ଭୁବନେଶ୍ବରରେ ପ୍ରିମିୟର ସୋ’: ମନମୋହିଲା ‘ଶଳା ବୁଢ଼ାର ବଦ୍‌ଲା’

ଭୁବନେଶ୍ବରରେ ପ୍ରିମିୟର ସୋ’: ମନମୋହିଲା ‘ଶଳା ବୁଢ଼ାର ବଦ୍‌ଲା’

ଭୁବନେଶ୍ବର : ଓଡ଼ିଶାର ୩୦ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦ୍‌ଲା’। ଭୁବନେଶ୍ୱରସ୍ଥିତ ସ୍ୱାତୀ ସିନେମା ହଲ୍‌ରେ ଏହାର ପ୍ରିମିୟର ସୋ’ ପ୍ରଦର୍ଶିତ ହୋଇଥିଲା। ସୋ’ରେ ବହୁ କଳାକାର, ଓଡ଼ିଆ ସିନେପ୍ରେମୀଙ୍କ ସମେତ ସିନେମା ଜଗତର ଖ୍ୟାତନାମା ପ୍ରଯୋଜକ ଅକ୍ଷୟ ପରିଜା, ସୁଶାନ୍ତ ମିଶ୍ର, ସଚିକାନ୍ତ ଜେନା, ଵିନି ପଟ୍ଟନାୟକ, ଗଦାଧର ପୁଟ୍ଟି, ଶ୍ରୀଧର ମାର୍ଥା, ଜିତେଶ ପରିଡ଼ା, ସନଲିସା ପଟେଲ୍, ଦିଲ୍ଲୀପ ଶ୍ରୀଚନ୍ଦନ, ଅତିସ ରାଉତ, ଅଭିନେତା ପାର୍ଥ, ସ୍ବରାଜ, ଅଭିନେତ୍ରୀ ଅନନ୍ୟା, ବୈଶାଳୀ ଓ ସସ୍ମିତା ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ସିନେମାଟି ଦେଖି ନିଜର ମତ ଦେଇଥିଲେ।

ଗର୍ବର କଥା ଯେ ଏକ ଲମ୍ବା ସମୟ ଅବଧି ମଧ୍ୟରେ ଦେଶରେ ଦ୍ୱିତୀୟ ଟ୍ରାଇଲୋଜି ସିନେମା ଆମ ଓଡ଼ିଶାରେ ତିଆରି ହୋଇଛି ଓ ତାହା ହେଉଛି ଏକ ନିଆରା ଓ ହୃହୟସ୍ପର୍ଶୀ ସିନେମା ‘ଶଳା ବୁଢ଼ାର ବଦଲା’। ଲୁପ୍ତପ୍ରାୟ ସଂସ୍କୃତି ଓ ଲୋକସଂସ୍କୃତିକୁ ନେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ନିର୍ମିତ ‘ଆଦିମ ବିଚାର’ ଓ ‘ଶଲା ବୁଢ଼ା’ ପରେ ଏହି ସିନେମା ହେଉଛି ଟ୍ରାଇଲୋଜିର ତୃତୀୟ ଅଧ୍ୟାୟ। ପ୍ରଥମଥର ପାଇଁ ପିତା ଓ ପୁତ୍ର ଅର୍ଥାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ପ୍ରଯୋଜକ କୁମାର ସି. ଦେବ ମହାପାତ୍ର ଏକାଥରକେ ଏହି ଫିଲ୍ମ ପାଇଁ ଜାତୀୟ ପୁରସ୍କାର ପାଇଥିଲେ। ସବୁଠାରୁ ବଡ଼ କଥା, ଏହି ଟ୍ରାଇଲୋଜିର ସଙ୍ଗୀତ ଜାତୀୟ ପୁରସ୍କାର ପାଇଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ଜାଲ୍।

ପ୍ରଥମଥର ପାଇଁ ‘ଶଳା ବୁଢ଼ାର ବଦଲା’ ଦୁବାଇ ଏକ୍ସପୋ-୨୦୨୦ ରେ ୱାର୍ଲ୍ଡ ପ୍ରିମିୟର ହୋଇଥିଲା। ଉପସ୍ଥିତ ସିନେ ସମୀକ୍ଷକଙ୍କ କହିବା ଅନୁସାରେ, ‘ଶଳା ବୁଢ଼ାର ବଦଲା’ ହେଉଛି ଏକ ଜଟିଳ ମାନବ ଭାବନା ଓ ସମ୍ପର୍କର ଚିତ୍ର, ଯେଉଁଥିରେ ଅଛି ଭରପୂର କମେଡି ଓ ସସପେନ୍ସ। ସ୍ବର୍ଗତ ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନି ବାଗ, ବିନ୍ଦୁ, ବୈରାଗୀ, ନେତ୍ରାନନ୍ଦ, ଜିତ୍ ଓ ମଣ୍ଟୁ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ସଙ୍ଗୀତ ବିତରଣ ଦାୟିତ୍ବ ଆମ୍‌ରା ମ୍ୟୁଜିକ ନେଇଛି ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe