ଘରସଂସାରକୁ ଅଗ୍ରାଧିକାର, ଆୟେଶା ଏବେ ସନ୍ୟାସରେ

Advertisment
ଘରସଂସାରକୁ ଅଗ୍ରାଧିକାର, ଆୟେଶା ଏବେ ସନ୍ୟାସରେ

ଅନେକ ଅଭିନେତ୍ରୀଙ୍କ ଅଭିନୟ ଜୀବନରେ ବିବାହ ଏକ ପ୍ରତିବନ୍ଧକ ରୂପେ ଉଭା ହୋଇଥିବା ବେଳେ କେହି କେହି ଘରସଂସାରକୁ ପ୍ରାଧାନ୍ୟ ଦେଇ ଅଭିନୟ ଜଗତ୍‌ରୁ ସଂପୂର୍ଣ୍ଣ ଓହରିଯାଇଥା’ନ୍ତି। ଗତ ପ୍ରଥମ ଦଶକର ଲୋକପ୍ରିୟ ଅଭିନେତ୍ରୀ ଆୟେଶା ଟାକିୟାଙ୍କ ଭାଗ୍ୟରେ ସେପରି କିଛି ବାଧା ଉପୁଜିଥିଲା। ନିଜର ଦକ୍ଷତା ପାଇଁ ଛଅ ଛଅ ଥର ଜାତୀୟ ସ୍ତରର ପୁରସ୍କାର ଲାଭ କରିଥିବା ଏହି ନାୟିକାଙ୍କ ଅଭିନୟ ଜୀବନରେ ବିବାହ ପଥରୋଧ କରିଥିଲା। ଶ୍ବଶୁର ଘରର ଧାର୍ମିକ କଟକଣା ପାଇଁ ସେ ଅଭିନୟ କ୍ଷେତ୍ରରେ ଏକରକମ ନିଷ୍କ୍ରିୟ ହୋଇପଡ଼ିଥିବା ବେଳେ ଘରସଂସାରକୁ ପ୍ରାଥମିକତା ଦେଇ ସେ ଦୀର୍ଘ ନଅ ବର୍ଷ ହେଲା ପ୍ରିୟ ଦର୍ଶକମାନଙ୍କୁ ନିରାଶ କରିଦେଇଛନ୍ତି। ମୁମ୍ବାଇରେ ୧୯୮୬ ଏପ୍ରିଲ ୧୦ ତାରିଖରେ ଏକ ଗୁଜରାଟୀ ପରିବାରରେ ଜନ୍ମ ନେଇଥିବା ଆୟେଶାଙ୍କୁ ମାତ୍ର ୪ ବର୍ଷ ବେଳେ ଏକ ବିଜ୍ଞାପନ (ଆଇ ଆମ୍‌ ଏ କମ୍ପ୍ଲାନ୍‌ ଗର୍ଲ)ରେ ଭାଗ ନେବାର ସୁଯୋଗ ମିଳିଥିଲା।

ଏଥିରେ ଉତ୍ସାହିତ ହୋଇ ଭବିଷ୍ୟତରେ ଜଣେ ନାୟିକା ହେବାର ସ୍ବପ୍ନ ସେ ଦେଖିଥିଲେ। ତେବେ ତାଙ୍କୁ ଚଉଦ ବର୍ଷ ବେଳେ ଗାୟିକା ଫାଲ୍‌ଗୁନି ପାଠକଙ୍କ ସଂଗୀତ ଭିଡିଓ ‘ମେରି ଚୁନ୍ନରି ଉଡ୍‌ ଉଡ୍‌ ଯାୟେ’ରେ ଆୟେଶାଙ୍କ ନୃତ୍ୟାଭିନୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅନ୍ୟ ଏକ ସଂଗୀତ ଭିଡିଓ ‘ସେକ୍‌ ଇଟ୍‌ ଡାଡି’ ଆସିବା ପରେ ତାଙ୍କୁ ସିନେମାରେ ଅଭିନୟ କରିବା ପାଇଁ ପ୍ରସ୍ତାବମାନ ମିଳିଥିଲା। ୨୦୦୪ରେ ହିନ୍ଦୀ ଫିଲ୍ମ ‘ଟାର୍ଜନ: ଦି ୱଣ୍ଡର କାର୍‌’ରେ ସେ ପ୍ରଥମ ପଦାର୍ପଣ କରି ଦର୍ଶକ ଏବଂ ସମୀକ୍ଷକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେଆର ସମ୍ମାନ ଓ ଆଇଫା ପୁରସ୍କାର ମିଳିଥିଲା। ଏହାପରେ ପଛକୁ ପଛ ‘ଦିଲ୍‌ ମାଙ୍ଗେ ମୋର୍‌’, ‘ସୋଚା ନା ଥା’ ଓ ‘ସାଦି ନଂ ୧’ ଆଦି ସିନେମାରେ ସେ ପୂର୍ବ ଲୋକପ୍ରିୟତା ଦୋହରାଇବା ସହ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୁରକ୍ଷିତ ରଖିପାରିଥିଲେ। ଏହାପରେ ୨୦୦୫ରେ ଟଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବା ଲାଗି ତେଲୁଗୁ ଫିଲ୍ମ ‘ସୁପର’ରେ ତାଙ୍କର ପ୍ରଥମ ଆବିର୍ଭାବ ମଧ୍ୟ ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା।

ତେବେ ସେ ପୁଣି ହିନ୍ଦୀ ସିନେମାକୁ ଫେରି ଆସିଥିଲେ। ପଛକୁ ପଛ ‘ହୋମ୍‌ ଡେଲିଭରି’, ‘ସାଦି ସେ ପେହେଲେ’ ଓ ‘ୟୁଁ ହୋତା ତୋ କ୍ୟା ହୋତା’ ଆଦି ସିନେମାରେ ନିଜର ପ୍ରଭାବୀ ଅଭିନୟ ପରଷିବାରେ ସେ ସଫଳ ହୋଇଥିଲେ। ୨୦୦୬ରେ ‘ଡୋର’ ଫିଲ୍ମ ପାଇଁ ତାଙ୍କୁ ଚାରିଟି ପୁରସ୍କାର ମିଳିଥିଲା। ଏହାପରେ ବଛା ବଛା ଆଠଟି ଫିଲ୍ମରେ ଆସିବା ପରେ ୨୦୦୯ରେ ଉଦ୍ୟୋଗୀ ଫାରହାନ୍‌ ଆଜମିଙ୍କ ସହ ତାଙ୍କର ବିବାହ ହୋଇଥିଲା ଏବଂ ତାଙ୍କ ନାମ ଟାକିୟା ଆଜମିକୁ ପରିବର୍ତ୍ତିତ ହୋଇଥିଲା। ପରିବାରର ନାନା ଧାର୍ମିକ କଟକଣା ସତ୍ତ୍ବେ ତାଙ୍କୁ ‘ପାଠଶାଳା’ ଓ ‘ମୋଡ୍‌’ ପରି ଦୁଇଟି ବିବାହ ପରବର୍ତ୍ତୀ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହାପରେ ସେ ସିନେ ଦୁନିଆରୁ ପ୍ରାୟ ଦୂରେଇ ଯାଇଥିବା ବେଳେ ପ୍ରଶଂସକମାନଙ୍କ ଅନୁରୋଧ ରକ୍ଷା କରି ଏକ ସଂଗୀତ ଭିଡିଓ ମାଧ୍ୟମରେ ସାମୟିକ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ଆଉ ସିନେମାରେ ଅଭିନୟ ନକରି ଟିଭିର ଏକ ପ୍ରତିଯୋଗିତାମୂଳକ ସଂଗୀତ କାର୍ଯ୍ୟକ୍ରମ ‘ସୁର କ୍ଷେତ୍ର’ର ସଂଚାଳିକା ସାଜିଥିଲେ। ତେବେ ୨୦୧୪ରେ ତାଙ୍କର ଏକ ପୁତ୍ରସନ୍ତାନ ଲାଭ ହେଲା ପରେ ସେ ଗ୍ଲାମର ଦୁନିଆରୁ ସଂପୂର୍ଣ୍ଣ ବିଦାୟ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe