ମୁମ୍ବାଇ: ୯୫ତମ ‘ଏକାଡେମି ଆୱାର୍ଡସ୍’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଥିଲା। ‘ଆରଆରଆର’ ଚଳଚ୍ଚିତ୍ର ସହିତ ଦେଶ ତଥା ବିଶ୍ବବାସୀଙ୍କ ମନ କିଣିଥିଲେ ଅଭିନେତା ଜୁନିୟର ଏନଟିଆର। ଏହି ଫିଲ୍ମ ପରେ ଜୁନିୟର ଏନଟିଆରଙ୍କ ସହିତ ସମସ୍ତେ କାମ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ତାଙ୍କ ଚାହିଦା ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ତାଙ୍କର ଆଗାମୀ ଫିଲ୍ମ କ’ଣ ହେବ, ତାହା ଜାଣିବା ପାଇଁ ଉତ୍ସାହିତ ଅଛନ୍ତି ତାଙ୍କ ପ୍ରଶଂସକ। ହେଲେ ଏ ମଧ୍ୟରେ ଅଭିନେତା ଆଉ ଫିଲ୍ମ କରିବେ ନାହିଁ ବୋଲି କହିଛନ୍ତି।
ତେବେ ଅଭିନେତା ନିଜ ପ୍ରଶଂସକଙ୍କ ସହ ଥଟ୍ଟା କରି ଏଭଳି କହିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଜୁନିୟର ଏନଟିଆର ହାଇଦ୍ରାବାଦରେ ଏକ ଫିଲ୍ମର ପ୍ରି-ରିଲିଜ୍ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଦେଖି ତାଙ୍କ ପ୍ରଶଂସକ ଉତ୍ସାହିତ ହୋଇଯିବା ସହ ତାଙ୍କର ଆଗାମୀ ଫିଲ୍ମ କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ। ଏହା ଶୁଣି ମଜାକରେ ସେ କହିଥିଲେ “ମୁଁ କୌଣସି ଚଳଚ୍ଚିତ୍ର କରୁନାହିଁ। ଯଦି ଆପଣ ବାରମ୍ବାର ପଚାରିବେ, ମୁଁ ଚଳଚ୍ଚିତ୍ର କରିବା ବନ୍ଦ କରିଦେବି। " ଏଭଳି କହିବା ପରେ ସେ ତୁରନ୍ତ ହସି ହସି ଥଟ୍ଟାରେ ଏଭଳି କହୁଥିବା କହିଥିଲେ। ଏହା ସହ ସେ ଆଗକୁ ମଧ୍ୟ ଫିଲ୍ମ କରିବା ଜାରି ରଖିବେ ବୋଲି କହିଥିଲେ। ହେଲେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସେ କୌଣସି ତଥ୍ୟ ଦେଇନଥିଲେ।
Follow Us