ନୂଆଦିଲ୍ଲୀ: ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ସଲମାନଙ୍କ ଜନ୍ମଦିନ ଅବସରେ ତାଙ୍କ ଘର ସାମ୍ନାକୁ ଏତେ ସଂଖ୍ୟକ ଫ୍ୟାନ୍ସ ଏକାଠି ହୋଇଥିଲେ କି ଭିଡ଼କୁ ଆୟତ୍ତ କରିବାକୁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା।
ଏହି କ୍ରମରେ ଜଣେ ଫ୍ୟାନ୍ସଙ୍କ ସହିତ ସଲମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପ୍ରଶଂସକଙ୍କ ନାମ ସମୀର ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶର ଜବଲପୁରରେ ରହୁଥିବା ସମୀର ସଲମାନଙ୍କୁ ଭେଟିବା ପାଇଁ ୧୧୦୦କିଲୋମିଟର ସାଇକେଲ ଚଲାଇ ଆସିଥିଲେ। ଏତେ କିଲୋମିଟର ସାଇକେଲ ଚଲାଇ ଆସିବା ସମୟରେ ତାଙ୍କୁ ଯନ୍ତ୍ରଣା ବି ହୋଇଥିଲା। କିନ୍ତୁ ସେ ସମସ୍ତ ଯନ୍ତ୍ରଣାକୁ ଅଣଦେଖା କରି ସଲମାନଙ୍କୁ ଦେଖା କରିବାକୁ ଆଗେଇ ଚାଲିଥିଲେ। ସୌଭାଗ୍ୟବଶତଃ ସମୀର ଯେତେବେଳେ ସଲମାନଙ୍କ ଘର ସାମ୍ନାରେ ପହଞ୍ଚିଲେ ସୁପରଷ୍ଟାର ଘରେ ହିଁ ଉପସ୍ଥିତ ଥିଲେ।
ଜଣେ ଫ୍ୟାନ୍ସ ତାଙ୍କୁ ୧୧୦୦କିମି ସାଇକେଲରେ ଯାତ୍ରା କରି ପହଞ୍ଚିଥିବା ଖବର ସେ ଯେତେବେଳେ ପାଇଥିଲେ ସଲମାନ ଘରୁ ବାହାରକୁ ଆସିଥିଲେ। ଶେଷରେ ସମୀର ନିଜ ପ୍ରିୟର ଅଭିନେତାଙ୍କୁ ଭେଟି ଖୁସିରେ ଆତ୍ମହରା ହୋଇପଡିଥିଲେ। ସଲମାନ ବି ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଭଲମନ୍ଦ ବୁଝିବା ସହିତ ସମୀରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିଥିଲେ। ଏଥିସହିତ ସମୀର ଯେଉଁ ସାଇକେଲରେ ସଲମାନଙ୍କୁ ଦେଖା କରିବାକୁ ଯାତ୍ରା କରିଥିଲେ ଅଭିନେତା ସେଇ ସାଇକେଲ୍ ଧରି ଫଟୋ ବି ଉଠାଇଥିଲେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
Follow Us