ଅଢ଼େଇ କିଲିଆ ହାତର ଦକ୍ଷିଣାୟନ

Advertisment

ସନ୍ନି ଦେଓଲଙ୍କୁ ନେଇ ଏକ ଆକ୍ସନ ସିନେମା କଳ୍ପନା କଲେ ସଙ୍ଗେ ସଙ୍ଗେ ଯାହା ମନକୁ ଆସେ ତାହା ହେଲା- ଅଢ଼େଇ କିଲିଆ ବାହୁର ଶକ୍ତି ପ୍ରଦର୍ଶନ, ସିଂହସମ ଚିତ୍କାର, ଦେଶପ୍ରେମର ପରାକ୍ରମ ଇତ୍ୟାଦି ଇତ୍ୟାଦି।

ସନ୍ନି ଦେଓଲଙ୍କୁ ନେଇ ଏକ ଆକ୍ସନ ସିନେମା କଳ୍ପନା କଲେ ସଙ୍ଗେ ସଙ୍ଗେ ଯାହା ମନକୁ ଆସେ ତାହା ହେଲା- ଅଢ଼େଇ କିଲିଆ ବାହୁର ଶକ୍ତି ପ୍ରଦର୍ଶନ, ସିଂହସମ ଚିତ୍କାର, ଦେଶପ୍ରେମର ପରାକ୍ରମ ଇତ୍ୟାଦି ଇତ୍ୟାଦି।

saasxzx

ସନ୍ନି ଦେଓଲଙ୍କୁ ନେଇ ଏକ ଆକ୍ସନ ସିନେମା କଳ୍ପନା କଲେ ସଙ୍ଗେ ସଙ୍ଗେ ଯାହା ମନକୁ ଆସେ ତାହା ହେଲା- ଅଢ଼େଇ କିଲିଆ ବାହୁର ଶକ୍ତି ପ୍ରଦର୍ଶନ, ସିଂହସମ ଚିତ୍କାର, ଦେଶପ୍ରେମର ପରାକ୍ରମ ଇତ୍ୟାଦି ଇତ୍ୟାଦି। ‘ଜାଟ’ରେ ଏସବୁର ଅଭାବ ନାହିଁ; ତା’ ସହିତ ମିଶିଯାଇଛି ତେଲୁଗୁ ସିନେମାର ଚତୁର କାହାଣୀ ଓ ଆକ୍ସନ କୌଶଳ। ସନ୍ନିଙ୍କ ସହ ‘ଗଦର’ ସିନେମାର ‘ତାରା ସିଂହ’ ଚରିତ୍ର ଏଭଳି ଏକାକାର ହୋଇଯାଇଛି ଯେ କୌଣସି ସିନେମା ନିର୍ମାତା ତାଙ୍କୁ ଭିନ୍ନ ରୂପରେ ଦେଖାଇବାର ସାହସ କରିପାରିବେ ନାହିଁ। ତେଣୁ ‘ଜାଟ’ରେ ତାଙ୍କ ଚରିତ୍ର ଅବତୀର୍ଣ୍ଣ ହେବା ପରେ କହୁଛି ଯେ ଉତ୍ତର ଭାରତ ତାଙ୍କ ଅଢ଼େଇ କିଲିଆ ହାତ ବିଷୟରେ ଜାଣିଛି, ଏବେ ଦକ୍ଷିଣ ଭାରତ ତା’ ଶକ୍ତି ଦେଖିବ। ମାନବିକ କ୍ଷମତା, ପଦାର୍ଥବିଜ୍ଞାନ, ରାଜନୈତିକ ବାସ୍ତବତାକୁ ଅଣଦେଖା କଲେ ଆକ୍ସନ ସିନେମା ପସନ୍ଦ କରୁନଥିବା ଦର୍ଶକ ବି ‘ଜାଟ’ ଉପଭୋଗ କରିପାରିବେ। 

ଏ ସିନେମା ଆରମ୍ଭ ହୁଏ ୨୦୦୯ ମସିହାର ଶ୍ରୀଲଙ୍କାରୁ, ଯେଉଁଠି ଖଳନାୟକ ରାଣାତୁଙ୍ଗା (ରଣଦୀପ ହୁଡ଼ା) ଓ ତା’ ଭାଇ ସୋମୁଲୁ (ବିନୀତ କୁମାର ସିଂହ) ଏକ ସୁନାଭର୍ତ୍ତି ସିନ୍ଦୁକ ଚୋରାଇ ନେଇ ଆନ୍ଧ୍ରପ୍ରଦେଶ ଚାଲିଆସନ୍ତି। ଦୁର୍ନୀତିଗ୍ରସ୍ତ ପୁଲିସ ଓ ରାଜନେତାଙ୍କ ସାହାଯ୍ୟରେ ସେମାନେ କେବଳ ଭାରତର ନାଗରିକତା ପାଆନ୍ତି ନାହିଁ, ଏକ ବିରାଟ ଗୁଣ୍ଡା ସାମ୍ରାଜ୍ୟ ମଧ୍ୟ ପ୍ରତିଷ୍ଠା କରନ୍ତି। ବର୍ତ୍ତମାନ ସମୟରେ ରାମାୟପାଟନମ୍ ଗାଁର ଏକ ବିଲରୁ ଦଶ ଜଣ ଗ୍ରାମବାସୀଙ୍କ ମୁଣ୍ଡହୀନ ଶବ ମିଳେ। ଏହାର କାରଣକୁ ବିଚକ୍ଷଣ ଭାବେ ଦ୍ବିତୀୟାର୍ଦ୍ଧ ପର୍ଯ୍ୟନ୍ତ କାହାଣୀ ଲେଖକ ରହସ୍ୟରେ ରଖିଛନ୍ତି, ଯାହାର ଉତ୍ସ କର୍ପୋରେଟ୍‌ ଲୋଭ ଓ ଦୁର୍ନୀତି ମଧ୍ୟରେ ରହିଆସିଥିବା ଆପରାଧିକ ଯୋଗସୂତ୍ର ବୋଲି ଉନ୍ମୋଚିତ ହୁଏ। ସେ ପ୍ରସଙ୍ଗରେ ଏ କାହାଣୀ ଧ୍ୟାନ କେନ୍ଦ୍ରିତ କରିଥିଲେ ସିନେମାଟି ଅଧିକ ରୋଚକ ହୋଇପାରନ୍ତା, କିନ୍ତୁ ‘ଜାଟ’ ଶୀର୍ଷକକୁ ଯଥାର୍ଥ ଦର୍ଶାଇବା ପାଇଁ ନାୟକର ସାହସିକତା ଓ ନିଃସ୍ବାର୍ଥପରତା ଉପରେ ସବୁତକ ଗୁରୁତ୍ବ ଲଦିଦିଆଯାଇଛି। ନାୟକର ପରିଚୟ ଆଉ ଏକ ରହସ୍ୟ ଯାହା ଶେଷ ପର୍ଯ୍ୟନ୍ତ ଜାଣିବାକୁ ମିଳି ନଥାଏ। 

ଏହି ସିନେମାର କେତେକ ପ୍ରଶଂସନୀୟ ଦିଗ ହେଉଛି- ନାୟକ ଇଟିଲି ଖାଇବା ବେଳ ଘଟଣାର ବ୍ୟାଖ୍ୟା ବାରମ୍ବାର କରିଥିଲେ ହେଁ ତାହା ପ୍ରତି ଥର ଅଧିକ ରୋଚକ ଲାଗିଥାଏ। ଏହି ସିେନମାରେ ରୋମାଞ୍ଚ ଶେଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି। ଖଳନାୟକ ଭାବେ ରଣଦୀପ ଓ ବିନୀତଙ୍କ ପ୍ରଦର୍ଶନ ସନ୍ନିଙ୍କ ତୁଳନାରେ ଅଧିକ ଆକର୍ଷଣୀୟ। ସେହିପରି ରେଜିନା କ୍ୟାସେଣ୍ଡ୍ରା, ଉପେନ୍ଦ୍ର ଲିମାୟେ, ଜରିନା ଵାହାବ ଅଳ୍ପ ସମୟର ଉପସ୍ଥିତି ସତ୍ତ୍ବେ ପ୍ରଭାବୀ ଅଭିନୟ ପ୍ରଦର୍ଶନ କରିଛନ୍ତି।
‘ଟଚ୍‌ କିୟା’ ଆଇଟମ୍ ନମ୍ବର ଗୀତ ଓ ସେଥିରେ ଉର୍ବଶୀ ରୌତେଲାଙ୍କ ନୃତ୍ୟ, କୌଣସିଟି ରୁଚିପୂର୍ଣ୍ଣ ଲାଗିଲା ନାହିଁ। ତେବେ ଅଢ଼େଇ ଘଣ୍ଟାର ଲମ୍ବା କାହାଣୀଟି ଦର୍ଶକଙ୍କୁ ବିତୃଷ୍ଣ କରିବ ନାହିଁ। ଶେଷରେ ‘ଜାଟ୍‌’ ସମ୍ପର୍କିତ ଏକ ସତର୍କତାମୂଳକ ବାର୍ତ୍ତା- ପ୍ରେକ୍ଷାଳୟରେ ଗତ ରାତିର ନିଦ ପୂରା କରିବାକୁ ଯାଉଥିବା ଲୋକମାନେ ‘ଜାଟ’ ଦେଖିବାକୁ ଯିବା ଅନୁଚିତ, କାରଣ ଏହାର ତୀବ୍ର ଧ୍ବନିବିଶିଷ୍ଟ ପ୍ରଚ୍ଛଦ ସଂଗୀତ ଏହାକୁ ‘ନିଦ୍ରାପ୍ରୁଫ୍‌’ (‘ବୁଲେଟ୍‌ପ୍ରୁଫ୍‌’ ଛାୟାରେ) ସିନେମାରେ ପରିଣତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe