ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ବିବାଦୀୟ ବୟାନ ଦେବା ପରେ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ, ସେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ରଣବୀର ଏବଂ ସମୟ ରାଇନାଙ୍କ ବିରୋଧରେ ଅନେକ ରାଜ୍ୟରେ ଏତଲା ରୁଜୁ ହୋଇଛି। ପଡକାଷ୍ଟ ପାଇଁ ଲୋକପ୍ରିୟ ଥିବା ରଣବୀର ନିଜ ଅଶାଳୀନ ପ୍ରଶ୍ନ ପାଇଁ କ୍ଷମା ମାଗିବା ସତ୍ତ୍ୱେ, ଅତିଥିମାନେ ତାଙ୍କ ସୋ’କୁ ଆସିବାକୁ ମନା କରୁଛନ୍ତି।
ସାରା ଦେଶରେ ତାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ପଚରାଉଚରା ପାଇଁ ସମନ ପଠାଉଛି ପୁଲିସ। ହେଲେ ପୁଲିସର ସମନ ପରେ ବି ରଣବୀର ପୁଲିସ ଷ୍ଟେସନ ଆସୁନଥିବା ଜଣାପଡ଼ିଛି। ଏବେ ଏହାର କାରଣ ସାମ୍ନାକୁ ଆସିଛି। ଇଣ୍ଡିଆ ଗଟ୍ ଲ୍ୟାଟେଣ୍ଟ ବିବାଦ ସମ୍ପର୍କରେ ମୁମ୍ବାଇର ଖାର ପୁଲିସ ରଣବୀର ଆଲ୍ଲାବାଦିଆଙ୍କ ସହ ଯୋଗାଯୋଗ କରିଥିଲା ​​ଏବଂ ତାଙ୍କୁ ପଚରାଉଚରା ପାଇଁ ଖାର ପୁଲିସ ଷ୍ଟେସନରେ ହାଜର ହେବାକୁ କହିଥିଲା। ସମନ ପାଇ ରଣବୀର ଅନୁରୋଧ କରିଥିଲେ ଯେ, ତାଙ୍କୁ ପୁଲିସ ଷ୍ଟେସନକୁ ଡକାଇ ତାଙ୍କ ବୟାନ ରେକର୍ଡ ନକରାଯାଉ। କିନ୍ତୁ ପୁଲିସ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ପୁଲିସ ଷ୍ଟେସନରେ ହାଜର ହୋଇ ତାଙ୍କ ବୟାନ ରେକର୍ଡ କରିବାକୁ କହିଛି।
କୁହାଯାଉଛି ଯେ, ରଣବୀର ପୁଲିସ ଷ୍ଟେସନ ଆସିବାକୁ ଡରୁଥିବାରୁ ଏଭଳି ଅନୁରୋଧ କରିଥିଲେ। ହେଲେ ପୁଲିସ ଏହି ଅନୁରୋଧକୁ ରଖିନାହିଁ।
Follow Us