ମୁମ୍ବାଇ: ଟିଭି ଏବଂ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ପାୟଲ ରୋହତଗୀ ତାଙ୍କର ସ୍ପଷ୍ଟବାଦୀତା ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବୟାନ ପାଇଁ ତାଙ୍କୁ ବିବାଦର ସାମ୍ନା ମଧ୍ୟ କରିବାକୁ ପଡେ। ପାୟଲ ଟିଭି ଏବଂ ବଲିଉଡରୁ ଦୂରରେ ରହିଥିଲେ ବି ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ସେ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ କଡ଼ା ମତାମତ ଦେଉଥିବା ଦେଖାଯାଏ। ଏବେ ପାୟଲ ରୋହତଗୀ ପୁଣି ଚର୍ଚ୍ଚାରେ। କିନ୍ତୁ ଏଥର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ।
କୁହାଯାଉଛି ଯେ, ପାୟଲ ରୋହତଗୀଙ୍କ ତାଙ୍କ ସ୍ବାମୀ ସଂଗ୍ରାମ ସିଂହଙ୍କୁ ଛାଡପତ୍ର ଦେବେ। ଦୁହେଁ ୩ବର୍ଷ ପୂର୍ବେ ବିବାହ କରିଥିଲେ। ଅଭିନେତ୍ରୀ, ସଂଗ୍ରାମଙ୍କ କମ୍ପାନିରୁ ଇସ୍ତଫା ଦେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପାୟଲ ରୋହତଗୀ ତାଙ୍କ ସୋସିଆଲ ମିଡିଆରେ ସଂଗ୍ରାମ ସିଂହ ଚାରିଟେବଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଏହି ଘୋଷଣା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।
ଏହି ଚର୍ଚ୍ଚା ମଧ୍ୟରେ ସଂଗ୍ରାମ୍ ପ୍ରତିକ୍ରିୟା ରଖି କହିଛନ୍ତି ଯେ, 'ଆମ ମଧ୍ୟରେ ଛାଡପତ୍ର ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଆମେ ୧୪ ବର୍ଷ ଧରି ଏକାଠି ଅଛୁ ଏବଂ ସବୁବେଳେ ରହିବୁ। ମୁଁ ଭଲ କାମ କରିବା ଉପରେ ବେଶୀ ଧ୍ୟାନ ଦେଉଛି। ଛାଡପତ୍ର ଭଳି ଆଲୋଚନା ଉପରେ ମୋର ଧ୍ୟାନ ନାହିଁ। ମୁଁ ଅନୁରୋଧ କରିବି ଯେ ଦୟାକରି ଏପରି କୌଣସି ଗୁଜବ ପ୍ରଚାର କରନ୍ତୁ ନାହିଁ।'
Follow Us