ରଜ ପାଇଁ ସଜବାଜ

ରଜ ପାଇଁ ସଜବାଜ

ଲକ୍‌ଡାଉନ୍‌ ପାଇଁ ବହୁପ୍ରତୀକ୍ଷିତ ଓଲିଉଡ୍‌ ଫିଲ୍ମ ‘କହିବିନି ତତେ ଆଇ ଲଭ୍‌ ୟୁ’ ଅଟକି ରହିଛି। ଏଇ ଫିଲ୍ମର ନିର୍ଦ୍ଦେଶନା ଓ ଅଭିନୟ ଜରିଆରେ ଦର୍ଶକଙ୍କ ନଜରକୁ ଆସୁଛନ୍ତି ଆଲବମ୍ ଷ୍ଟାର ଲୁବୁନ୍ ସେନ୍। ଏକ ବାସ୍ତବ ପ୍ରେମ କାହାଣୀ ଉପରେ ଫିଲ୍ମଟି ଆଧାରିତ। ଯେଉଁଠି ପ୍ରତିଟି ସୋପାନରେ ଦେଖିବାକୁ ମିଳିବ ଭିନ୍ନ ମୋଡ଼। ପ୍ରେମିକା ଓ ପ୍ରେମିକ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଛନ୍ତି। ହେଲେ କେହି କାହାକୁ ‘ମୁଁ ତୁମକୁ ଭଲ ପାଏ’ ବୋଲି କହିପାରୁନାହାନ୍ତି। ଏଭଳି ଏକ ପ୍ରେମ କାହାଣୀରେ ଆଉ କିଛି ବିଚିତ୍ର ଚରିତ୍ରଙ୍କର ଆବିର୍ଭାବ ହେଉଛି।

ତିତ୍‌ଲି ପ୍ରଡକ୍ସନ୍ ନିବେଦିତ ପ୍ରଥମ ଚଳଚ୍ଚିତ୍ର ‘କହିବିନି ତୋତେ ଆଇ ଲଭ ୟୁ’ରେ ସହଯୋଗ କରିଛନ୍ତି ଏଲ୍‌ଟି ପ୍ରଡକ୍ସନ୍। କାହାଣୀ ପରିକଳ୍ପନା ସାଙ୍ଗକୁ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ପ୍ରୀତୀଶ ମହାନ୍ତି। ଅନ୍ୟପଟେ ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଓଲିଉଡ୍‌ର ଜଣାଶୁଣା ଯୁଗଳବନ୍ଦୀ ଆଲବମ୍ ଡିରେକ୍ଟର ଲୁବୁନ୍-ଟୁବୁନ୍। ଫିଲ୍ମର ସମସ୍ତ ସୋପାନର କାମ ସରିଯାଇଛି। କେବଳ ଅପେକ୍ଷା ସେନ୍ସର୍‌। ଆଗାମୀ ରଜ ସିଜିନ୍‌ରେ ଏଇ ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କ ସାମ୍ନାକୁ ଆସିବ ବୋଲି ଜଣାଇଛନ୍ତି ଏହାର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।

ବାପୁ ଗୋସ୍ୱାମୀଙ୍କ ରଚିତ ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାସ। ଅଭିନେତା ଲୁବୁନ୍‌ଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ ସୋନା। ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ମନସ୍ୱିନୀ, ସନ୍ଦୀପ ମିଶ୍ର, ଅର୍ପିତା କର, ରିଷ୍ଣା, ସରୋଜ ଦାସ, ଅଶୋକ ଦାଶ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ଟନିଆ ଭାଇ, ମିଲି ମହାନ୍ତି, ଡିସ୍କୋ ରେଡ୍ଡୀ, କାଳିଆ, ଗୁଡ୍ଡୁ ଓ ନନ୍‌ସେନ୍ସ ମଣିଙ୍କ ଭଳି କଳାକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe