ନୂଆଦିଲ୍ଲୀ: ସୁପରହିଟ ସିନେମା ‘ବାହୁବଳୀ ଏବଂ ‘ବାହୁବଳୀ -୨’ରେ ସୁପରଷ୍ଟାର ପ୍ରଭାସଙ୍କୁ ଖୁବ ସଫଳତା ମିଳିଥିଲା। ଏହି ସିନେମା ପାଇଁ ସେ ଆଜି ଯାଏଁ ଲାଇମଲାଇଟରେ ଅଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଖୁବ ପ୍ରଶଂସକ ଅଛନ୍ତି। ଖୁବ୍ ଶୀଘ୍ର ତାଙ୍କ ଫିଲ୍ମ ‘ସାଲାର’ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଏହା ବ୍ୟତୀତ ସେ କାଲ୍କି ୨୮୯୮ଏଡି ପାଇଁ ବି ଚର୍ଚ୍ଚାର ପରିସରରେ ରହିଛନ୍ତି। ଏହି କ୍ରମରେ ମୈସୁରର ଏକ ସଂଗ୍ରହାଳୟରେ ପ୍ରଭାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯେଉଁ କାରଣରୁ ବିବାଦ ଦେଖାଦେଇଛି ।
ମୈସୁର ସଂଗ୍ରହାଳୟରେ ସୁପରଷ୍ଟାର ପ୍ରଭାସଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯଦିଓ ଏହି ମୂର୍ତ୍ତି ଦେଖିବାକୁ ପ୍ରଭାସଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ କିନ୍ତୁ ମୂର୍ତ୍ତି ପିନ୍ଧିଥିବା ପୋଷାକ ବାହୁବଳୀ ସିନେମାରେ ପ୍ରଭାସ ପିନ୍ଧିଥିବା ପୋଷାକ ସହିତ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି। କୁହାଯାଉଛି ଯେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବା ପୂର୍ବରୁ ସଂଗ୍ରହାଳୟ ଚଳଚ୍ଚିତ୍ର ନିର୍ମାତାଙ୍କଠାରୁ କୌଣସି ପ୍ରକାର ଅନୁମତି ନେଇ ନାହାନ୍ତି। ବିନା ଅନୁମତିରେ ପ୍ରଭାସଙ୍କ ଏଭଳି ପ୍ରତିମୂର୍ତ୍ତି ସ୍ଥାପନ ଆଦୌ ଗ୍ରହଣୀୟ ନୁହେଁ।
ଏହି ଘଟଣାକୁ ନେଇ ‘ବାହୁବଳୀ ୨’ ର ନିର୍ମାତା କ୍ରୋଧିତ ଅଛନ୍ତି ଏବଂ ସେ ସଂଗ୍ରହାଳୟର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛନ୍ତି। ଏଥିସହ ନିର୍ମାତା କହିଛନ୍ତି ଯେ,‘ ବିନା ଅନୁମତିରେ ପ୍ରଭାସଙ୍କ ଏଭଳି ପ୍ରତିମୂର୍ତ୍ତି ସ୍ଥାପନ ଠିକ ନୁହେଁ। ସେ ଉକ୍ତ ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ।’
ପ୍ରଭାସଙ୍କ ମହମ ପ୍ରତିମୂର୍ତ୍ତିର ଏକ ଫଟୋ ଜଣେ ପ୍ରଶଂସକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଏହାପରେ ବିବାଦ ଦେଖା ଦେଇଛି।
ଉଲ୍ଲେଖଯୋଗ୍ୟ, ‘ବାହୁବଳୀ’ର ପ୍ରଥମ ଭାଗ ୨୦୧୫ ରେ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ର ପରେ ସମଗ୍ର ଭାରତରେ ଦକ୍ଷିଣ ଚଳଚ୍ଚିତ୍ରର କ୍ରେଜ ବୃଦ୍ଧି ପାଇବାକୁ ଲାଗିଥିଲା। ଦର୍ଶକଙ୍କ ସିନେମା ଦେଖିବା ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ୨୦୧୭ ମସିହାରେ ମୁକ୍ତିଲାଭ କରିଥିଲା ​​ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସମସ୍ତ ସିନେମାର ବ୍ୟବସାୟ ରେକର୍ଡ ଭାଙ୍ଗିଥିଲା । ପ୍ରଭାସଙ୍କୁ ଶେଷ ଥର ପାଇଁ ଆଦିପୁରୁଷ ଫିଲ୍ମରେ ଦେଖିବାକୁ ମିଳିଥିଲା। ଅନେକ ବିବାଦ ସତ୍ତ୍ୱେ ଫିଲ୍ମରେ ପ୍ରଭାସଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ।
Follow Us