାମେରା ବୁଲୁଥିଲା। ଦର୍ଶକରୁ ସମ୍ପର୍କୀୟ ସମସ୍ତଙ୍କ ନଜର ଥିଲା ସେମାନଙ୍କ ଉପରେ। ରକ୍ଷଣଶୀଳ ସମାଜରେ ସେତେବେଳର ତାରକା‌ ପ୍ରେମୀଯୋଡ଼ିମାନେ ମାପୁଚୁପରେ କଥା ହେଉଥିଲେ। ପୁଣି ପରସ୍ପର ସହ ଭେଟ ହେବା ପାଇଁ କେତେ ଲୁଚିଛପି ଠିକଣା ଜାଗାରେ ପହଞ୍ଚିବାକୁ ପଡ଼ୁଥିଲା। ହେଲେ ଆଜିକାଲିର ତାରକା ପ୍ରେମୀଯୋଡ଼ି ମାନେ ଖୁଲମଖୁଲା ମିଳାମିଶା କରିବାର ଦେଖିବାକୁ ମିଳୁଛି।

ନିକଟରେ ମୁମ୍ବାଇର ଷ୍ଟାର୍ ରେସିଡେନ୍ସିଆଲ୍ ଏରିଆ କୁହାଯାଉଥିବା ବାନ୍ଦ୍ରା ଅଞ୍ଚଳରେ ଗୋଟିଏ କାର୍ ଭିତରେ ଅଭିନେତା ଟାଇଗର ସର୍ଫଙ୍କ ସହ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଗତ ମଙ୍ଗଳବାର ଦିନ ଦିଶା ଜିମ୍ ସେଣ୍ଟରରୁ ଫେରିବା ପରେ ଟାଇଗରଙ୍କ ସହ ଗୋଟିଏ ଗାଡ଼ିରେ ବସି ବାନ୍ଦ୍ରା ସଡ଼କ ଉପରେ ଚକ୍କର କାଟୁଥିଲେ। ଏଥର କିନ୍ତୁ ଏମାନେ ଖସି ପାରିନାହାଁନ୍ତି, ମୁମ୍ବାଇ ପୁଲିସ ହାତରେ ଧରାପଡ଼ି ହଟହଟା ହେଇଛନ୍ତି। କାର୍ ଭିତରେ ଟାଇଗର ପଛ ସିଟ୍‌ରେ ବସିଥିବା ବେଳେ ଦିଶା ଆଗ ସିଟ୍‌ରେ ବସିଥିଲେ। ପୁଲିସ କାରକୁ ଅଟକାଇ ଦୁହିଁଙ୍କ ଆଧାର କାର୍ଡ ଯାଞ୍ଚ କରିବା ସହ କୋଭିଡ୍ କଟକଣା ଜନିତ ଆଉ ଅନ୍ୟାନ୍ୟ ଔପଚାରିକତା ମଧ୍ୟ ପ୍ରୟୋଗ କରିଥିଲେ। ଏବେ ଦିଶା ‘ରାଧେ’ ଚଳଚ୍ଚିତ୍ରରେ ସଲମାନ୍‌ଙ୍କ ବିପକ୍ଷର ନାୟିକା ସାଜିଛନ୍ତି ବୋଲି ନିଜକୁ ଆହୁରି କ୍ରେଜି ମନେକରୁଛନ୍ତି। କେବଳ କ’ଣ ବାସ୍ତବ ଜୀବନ ପ୍ରେମରେ ସେ ଆଗରେ ବୋଲି ଭାବୁଛନ୍ତି!

ପରଦାରେ ବି ଦିଶା ପ୍ରଥମରୁ ନିଜକୁ ଶୀର୍ଷରେ ରଖିଆସିଛନ୍ତି। ଇଣ୍ଡଷ୍ଟ୍ରିରେ ପାଦ ଦେଉ ଦେଉ ଦିଶାଙ୍କୁ ମିଳିଗଲା ‘ଏମ୍‌ଏସ୍‌ ଧୋନି- ଦ ଅନଟୋଲଡ ଷ୍ଟୋରି’ ପରି ଚଳଚ୍ଚିତ୍ର। ପୁଣି ବାଗି-୨, ଭାରତ, ମଲଙ୍ଗ, ବାଗି-୩ ଭଳି ସଫଳ ସିନେମାରେ ଅଭିନୟ କଲେ। ତେବେ ସୁଶାନ୍ତ ସିଂହ ରାଜପୁତ, ସଲମାନ ଖାନ୍, ଆଦିତ୍ୟ ରାୟକପୁରଙ୍କ ଭଳି ଅଭିନେତାମାନେ ଦିଶାଙ୍କ ବାସ୍ତବ ଜୀବନ ଦିୱାନା ହେଇପାରିଲେନି ବରଂ ‘ବାଗି’ର ବାଘ ଟାଇଗର ସର୍ଫ ଦିଶାଙ୍କୁ ତାଙ୍କ ପ୍ରେମରେ ଦିୱାନୀ କରିଦେଲେ। ଶୁଣାଯାଉଛି ‘ହିରୋପନ୍ତି’ର ସିକ୍ୟୁଏଲ୍ ନିର୍ମାଣ ହେବ। ଏଥିରେ ଟାଇଗରଙ୍କ ବିପକ୍ଷର ନାୟିକା ସାଜିବେ ଦିଶା। ଶୁଣିବା ଲୋକେ କହୁଛନ୍ତି ଓଃ ସେଇଥିପାଇଁ ବୋଧେ ଟାଇଗରଙ୍କୁ ଦିଶା କହୁଛନ୍ତି ‘ୱାନ୍ ଫୋର୍ ଥ୍ରି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe