ନିଜ ଗୋପନ ବିବାହର ରହସ୍ୟ ଖୋଲିଲେ ମାହି

ନିଜ ଗୋପନ ବିବାହର ରହସ୍ୟ ଖୋଲିଲେ ମାହି

ମୁମ୍ବାଇ:  ବିବାହ ପରି ବିରଳ ସାମାଜିକ ବନ୍ଧନକୁ ଯେତେ ଗୋପନ ରଖିଲେ ବି ଦିନେ ନା ଦିନେ ତାହା ନିଶ୍ଚୟ ଆତ୍ମପ୍ରକାଶ କରିବ। ବେଳେ ବେଳେ କୌଣସି ବିଶ୍ବସ୍ତ ସୂତ୍ରରୁ ତାହା ଲୋକଲୋଚନକୁ ଆସିଥାଏ ତ କେବେ ମଧ୍ୟ ଗୁଜବର ଆହ୍ବାନ ସ୍ବରୂପ ତାହା ଆଉ ଅନ୍ଧାରରେ ରହିପାରିନଥାଏ। ତେବେ ନିଜର ଗୋପନ ବିବାହର ରହସ୍ୟକୁ ନିଜେ ଖୋଲିଥିବା ଅଭିନେତ୍ରୀ ମାହି ଗିଲ୍‌ ଏବେ ଚର୍ଚ୍ଚାରେ। ଉଦ୍ୟୋଗୀ ଅଭିନେତା ରବି କେଶରଙ୍କ ସହ ମାହିଙ୍କର ଦୀର୍ଘ ଏକ ଦଶନ୍ଧି ଧରି ପ୍ରେମ ସମ୍ପର୍କ ରହି ଆସିଛି ବୋଲି ଜୋର୍‌ଦାର ଚର୍ଚ୍ଚା ଚାଲିଥିବା ବେଳେ ସେଭଳି ଗୁଜବକୁ ଆଉ ପ୍ରଶ୍ରୟ ଦେବାକୁ ସେ ପସନ୍ଦ କରିନାହାନ୍ତି। ୨୦୧୯ର ୱେବ୍‌ ଧାରାବାହିକ ‘ଫିକ୍ସର’ର ସହଅଭିନେତା ରବିଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ବୋଲି ମାହି ସଦ୍ୟ ପ୍ରକାଶ କରିଛନ୍ତି। ସେ ଏବେ ଗୋଆରେ ଛଅ ବର୍ଷର ଏକମାତ୍ର କନ୍ୟା ବିରୋନିକା ଓ ସ୍ବାମୀ ରବି କେଶରଙ୍କ ସହ ଅବସ୍ଥାନ କରୁଥିବା ଜଣାଯାଇଛି।

ଏହା ପୂର୍ବରୁ ମଧ୍ୟ ୨୦୧୯ରେ ନିଜ ପ୍ରଶଂସକମାନଙ୍କୁ ମାହି ଏଭଳି ଏକ ଚାଞ୍ଚଲ୍ୟକର ଖବର ପରଷି ଚକିତ କରିଦେଇଥିଲେ। ସେତେବେଳେ ତାଙ୍କ ପାଖରେ ତାଙ୍କର ଏକ ଅଢ଼େଇ ବର୍ଷର କନ୍ୟାସନ୍ତାନ ରହିଛି ବୋଲି କହି ନାନା କଟାକ୍ଷର ଶିକାର ହୋଇଥିଲେ। ତେବେ ମାହି ନିଜକୁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟକ୍ତି ବୋଲି କହିବା ସହ କିଛି ବ୍ୟକ୍ତିଗତ କାରଣ ଯୋଗୁଁ ସେ ସାମାଜିକ ଗଣମାଧ୍ୟମରେ ବିରୋନିକାଙ୍କ ଫଟୋ ସେୟାର କରୁନାହାନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନରେ ଏମିତି ଅନେକ ଘଟଣା ମଧ୍ୟ ରହିଛି ଯାହା ଲୋକଲୋଚନକୁ ଆସିନାହିଁ।

ସୂଚନାଯୋଗ୍ୟ, ୨୦୦୩ରେ ପଞ୍ଜାବୀଭିତ୍ତିକ ବଲିଉଡ୍‌ ସିନେମା ‘ହାଵାୟେଁ’ରେ ପ୍ରଥମ ପଦାର୍ପଣ କରିଥିବା ମାହେ ୪୦ରୁ ଅଧିକ ହିନ୍ଦୀ ଓ ପଞ୍ଜାବୀ ସିନେମା ସମେତ ଚାରିଟି ୱେବ୍‌ ଧାରାବାହିକରେ ଅଭିନୟ କରି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ବିଶେଷ କରି ‘ଦେବ ଡି’ ଓ ‘ସାହେବ ବିବି ଔର ଗାଙ୍ଗଷ୍ଟର’ ଭଳି ଫିଲ୍ମରେ ତାଙ୍କ ଦକ୍ଷତା ସ୍ପଷ୍ଟ ବାରିହୁଏ। ସେଥିପାଇଁ ତାଙ୍କୁ ୨୦୧୦ରେ ଫିଲ୍ମଫେୟାର ସମ୍ମାନ ଓ ସ୍କ୍ରିନ୍‌ ସମ୍ମାନ ସମେତ ଛଅଟି ଜାତୀୟ ସ୍ତରୀୟ ପୁରସ୍କାର ମିଳିଛି। ଆଗକୁ ୱେବ୍‌ ଧାରାବାହିକ ‘୧୯୬୨ ଦି ଵାର ଇନ୍‌ ଦି ହିଲ୍‌ସ’ରେ ତାଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe