ଭୁବନେଶ୍ବର: ନବେ ଦଶକରେ ଓଲିଉଡରେ ଅଣଓଡ଼ିଆ ନାୟିକା ରଚନା ବେଶ୍ ସକ୍ରିୟ ଥିଲେ । ସେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ସାଗର ଗଙ୍ଗା’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ । ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବା ପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ । ଏହାପରଠୁଁ ୨୦୦୨ ଯାଏଁ ନିଃସନ୍ଦେହରେ ରଚନା ଥିଲେ ଓଲିଉଡର ନମ୍ବର ଓ୍ଵାନ୍ ହିରୋଇନ୍ ।
ସେ ଓଡ଼ିଆ ସିନେ ନିର୍ମାତା, ନିର୍ଦ୍ଦେଶକ ଏବଂ ଦର୍ଶକଙ୍କର ଖୁବ୍ ପ୍ରିୟପାତ୍ର ହୋଇଯାଇଥିଲେ । ତେବେ ସେ ଯାହା ହେଉନା କାହିଁକି ରଚନା ଯେଉଁ ଏକଦଶନ୍ଧି ଧରି ଓଲିଉଡରେ ଖୁବ୍ ସକ୍ରିୟ ଥିଲେ, ସେହି ସମୟରେ ଯେଉଁ ନିର୍ଦ୍ଦେଶକମାନେ ଓଡ଼ିଆ ସିନେମା ନିର୍ମାଣ କରୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଟପ୍ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ରଚନା, କିନ୍ତୁ ସେହି ତାଲିକାରେ କେତେକ ନାହାନ୍ତି ଓ କାହା ସହ ସେ ଥରଟିଏ କାମ କରିଛନ୍ତି ଓଡ଼ିଆ ଛବି ।

ଓଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେଲେ ସବ୍ୟସାଚୀ ମହାପାତ୍ର। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ହେଲା ‘ସବୁ ମାୟାରେ ବାୟା’। ଏହା ୧୯୮୬ରେ ମୁକ୍ତିଲାଭ କରିଥିଲା। ତାପରେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଭୂଖା’, ‘ବୋଉ’(୧୯୯୮) ଏବଂ ‘ବାହୁଡ଼ିବେ ମୋ ଜଗାବଳିଆ’(୨୦୦୩), ଶ୍ରୀଜଗନ୍ନାଥ(୨୦୦୬) ଆଦି ମୁକ୍ତିଲାଭ କରିଥିଲା। ଏହି ‘ବୋଉ’ ଏବଂ ‘ବାହୁଡ଼ିବେ ମୋ ଜଗାବଳିଆ’ ଜ୍ୟୋତି ମିଶ୍ର ଓ ଉଷସୀ ମିଶ୍ର ନାୟିକା ଭାବେ ନଜର ଆସିଥିଲେ। ଏହାପରେ ବି ଆଜିଯାଏଁ ସବ୍ୟସାଚୀ ମହାପାତ୍ର ବେଶ୍ କେତୋଟି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି, ହେଲେ ସେଥିମଧ୍ୟରୁ କୌଣସି ଗୋଟିକରେ ନ ଥିଲେ ରଚନା। କହିବାବାହୁଲ୍ୟ ଯେ ସବ୍ୟସାଚୀ ମହାପାତ୍ର ଜଣେ ଜାତୀୟ ତଥା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନିର୍ଦ୍ଦେଶକ।ସବ୍ୟସାଚୀ ପରେ ଅବଶ୍ୟ ମୁଖ୍ୟ ଧାରାର ସିନେମାଠାରୁ ଦୂରେଇ ଯାଇଛନ୍ତି। ସେ ଶଲାବୁଢ଼ା, ଶଲାବୁଢ଼ାର ବଦଲା ଏବଂ ପାହାଡ଼ର ଲୁହ ଆଦି ଭିନ୍ନ ସ୍ବାଦର ଛବି ବି ନିର୍ମାଣ କରିଛନ୍ତି। ଏହା ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବି ଚର୍ଚ୍ଚିତ କରିଛି।
  
 Follow Us