Business Today
ମୁମ୍ବାଇ: ମହାନ ବୈଜ୍ଞାନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ୍ କଲାମଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ଏପିଜେ ଅବଦୁଲ୍ କଲାମଙ୍କ ଚରିତ୍ରରେ ବଲିଉଡ୍ ଅଭିନେତା ପରେଶ ରାୱଲ ନଜର ଆସିବେ ବୋଲି ଜଣା ପଡ଼ିଛି। ଅଭିନେତା ପରେଶ ରାୱଲ ନିଜ ଟୁଇଟର ଆକାଉଣ୍ଟରେ କଲାମଙ୍କର ଏକ ଫଟୋ ଟୁଇଟ୍ କରିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ପରେଶ ରାୱଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ ନଜର ଆସିବା ନେଇ ସୂଚନା ଦେଇଥିଲେ ମଧ୍ୟ ପରେ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳି ନଥିଲା। ଏବେ ସେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ୍ କଲାମଙ୍କ ବାୟୋପିକରେ ନଜର ଆସିବା ନେଇ ଟୁଇଟ୍ କରି ଜଣାଇଛନ୍ତି।
ଟୁଇଟ୍ କରାଯାଇଥିବା ଫଟୋରେ ଏପିଜେ ଅବଦୁଲ୍ କଲାମ ଜଣେ ସାଧୁଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଥିବାର ଦେଖାଯାଇଛି। ଫଟୋ ଟୁଇଟ୍ କରି ପରେଶ ରାୱଲ ଲେଖିଛନ୍ତି କି, ମୋ ଅନୁସାରେ ସେ ସନ୍ଥ କଲାମ ଥିଲେ। ତାଙ୍କ ଜୀବନୀକୁ ନେଇ ଆଧାରିତ ହେଉଥିବା ଫିଲ୍ମରେ ମୁଁ କଲାମ ସାହାବଙ୍କ ଚରିତ୍ର ନିଭାଇବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି। ତାଙ୍କର ଏଭଳି ଟୁଇଟ୍ ପରେ ଖୁବ୍ ଶୀଘ୍ର ସେ ଏପିଜେ ଅବଦୁଲ୍ କଲାମଙ୍କ ଚରିତ୍ରରେ ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ଜଣା ପଡ଼ିଛି।
Follow Us