ରଣବୀର-ଆଲିଆଙ୍କ ବ୍ରହ୍ମାସ୍ତ୍ର

Advertisment
ରଣବୀର-ଆଲିଆଙ୍କ ବ୍ରହ୍ମାସ୍ତ୍ର

‘ଜିନ୍ଦେଗି ମେ ଫିର୍ ତୁଝ୍‌ସେ ଖୁସି, ଜାରା ଘୁମ୍‌ଥି ତୁଝ୍‌ସେ ରୋଶନି, ତୁମ୍‌କୋ ଢୁଣ୍ଡୁ ମେ କହାଁ ଜାନା’ ଓ ‘ହମ୍ ତୁମ୍ ଫିର୍‌ସେ ଜିନ୍ଦା ହୋଗୟେ, ଆଜାଦ ପରିନ୍ଦା ହୋଗୟେ’। ଗୋଟିଏ ପ୍ରେମର ହସିଖୁସି ଏବଂ ଅନ୍ୟଟି ହେଉଛି ବିରହୀ। ଦୁଇଟିଯାକ ଗୀତ ଓ ଗୀତଦୃଶ୍ୟକୁ ଅନେକ ଦର୍ଶକ ଦେଖିସାରିଲେଣି। ଏପରିକି ହରିଦ୍ବାର ଗଙ୍ଗାଘାଟରେ ଯେଉଁ ଗୀତଟି ସୁଟିଂ ହେଇଥିଲା ତାହାର କିଛି କ୍ଲିପିଙ୍ଗ୍‌ସ ମଧ୍ୟ ସିନେପ୍ରେମୀମାନେ ଦେଖିସାରିଲେଣି। ରଣବୀର ଓ ଆଲିଆଙ୍କୁ ଏକାଠି ଦେଖିବାକୁ ଦୀର୍ଘଦିନ ହେଲା ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରଥମ ଥର ପାଇଁ ରଣବୀର ଓ ଆଲିଆ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଜରିଆରେ ବଡ଼ ପରଦାକୁ ଆସୁଛନ୍ତି।

ଶୁଣାଯାଉଛି ଏଥିରେ ସୁପର୍‌ହିରୋ ଭୂମିକାରେ ରଣବୀର ଅବତୀର୍ଣ୍ଣ ହେଇଛନ୍ତି। ପୁଣି ଏଥିରେ ବ୍ରହ୍ମାସ୍ତ୍ରର ମହାଗୁରୁ ଭୂମିକାରେ ଅଛନ୍ତି ଅମିତାଭ ବଚ୍ଚନ ଏବଂ ପ୍ରତ୍ନତତ୍ତ୍ବବିତ୍‌ ଭୂମିକାରେ ଅଛନ୍ତି ଦକ୍ଷିଣୀ ଇଣ୍ଡଷ୍ଟ୍ରିର ନାମୀ ଅଭିନେତା ନାଗାର୍ଜୁନ। ଏତିକିରେ ଏହାର ମନୋରଂଜନ ପ୍ୟାକେଜ୍ ଅଟକିଯାଇନାହିଁ। ‘ବ୍ରହ୍ମାସ୍ତ୍ର’ରେ ଆଇଟମ୍ ଗାର୍ଲ ଭୂମିକାରେ ଅଛନ୍ତି ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ନାଗିନ୍ ମୌନୀ ରାୟ। ଏମାନଙ୍କ ସହ ଡିମ୍ପଲ୍ କାପାଡିଆ, ପ୍ରତୀକ ବାବର, ଦୁବେନ୍ଦୁ, ଭିଶାଲ୍‌ କାରୱାଲ୍‌, ସୌରଭ ଗୁର୍ଜାର, ରାଶି ମାଲ୍‌ଙ୍କ ବ୍ୟତୀତ ଏକ ବିଶେଷ ଭୂମିକା (ବୈଜ୍ଞାନିକ)ରେ ଦେଖିବାକୁ ମିଳିବେ ଶାହାରୁଖ୍ ଖାନ୍।

ଅତୀତରେ ରଣବୀର ଓ ଆଲିଆଙ୍କ ଅଭିନୀତ ମ୍ୟୁଜିକ୍ ଭିଡିଓ ‘ସ୍ମାଇଲ୍ ଦେ କେ ଦେଖୋ’ ଉଭୟଙ୍କୁ ବହୁଚର୍ଚ୍ଚିତ କରିଥିଲା। ଗୀତଟି ଲେଖିଥିଲେ ବାୟୁ ଏବଂ ସ୍ବରସଂଯୋଜନା କରିଥିଲେ ଅମିତ ତ୍ରିବେଦୀ। କଣ୍ଠଦାନ କରିଥିଲେ ସୁନିଧି ଚୌହାନ ଓ ନାକାଶ ଅଜିଜ୍। ଏକଦା ରଣବୀର ବସିଥିଲେ ଅଡିଟୋରିଅମ୍‌ରେ ଆଉ ଆଲିଆ ଷ୍ଟେଜ୍ ଉପରେ ଗାଇଥିଲେ ‘ତେରେ ବିନା ଗୁଜାରା ୟେ ଦିଲ୍‌ ହୈ ମୁସ୍କିଲ୍‌’। ଗୀତଟି ସେତେବେଳେ ରଣବୀରଙ୍କ ପ୍ରତି ଆଲିଆଙ୍କ ଅନ୍ତରଙ୍ଗ ପ୍ରେମକୁ ଜଣାଇଦେଇଥିଲା। ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ରଣବୀର ଓ ଆଲିଆଙ୍କ ଯୋଡ଼ି କେମିତି ଲାଗିବ, ଏହା ସମସ୍ତଙ୍କର ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe