ଏହି କାଳଜୟୀ ଗୀତକୁ ଗାଇବାକୁ ଚାହୁଁଥିଲେ ଅକ୍ଷୟ ମହାନ୍ତି, ହେଲେ ପ୍ରଣବ ପଟ୍ଟନାୟକଙ୍କୁ ମିଳିଥିଲା ସୁଯୋଗ

Advertisment

ଶିବଶଙ୍କର ଓଝା

ଶିବଶଙ୍କର ଓଝା

ଏହି କାଳଜୟୀ ଗୀତକୁ ଗାଇବାକୁ ଚାହୁଁଥିଲେ ଅକ୍ଷୟ ମହାନ୍ତି, ହେଲେ ପ୍ରଣବ ପଟ୍ଟନାୟକଙ୍କୁ ମିଳିଥିଲା ସୁଯୋଗ

youtube

ଭୁବନେଶ୍ବର: ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ କେତୋଟି କାଳଜୟୀ ଗୀତ ମଧ୍ୟରୁ ଗୋଟିଏ ହେଲା ‘ ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା...’। ଏହା ହେଉଛି ଚର୍ଚ୍ଚିତ ଓଡ଼ିଆ ସିନେମା ‘ସଂସାର’ର ଚିରସବୁଜ ଗୀତ। ଏହାର ଗୀତିକାର ହେଲେ ସାରଦା ପ୍ରସନ୍ନ ନାୟକ ଓ ସଙ୍ଗୀତକାର ଅକ୍ଷୟ ମହାନ୍ତି। ହେଲେ ଆପଣ କ’ଣ ଜାଣନ୍ତି, ଏହି ଗୀତଟିକୁ ନିଜେ ସ୍ବରକାର ଅକ୍ଷୟ ମହାନ୍ତି ଗାଇବାକୁ ଚାହୁଁଥିଲେ। ଏବେ ଜାଣନ୍ତୁ, କେଉଁ ପରିସ୍ଥିତିରେ ପ୍ରଣବଙ୍କୁ ମିଳିଥିଲା ଏହି ଗୀତରେ କଣ୍ଠଦାନ କରିବାର ସୁଯୋଗ।
‘ସଂସାର’ର ନିର୍ଦ୍ଦେଶକ ଥିଲେ ଗୌର-ପାର୍ବତୀ। ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଲାଗି ସ୍ବରକାର ଅକ୍ଷୟ ମହାନ୍ତି ଚୁକ୍ତିବଦ୍ଧ ହୁଅନ୍ତି। ଫିଲ୍ମର ମ୍ୟୁଜିକ୍ ସିଟିଂ ହୁଏ ନିର୍ଦ୍ଦେଶକଙ୍କ କଟକର କନିକା ଛକସ୍ଥିତ ବାସଭବନରେ। ସେଠାରେ ଉପସ୍ଥିତ ରହିଥାନ୍ତି ନିର୍ଦ୍ଦେଶକ ଗୌର-ପାର୍ବତୀ, ସଙ୍ଗୀତକାର ଅକ୍ଷୟ ମହାନ୍ତି, ଗୀତିକାର ସ୍ବରୂପ ନାୟକ ଓ ସାରଦା ପ୍ରସନ୍ନ ନାୟକ। ସାରଦା ବାବୁଙ୍କୁ ‘ ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା...’ ଗୀତଟିକୁ ଲେଖିବାକୁ ପଡ଼ିଥିଲା। ସେ ଅନାୟାସରେ ଗୀତଟି ରଚନା କରିଲେ।

publive-image odisha bytes

ତାପରେ ସଙ୍ଗୀତକାର ଅକ୍ଷୟ ମହାନ୍ତି ଗୀତଟିକୁ ଏକ ପାରଂପରିକ ସ୍ବର କରିଥିଲେ। ସେ ନିଜେ ଗୀତଟିକୁ ଗାଇବାର ବି ଆଗ୍ରହ ଦେଖାଇଥିଲେ। ହେଲେ ସେଠାରେ ତବଲା ସଙ୍ଗତ କରୁଥିଲେ ସ୍ବରୂପ ନାୟକ। ସେ ଗୋଟିଏ ଏଭଳି ତାଳରେ ତବଲା ବଜାଇଲେ ଯେ ଅକ୍ଷୟ ମହାନ୍ତି ତତକ୍ଷଣାତ୍ ଉକ୍ତ ଗୀତିର ସ୍ବର ବଦଳାଇଦେଲେ। ନୂଆ ସ୍ବରରେ ନିଜେ ଗାଇ ଶୁଣାଇଲେ। ଏହା ସମସ୍ତଙ୍କର ପସନ୍ଦ ଆସିଲା। ସେହି ସମୟରେ ଗୌର ଘୋଷ କହିଲେ ଏହି ଗୀତଟିକୁ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଭଏସରେ ରେକର୍ଡ କରିବା। ଅକ୍ଷୟ ବି ଏଥିରେ ସହମତି ପ୍ରକାଶ କରିଥିଲେ। ରିହର୍ସାଲ ବେଳେ ପ୍ରଣବ ଗୀତଟିର ଭାବ ଓ ସ୍ବର ଶୁଣି ଭାବବିହ୍ବୋଳ ହୋଇଯାଇଥିଲେ। ପରେ ଏହାର ରେକର୍ଡିଂ କଲିକତାର ଟେକନିସିଆନ୍ ଷ୍ଟୁଡିଓରେ ହୋଇଥିଲା। ‘ସଂସାର’ ରିଲିଜ୍ ହେବା ପରେ ଏହି ଗୀତ ‘ ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା...’ ପ୍ରଣବ ପଟ୍ଟନାୟକଙ୍କୁ ଆହୁରି ଶୀର୍ଷକୁ ନେଇଥିଲା। ଖାଲି ସେତିକି ନୁହେଁ ଉଭୟ ଗୀତିକାର ସାରଦା ପ୍ରସନ୍ନ ନାୟକ ଓ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ମର୍ଯ୍ୟାଦା ବି ବୃଦ୍ଧି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe