ପୁଣି ଥରେ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ସଜବାଜ ହେଉଛନ୍ତି ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନୀ

Advertisment
ପୁଣି ଥରେ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ସଜବାଜ ହେଉଛନ୍ତି ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନୀ

behindwoods.com

ଚଳଚ୍ଚିତ୍ର ଜଗତ ଏମିତି ଏକ ମାୟାପୁରୀ ଯେଉଁଠି ଯାବତୀୟ ଲୋକପ୍ରିୟତା ସତ୍ତ୍ବେ କେହି ଯଦି ମଝିରେ କୌଣସି କାରଣରୁ ମନୋରଂଜନ କରିବାରେ ବିରାମ ଆଣିଦିଏ, ତାଙ୍କୁ ଦର୍ଶକ ପ୍ରତ୍ୟାଖ୍ୟାନ କରିବାକୁ ଭୁଲିନଥା’ନ୍ତି। ଏ କ୍ଷେତ୍ରରେ କଳାକାରମାନଙ୍କୁ ସର୍ବଦା ସତେଜ ଓ ସଜାଗ ରହିବା ନିହାତି ଜରୁରୀ। ଅତୀତରେ ଅନେକ ହିଟ୍‌ ସିନେମା ପରଷି ଏପରିକି ନଅ ନଅଟି ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି ବି ସାମୟିକ ବିରତି ପାଇଁ ଅଭିନେତ୍ରୀ ପ୍ରୀତି ଝାଙ୍ଗିଆନୀଙ୍କ ଜୀବନରେ ସେଭଳି କିଛି ଘଟିଛି। ୨୦୧୭ରେ ମୁକ୍ତିଲାଭ କରିଥିବା ନିଜର ଶେଷ ସିନେମା ରାଜସ୍ଥାନୀ ଭାଷାର ‘ତାଉଡୁ ଦି ସନ୍‌ଲାଇଟ୍‌’ ପରେ ନିରବି ଯାଇଥିବା ପ୍ରୀତିଙ୍କୁ ଦର୍ଶକ ଯେପରି ଭୁଲିଗଲେଣି। ତେବେ ଅତୀତର ସମର୍ଥନ ଓ ପ୍ରଶଂସାକୁ ମନେ ପକାଇ ପ୍ରୀତି ପୁଣି ଥରେ ପ୍ରିୟ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ସଜବାଜ ହେଉଛନ୍ତି। ଏପରିକି ଓଟିଟି ମଞ୍ଚରେ ହେଉ ପଛକେ ନିଜ ପ୍ରଶଂସକମାନଙ୍କର ପୁଣି ଥରେ ହୃଦ୍‌ସ୍ପନ୍ଦନ ସାଜିବାକୁ ସେ ଇଚ୍ଛା ପ୍ରକଟ କରିଛନ୍ତି।

publive-image News18

କର୍ଣ୍ଣାଟକର ମାଙ୍ଗାଲୋରରେ ୧୯୮୦ ଅଗଷ୍ଟ ୧୮ରେ ଏକ ସିନ୍ଧି ହିନ୍ଦୁ ପରିବାରରେ ଜନ୍ମିତ ପ୍ରୀତି ଶିକ୍ଷାରେ ଦୁର୍ବଳ ଥିବାରୁ ସ୍ନାତକ ଜିଗ୍ରି ବି ହାସଲ କରିପାରିନାହାନ୍ତି। ତେବେ ନିଜର ଆକର୍ଷଣୀୟ ଚେହେରା ଯୋଗୁଁ ୧୯୯୭ରେ ରାଜଶ୍ରୀ ପ୍ରଡକ୍ସନ୍‌ସ ଦ୍ବାରା ପ୍ରଯୋଜିତ ସଂଗୀତ ଭିଡିଓ ‘ୟେ ହୈ ପ୍ରେମ’ର ‘ଛୁଇ ମୁଇ...’ ଗୀତରେ ଦର୍ଶକଙ୍କୁ ସେ ମତୁଆଲା କରି ରାତାରାତି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଥିଲେ। ଏହାପରେ ନିରମା ଚନ୍ଦନ ସାବୁନ ପରି କିଛି ନାମୀ ବିଜ୍ଞାପନରେ ମଡେଲିଂ କରି ଗ୍ଲାମର ଦୁନିଆରେ ନିଜର ସ୍ଥିତିକୁ କାଏମ୍‌ ରଖିଥିଲେ। ତେବେ ଚଳଚ୍ଚିତ୍ର ଜଗତ୍‌କୁ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ୧୯୯୯ର ମାଲାୟଲୀ ସିନେମା ‘ମଝାଭିଲ୍ଲୁ’ ମାଧ୍ୟମରେ। ଏହା ପରେ ସେ ତାମିଲ ଫିଲ୍ମ ‘ହେଲୋ’ ସମେତ ‘ଥାମ୍ମୁଡୁ’ ଓ ‘ନରସିଂହା ନାଇଡୁ’ ପରି ଦୁଇଟି ତେଲୁଗୁ ଫିଲ୍ମରେ ଅଭିନୟର ଚମକ ଦେଖାଇଥିଲେ। ଏହି ଅବସରରେ ୨୦୦୦ରେ ହିନ୍ଦୀ ସିନେମାକୁ ତାଙ୍କର ପ୍ରଥମ ପଦାର୍ପଣ ଘଟିଥିଲା ବ୍ୟୟବହୁଳ ତଥା ତାରକା ଖଚିତ ଚଳଚ୍ଚିତ୍ର ‘ମୋହବତେଁ’ରେ। ଏହାପରେ ନିୟମିତ ହିନ୍ଦୀ ସିନେମା ସହିତ ସେ ତେଲୁଗୁ, ତାମିଲ, କନ୍ନଡ଼ ଭାଷାର ଫିଲ୍ମରେ କାମ କରିବା ଜାରି ରଖିଥିଲେ। ଏଥି ସହିତ ପଞ୍ଜାବୀ ଓ ବଙ୍ଗାଳୀ ଭାଷାର ସିନେମା ସହିତ ଊର୍ଦ୍ଦୁ ଭାଷାର ଏକ ପାକିସ୍ତାନୀ ଫିଲ୍ମରେ ମଧ୍ୟ ନିଜର ଅଭିନୟ ଚାତୁରୀ ଦେଖାଇ ଦର୍ଶକମାନଙ୍କୁ ମୁଗ୍ଧ କରିପାରିଥିଲେ।

publive-image suntiros.com

୨୦୦୮ରେ ଅଭିନେତା ପର୍ବିନ୍‌ ଡାବସଙ୍କୁ ବିବାହ କରିଥିବା ପ୍ରୀତିଙ୍କର ଏବେ ଦୁଇଟି ପୁଅ ଜନ୍ମ ନେଇ ସାରିଛନ୍ତି। ସେ ଘରସଂସାରରେ ଏତେ ମଜିଗଲେ ଯେ ୨୦୧୩ ପରେ ଦୀର୍ଘ ଚାରି ବର୍ଷ ଯାଏ ସମ୍ପୂର୍ଣ୍ଣ ନିରବିଗଲେ। ତେବେ ଏହାପରେ ୨୦୧୭ରେ କରିଥିବା ଏକମାତ୍ର ଓ ଶେଷ ଫିଲ୍ମ ‘ତାଉଡୁ ଦି ସନ୍‌ଲାଇଟ୍‌’ ତାଙ୍କ ପାଇଁ ଅପୂର୍ବ ସଫଳତା ଆଣିଦେଇଥିଲା। ସେଥିପାଇଁ ତାଙ୍କୁ ରାଜସ୍ଥାନ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ନାୟିକା ସମ୍ମାନ ସହ ରାଜସ୍ଥାନ ଫିଲ୍ମ ମହୋତ୍ସବରେ ମଧ୍ୟ ସ୍ବତନ୍ତ୍ର ଜୁରି ପୁରସ୍କାର ମିଳିଥିଲା। ଅବଶ୍ୟ ସିନେ ଜଗତ୍‌ରୁ ଦୂରେଇ ରହିଥିଲେ ବି ସେ ନିଜର ଲୋକପ୍ରିୟତା ବଜାୟ ରଖିବା ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜର ଫଟୋ ଓ ଭିଡିଓ ଛାଡ଼ିବା ଅବ୍ୟାହତ ରଖିଛନ୍ତି। ନିକଟରେ ସେ ଛାଡ଼ିଥିବା ଭିଡିଓରେ ଅନୁଗାମୀମାନେ ତାଙ୍କ ଚେହେରା ଓ ଅଙ୍ଗଭଙ୍ଗୀକୁ ପ୍ରଶଂସା କରି ଏଭଳି ଆନ୍ତରିକ ଟିପ୍ପଣୀ କରିଛନ୍ତି ଯେ ପ୍ରୀତିଙ୍କର ମନୋବଳ କାହିଁ କେତେ ଗୁଣ ବ଼ଢ଼ିଯାଇଛି। ତାଙ୍କ ପେରନ୍ତା ବାଟକୁ ପ୍ରଶଂସକମାନେ ଚାହି ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe