Image Source: Zee News
ମୁମ୍ବାଇ: ବଲିଉଡ୍ର ଅନ୍ୟତମ କିଂବଦନ୍ତି ଅଭିନେତା ଓ ହିନ୍ଦୀ ଚଳଚ୍ଚିତ୍ରର ପ୍ରକୃତ ‘ଚକ୍ଲିଟ୍ ବୟ’ ଋଷି କପୁରଙ୍କର ଗୁରୁବାର ସକାଳ ୮: ୪୫ରେ ଦେହାନ୍ତ ହୋଇଯାଇଛି। ‘ଶ୍ରୀ୪୨୦’ ଏବଂ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ରରେ ଶିଶୁ ଅଭିନେତା ଭାବେ ଅଭିନୟ କରିଥିବା ଋଷି କପୁର ୧୯୭୩ ମସିହାରେ ମୁକ୍ତିଲାଭ କରିଥିବା ‘ବବି’ ଚଳଚ୍ଚିତ୍ରରେ ପ୍ରଥମେ ନାୟକ ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ଏବଂ ସେଥିରେ ଅଭିନୟ ପାଇଁ ୧୯୭୪ରେ ତାଙ୍କୁ ମିଳିଥିଲା ‘ଫିଲ୍ମଫେୟାର୍ ବେଷ୍ଟ୍ ଆକ୍ଟର୍ ଆୱାର୍ଡ’। ଏହି କ୍ଲାସିକ୍ ରୋମାଣ୍ଟିକ୍ ଡ୍ରାମାରେ ତାଙ୍କର ନାୟିକା ସାଜିଥିଲେ ନବାଗତା ଡିମ୍ପଲ୍ କାପାଡ଼ିଆ। ରାଜ କପୁରଙ୍କ ନିର୍ଦେଶିତ ‘ବବି’ର ଲେଖକ ଥିଲେ ଖ୍ବାଜା ଅହମଦ୍ ଅବ୍ବାସ୍। ଏହି ଚଳଚ୍ଚିତ୍ରରୁ ହିଁ ଆରମ୍ଭ ହୋଇଥିଲା ରୋମାଣ୍ଟିକ୍ ହିରୋଙ୍କ ଉତ୍ଥାନର ଯୁଗ।
ଏହା ପରେ ୧୯୭୫ରେ ମୁକ୍ତିଲାଭ କରିଥିଲା ରବି ଟଣ୍ଡନ୍ଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଖେଲ୍ ଖେଲ୍ ମୈଁ’। ଏଥିରେ ଋଷି କପୁର, ନୀତୁ ସିଂହ ଓ ରାକେଶ ରୋଶନ୍ କଲେଜ ବିଦ୍ୟାର୍ଥୀ ଭାବେ ଅଭିନୟ କରିଥିଲେ। ନୂଆ ଯୁଗର ରୋମାନ୍ସ୍ ଏବଂ ଥ୍ରିଲ୍ ଥିବା ଏହି ଚଳଚ୍ଚିତ୍ର ସୁପର୍ ହିଟ୍ ସାବ୍ୟସ୍ତ ହୋଇଥିଲା।
ଏଥର ୧୯୮୦ରେ ଆସିଲା ସୋମ୍ୟାନ୍ ସୁଭାଷ ଘାଇଙ୍କ ସୁପର୍ ହିଟ୍ ମିଉଜିକାଲ୍ ଥ୍ରିଲର୍ ‘କର୍ଜ’। ଏଥିରେ ମୁଖ୍ୟ ଚରିତ୍ରରେ ଋଷି କପୁର ଓ ଟିନା ମୁନିମ୍ ଅଭିନୟ କରିଥିବା ବେଳେ ସିମି ଗେର୍ୱାଲ୍ ଏକ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କୁ ବିଶେଷ ପ୍ରଭାବିତ କରିଥିଲା। ଆଜି ମଧ୍ୟ ‘କର୍ଜ’ ଚଳଚ୍ଚିତ୍ରର ଗୀତ ଶ୍ରୋତାମାନଙ୍କୁ ବିମୁଗ୍ଧ କରୁଛି।
Image Source: The Times of Indiaଋଷିଙ୍କ ଅଭିନୀତ ପରବର୍ତ୍ତୀ ରୋମାଣ୍ଟିକ୍ ଚଳଚ୍ଚିତ୍ର ଥିଲା ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଯଶ ଚୋପ୍ରାଙ୍କ ‘କଭି କଭି’। ଏଥିରେ ଅନ୍ୟ ଅଭିନେତାଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ, ରାଖୀ, ଶଶି କପୁର, ୱହୀଦା ରେହମନ୍, ଋଷି କପୁର ଓ ନୀତୁ ସିଂହ।
ପୁଣି ସେହି ୧୯୭୬ରେ ଆସିଲା ଅନ୍ୟ ଏକ କ୍ଲାସିକ୍ ପ୍ରେମ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଲୈଲା ମଜ୍ନୁ’। ହର୍ନାମ୍ ସିଂହ ରାୱଲେ୍ଙ୍କ ନିର୍ଦେଶିତ ଏହି ଛାୟାଛବିରେ ଅଭିନୟ କରିଥିଲେ ଋଷି କପୁର, ରଞ୍ଜୀତା, ଡାନ୍ନୀ ଡେଞ୍ଜୋଙ୍ଗ୍ପା, ଅରୁଣା ଇରାନୀ, ଆସ୍ରାନୀ, ଇଫ୍ତେଖର୍, ଟମ୍ ଅଲ୍ଟର୍ ଏବଂ ରଞ୍ଜୀତ। ଏହାର ସଙ୍ଗୀତ ନିର୍ଦେଶନା ଦେଇଥିଲେ ମଦନ ମୋହନ ଏବଂ ଜୟଦେବ। ଏହି ଚଳଚ୍ଚିତ୍ରକୁ ଦେଖିବା ନିମନ୍ତେ ଲୋକେ ସିନେମା ହଲ୍ ବାହାରେ ଧାଡ଼ି ବାନ୍ଧି ଠିଆ ହୋଇ ରହୁଥିଲେ।
୧୯୭୭ରେ ଆସିଲା ଆକ୍ସନ୍ ଓ କମେଡି ଭରା ‘ଅମର ଅକବର୍ ଆନ୍ଥୋନି’। ଏଥିରେ ଅମିତାଭ ବଚ୍ଚନ, ଋଷି କପୁର ଓ ବିନୋଦ ଖାନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। କାଦର ଖାଁଙ୍କ ରଚିତ ଓ ମନମୋହନ ଦେଶାଇ ନିର୍ଦେଶିତ ଏହି ଚଳଚ୍ଚିତ୍ରର ଷ୍ଟାର୍ କାଷ୍ଟ୍ ଓ କାହାଣୀ ଥିଲା ବଡ଼ ବିଚିତ୍ର। ଉପରୋକ୍ତ ତିନି ଅଭିନେତାଙ୍କ ସହ ଏଥିରେ ଅଭିନୟ କରିଥିଲେ ଶବନା ଆଜ୍ମି, ନୀତୁ ସିଂହ, ପର୍ୱିନ୍ ବାବି, ନିରୂପା ରାୟ, ପ୍ରାଣ, ଜୀବନ, ନାଜୀର୍ ହୁସେନ୍, ରଞ୍ଜୀତ ଓ ହେଲେନ୍।
ତା’ପଛକୁ ୧୯୮୨ରେ ଆସିଲା ଋଷି କପୁର ଓ ତରୁଣୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନୀତ ‘ପ୍ରେମ୍ ରୋଗ୍’। ଜଣେ ଯୁବକ ଜଣେ ବିଧବାଙ୍କୁ ବାହା ହେବାକୁ ଇଚ୍ଛା ପ୍ରକାଶ କରୁଥିବା ଭଳି ବଳିଷ୍ଠ କାହାଣୀ ଥିଲା ଏହି ଚଳଚ୍ଚିତ୍ରରେ।
Image Source: My Good Timesପରେ ପରେ ୧୯୮୬ରେ ଆସିଲା ନାଗନାଗୁଣୀ ପ୍ରେମ କାହାଣୀ ଆଧାରିତ ଚଳଚ୍ଚିତ୍ର ‘ନାଗିନା’। ଏଥିରେ ଋଷି କପୁର ଓ ଶ୍ରୀଦେବୀଙ୍କ ଅଭିନୟ ଚାରି ଆଡ଼େ ଆଲୋଚ୍ୟ ବିଷୟ ପାଲଟିଲା। ଏହାର କାହାଣୀ ଲେଖିଥିଲେ ଜଗମୋହନ କପୁର, ଚିତ୍ରନାଟ୍ୟ ଲେଖିଥିଲେ ରବି କପୁର ଏବଂ ନିର୍ଦେଶନା ଦେଇଥିଲେ ହର୍ମେଶ ମାଲହୋତ୍ରା। ଏହା ଥିଲା ୮୦ ଦଶକର ବ୍ଲକ୍ ବଷ୍ଟର୍।
୨୦୧୨ରେ ଆସିଲା ‘ଅଗ୍ନିପଥ୍’ର ରିମେକ୍। ଋତ୍ବିକ୍ ରୋଶନ୍ ଅଭିନୀତ ଏହି ଚଳଚ୍ଚିତ୍ରରେ ଋଷି କପୁର ଅଣ୍ଡର୍ ୱାର୍ଲଡ୍ ଡନ୍ ରୌଫ୍ ଲାଲା ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କ ଚକିତ କରି ପକାଇଥିଲେ।
ଏବଂ ୨୦୧୬ରେ ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘କପୁର ଆଣ୍ଡ୍ ସନ୍ସ’। ସକୁନ ବତ୍ରାଙ୍କର ଏହି ରୋମାଣ୍ଟିକ୍ କମେଡିରେ ସିଦ୍ଧାର୍ଥ ମାଲହୋତ୍ରା, ଫୱାଦ୍ ଖାଁ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବି ଋଷି କପୁର, ରତ୍ନା ପାଠକ ଏବଂ ରଜତ କପୁରଙ୍କ ଭୂମିକା ମଧ୍ୟ ଗୁରୁତ୍ବ ବହନ କରିଥିଲା। ଏଥିରେ ଋଷି କପୁରଙ୍କ ହାସ୍ୟୋଦ୍ଦୀପକ ଓ ଚଗଲା ଜେଜେବାପାଙ୍କ ଚରିତ୍ରରେ ଅଭିନୟ ଉଚ୍ଚକୋଟୀର ହୋଇପାରିଥିଲା।
ଏସବୁ ଚଳଚ୍ଚିତ୍ର ବ୍ୟତୀତ ଆହୁରି ଅନେକ ଚଳଚ୍ଚିତ୍ରରେ ଋଷିଙ୍କ ଅଭିନୟ ତାଙ୍କୁ ଖୁବ୍ ଜନପ୍ରିୟ କରାଇ ପାରିଥିଲା।
Follow Us