ଦର୍ଶକଙ୍କ ଆଖିରେ ପ୍ରତୀକ୍ଷା

Advertisment
ଦର୍ଶକଙ୍କ ଆଖିରେ ପ୍ରତୀକ୍ଷା

ଏବେ ଦର୍ଶକଙ୍କ ନଜରରେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଚଳିତ ମାସ ପ୍ରଥମାର୍ଦ୍ଧରେ ମୁକ୍ତିଲାଭ କରିଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟିର ୱାଶିଂଟନ୍‌ ଡିସି ଏମ୍‌ସି ମଣ୍ଟଗୋମେରି ସିକ୍କିନ୍‌ଠାରେ ୱାର୍ଲଡ୍ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଏହା ବ୍ୟତୀତ ଡିସି ସାଉଥ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶନ ଲାଗି ମନୋନୀତ ହୋଇ ଏହା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବ ହାସଲ କରିଛି। ଦକ୍ଷିଣ ଏସିଆ ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ବିଶେଷ ଭାବରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଓଡ଼ିଆ ଘରର କାହାଣୀକୁ ନେଇ ‘ପ୍ରତୀକ୍ଷା’ ନିର୍ମିତ ହୋଇଛି ଏବଂ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଓଡ଼ିଆ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଛି। ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ ଏବଂ ଓଡ଼ିଆ ସିନେମା ଶିଳ୍ପର ପୁନରୁଦ୍ଧାର ପାଇଁ ସହଯୋଗ କରନ୍ତୁ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି।

ଅମୀୟ ପଟ୍ଟନାୟକ ପ୍ରଡକ୍‌ସନ୍ ହାଉସ୍ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ଗାଳ୍ପିକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ର କାହାଣୀ ଉପରେ ଆଧାରିତ। ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ବପ୍ନ ଓ ନୈରାଶ୍ୟର କାହାଣୀକୁ ନେଇ ଏହାର କାହାଣୀ ପର୍ଯ୍ୟବସିତ। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦୀପନ୍ବିତ ଦାସ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe