Advertisment

ପହିଲି ପୁଲକ : ନୃତ୍ୟ ଦେଲା ଅଭିନୟରେ ସ୍ବୀକୃତି, ଦୁର୍ଘଟଣା ଦେଲା ଜୀବନସାଥୀ

Advertisment

ପ୍ରତିଭା ପଣ୍ଡା, ନୃତ୍ୟଶିଳ୍ପୀ-ଅଭିନେତ୍ରୀ

ପ୍ରତିଭା ପଣ୍ଡା, ନୃତ୍ୟଶିଳ୍ପୀ-ଅଭିନେତ୍ରୀ

ପହିଲି ପୁଲକ : ନୃତ୍ୟ ଦେଲା ଅଭିନୟରେ ସ୍ବୀକୃତି, ଦୁର୍ଘଟଣା ଦେଲା ଜୀବନସାଥୀ

ପିଲାବେଳର ସମୟ ମୋ ପାଇଁ ବହୁ କଷ୍ଟଦାୟକ ଥିଲା। ସାନଭାଇ ଜନ୍ମହେଲା ପରେ ମା’ କୌଣସି କାରଣରୁ ମାନସିକ ରୋଗୀ ହେଇଗଲେ। ସେତେବେଳେ ମୋତେ ମାତ୍ର ଛ’ବର୍ଷ ବୟସ ହେଇଥିଲା। ମୁଁ ବାପାଙ୍କ ସାଙ୍ଗରେ ମିଶି ନିୟମିତ ଭାବେ ରୋଷେଇ କଲି। ସାନଭାଇକୁ ମହୁପାଣି ଦେଇ ବଞ୍ଚାଉଥିଲି। ତା’ ପାଇଁ ବର୍ଷଟିଏ ବିଦ୍ୟାଳୟକୁ ଗଲିନାହିଁ, ସେଥିପାଇଁ ସହପାଠୀଙ୍କଠାରୁ ମୁଁ ପଛରେ ପଡ଼ିଗଲି। ଏକମାତ୍ର ଝିଅ ବୋଲି ମୁଁ ଭାରି ଗେହ୍ଲା ଥିଲି। ମାତ୍ର ମୋ ଉପରେ ଶିଶୁ ବୟସରୁ ଗୁରୁଦାୟିତ୍ବ ପଡ଼ିଲା। ବାପା ପ୍ରାୟ ସମୟ ବାହାରକୁ ଟୁରରେ ଚାଲିଯାଉଥିଲେ। ଦୁଇଭାଇଙ୍କ ସହିତ ମା’ର ଔଷଧ ଓ ଖାଦ୍ୟପେୟର ଦାୟିତ୍ବ ମୁଁ ନେଉଥିଲି। ଏହା ଭିତରେ ପାଠ ପଢୁଥିଲି। ଆମ କଲୋନୀରେ ଏକ ନାଚ ସ୍କୁଲ୍‌ ଖୋଲିଲା। ସେଠାରେ ବାପା ମୋ ନାମ ଲେଖାଇଦେଲେ। ଗୁରୁ ଦୁର୍ଗାଚରଣ ରଣବୀର ଆମକୁ ନାଚ ଶିଖାଉଥିଲେ। ସ୍କୁଲ୍‌ର ନାଁ ଥିଲା ଆର୍‌ଆର୍‌ଏଲ୍‌ ସଙ୍ଗୀତ ନିକେତନ। କଲୋନୀରେ ହେଉଥିବା ବିଭିନ୍ନ ସେମିନାରରେ ଅଂଶଗ୍ରହଣ କରେ। ସବୁ ଜିନିଷରେ ମୋର ଆଗ୍ରହ ଥାଏ। ସାଙ୍ଗମାନଙ୍କ ସହିତ କବାଡ଼ି, ବୋହୂଚୋରି, ବ୍ୟାଡ୍‌ମିଣ୍ଟନ୍‌ ବି ଖେଳେ। ସକାଳୁ ଉଠି ନିଜର ନିତ୍ୟକର୍ମ ଏବଂ ଘରକାମ କରି ସମସ୍ତଙ୍କ କଥା ବୁଝି ସ୍କୁଲ ଯାଏ। ସ୍କୁଲ୍‌ରୁ ଫେରି ପୁଣି ଘରକାମ, ଖେଳକୁଦ ପରେ ଟିଉସନ୍ ଯାଏ। ରାତିରେ ଦୁଇଭାଇ ଓ ବାବା ମା’ଙ୍କୁ ଖାଇବାକୁ ଦେଇ ମୁଁ ପାଠ ପଢ଼େ ଓ ଟିଭି ଦେଖେ।

publive-image NETTV4U

ସ୍କୁଲ୍‌ କ୍ୟାରିୟର ଶେଷ ହେଉଥିଲା, ମୋତେ ସିନେମାରେ ଅଭିନୟ କରିବାକୁ ଅଫର ଆସିଲା। ଗୁଡ଼ିଆ ମହାପାତ୍ର ଓ ପ୍ରଶାନ୍ତ ନନ୍ଦଙ୍କ ‘ପଞ୍ଚୁପାଣ୍ଡବ’। ସେଥିରେ ମୋତେ ନାୟିକା ଭାବେ ନିଆଯାଇଥିଲା, ହେଲେ ଚରିତ୍ରରେ କିଛି ନୃତ୍ୟ ମଧ୍ୟ ଥିଲା। ପ୍ରଥମ ଦିନ ଗୀତ ସୁଟିଂ ହେଲା। ଭାଇନା ଅତି ସହଜରେ ଆମେ ତିନିଜଣ ନୂଆକରି ଆସିଥିବା ନୃତ୍ୟଶିଳ୍ପୀଙ୍କଠାରୁ ସହଜରେ ଅଭିନୟ ଆଦାୟ କରିନେଉଥିଲେ। ଆମକୁ ଏହା ସୁଟିଂସେଟ୍‌ ନୁହେଁ, ପିକ୍‌ନିକ୍‌ ସ୍ପଟ୍ ପରି ଲାଗୁଥିଲା। ୟୁନିଟ୍‌ରେ ସତୁରି ଅଶୀ ଲୋକ ଥିଲେ, ନୂଆ ନୂଆ ଲୋକେସନ୍‌ ଯାଉଥିଲୁ। ଭାରି ମଜା ଲାଗୁଥିଲା। ଏଥିରେ ପାଞ୍ଚ ଜଣ ହିରୋ, ପାଞ୍ଚ ଜଣ ହିରୋଇନ୍ ଓ ପାଞ୍ଚ ଜଣ ହାସ୍ୟାଭିନେତା ଥିଲେ। ମୁଁ ଜୟୀରାମ ବାବୁଙ୍କ ଝିଅ ହେଇଥିଲି। ସେଥିରେ ମୋର ଗୋଟେ ମାନିଆ ଥିଲା- ‘ଏ ବାପା ଏ ଟୋକାଟା ମୋତେ ଅନଉଛି।’ ଏଇ ମାନିଆ ପାଇଁ ମୁଁ ଦର୍ଶକଙ୍କ ପାଖରେ ପରିଚିତ ହେଇଗଲି। ନୃତ୍ୟଶିଳ୍ପୀ ଯେ ଜଣେ ଭଲ ଅଭିନେତ୍ରୀ ହେବ, କଳ୍ପନା କରି ନ ଥିଲି। ବାପା ଡ୍ରାମାରେ ଅଭିନୟ କରୁଥିଲେ ଓ ନିର୍ଦ୍ଦେଶନା ଦେଉଥିଲେ। ବାପାଙ୍କ କଳା ବୋଧେ ମୋତେ ପ୍ରଭାବିତ କଲା। ପ୍ରଶାନ୍ତ ଭାଇନାଙ୍କ ସାଙ୍ଗରେ ଆଉ କିଛି ଚଳଚ୍ଚିତ୍ର ଏବଂ ହିନ୍ଦୀ ସିରିଏଲ୍‌ରେ ମଧ୍ୟ ଅଭିନୟ କରିଛି। ସେତେବେଳେ ମୁଁ ଛ’ଟି ସିନେମାରେ ନାୟିକା ହେଇଥିଲି। ସିନେମା ଜୀବନର ପ୍ରଥମ ଇନିଙ୍ଗ୍‌ସ ପ୍ରଶାନ୍ତ ଭାଇନାଙ୍କ ପ୍ରଡକ୍ସନ୍‌ରେ ଆରମ୍ଭ ହେଇଥିଲା। ପାଞ୍ଚ ବର୍ଷ ଭିତରେ ଏହାଛଡ଼ା ଶ୍ରୀରାମ ଭାଇଙ୍କ ସହ ତିନିଟି, ମିହିରି ଭାଇଙ୍କ ସାଙ୍ଗରେ ଛ’ଟି ଏବଂ ଶ୍ରୀକାନ୍ତ ଗୌତମଙ୍କ ସହ ଗୋଟିଏ ଫିଲ୍ମ କରିଛି। ଦୂରଦର୍ଶନରେ ନୃତ୍ୟ ଓ ନାଟକରେ ଭାଗ ନେଇଛି।

ଦିନେ ଚୌଦ୍ବାର କଲେଜକୁ ଅତିଥି ହେଇ ଯାଇଥାଏ, ଫେରିବା ବେଳକୁ ସପ୍ତସତୀ ମନ୍ଦିର ପାଖରେ ଗାଡ଼ି ଦୁର୍ଘଟଣା ହେଇଥିଲା। ସେଇ ଦୁର୍ଘଟଣା ମୋ ଜୀବନର ଗୋଟେ ଯୁଗ ନେଇଗଲା। ମୁହଁରେ ୧୭ଟି ଷ୍ଟିଚ୍ ପଡ଼ିଲା। ମୋର ମେମୋରି ଫେଲ୍ ହେଇଗଲା।

publive-image BookMyShow

ସେତେବେଳେ ରୁନା ପଣ୍ଡାଙ୍କ ପ୍ରଯୋଜିତ ‘ଦାଦାଗିରି’ ସିନେମାରେ ମୁଁ ନାୟିକା ସାଜିଥିଲି। ତାଙ୍କ ସହ ମୋର ଅନ୍ତରଙ୍ଗତା ଥିଲା। ସେ ଭୁବନେଶ୍ବରରୁ କଟକ ହସ୍‌ପିଟାଲକୁ ନେଇ ଚିକିତ୍ସା କରାଉଥିଲେ। ଧୀରେ ଧୀରେ ଚିକିତ୍ସା ଯୋଗୁ ମୁଁ ସୁସ୍ଥ ହେଲି। ଆମ ଘରେ କହିଲେ, ସେ ପିଲାଟି ଭଲ ପିଲା, ତୋତେ କେତେ ସାହାଯ୍ୟ କଲାଣି, ତାକୁ ବିବାହ କଲେ ଭଲରେ ରହିବୁ। ତାହା ହିଁ ହେଲା। ନୃତ୍ୟ ଦେଲା ଅଭିନୟରେ ସ୍ବୀକୃତି, ଦୁର୍ଘଟଣା ଦେଲା ଜୀବନସାଥୀ।

ଦୀର୍ଘଦିନ ପରେ ପୁଣି ଫିଲ୍ମରେ ଯୋଗଦେଲି। ସ୍ବର୍ଗତ ଦେବାନନ୍ଦ ପଣ୍ଡାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘କଳିଙ୍ଗପୁତ୍ର’ରେ ଅଭିନୟ ଜୀବନର ଦ୍ବିତୀୟ ଇନିଙ୍ଗ୍‌ସ ଆରମ୍ଭ ହେଲା। ଏହାପରେ ଧାରାବାହିକ ‘ସୁନାକଳସ’, ‘ରାଜନୀତି’, ‘ମାନିନୀ’ ଓ ‘କୁମ୍‌କୁମ୍‌’ରେ ଅଭିନୟ କଲି। ଏବେ ସିନେମା, ସିରିଏଲ, ନାଚ ଆଉ ଘରକଥା ସବୁ ସମାନ୍ତରାଳ ଭାବେ ଚାଲିଛି। ଝିଅ ବଡ଼ ହେଇ ମୋ ଦାୟିତ୍ବ ନେଲାଣି। ସ୍ବାମୀ ମଧ୍ୟ ବହୁତ ସହଯୋଗ କରିଆସୁଛନ୍ତି। ବିବାହ ପରେ ଶ୍ବଶୁର ଓ ବାପଘରର କାମ କରିଆସୁଛି। ଆମ ଘରେ ‘ନୃତ୍ୟ ପ୍ରତିଭା’ ନାମରେ ଏକ ନୃତ୍ୟାନୁଷ୍ଠାନ କରିଛି। ରାଜ୍ୟ ଓ ଦେଶ ବିଦେଶର ବିଭିନ୍ନ ଉତ୍ସବରେ ଯୋଗଦେବା ସହିତ ଚଉଷଠି ଯୋଗିନୀ ପୀଠରେ ଆମେ ନିୟମିତ ନୃତ୍ୟ ଉତ୍ସବ କରିଆସୁଛୁ। ମୁଁ ରୋଟାରୀ କ୍ଲବ୍‌ ଓ ଆଇଡବ୍ଲୁସି ଲେଡିଜ୍ କ୍ଲବ୍‌ର ସଦସ୍ୟା। ସାମାଜିକ କାମରେ ମଧ୍ୟ ମୁଁ ନିଜକୁ ସାମିଲ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe