www.indiatoday.in
ମୁମ୍ବାଇ: ସଲ୍ମାନ ଖାନ୍ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ ଟ୍ରେଲର୍ର କୌଣସି ବି ଦୃଶ୍ୟ କଟ୍ ନ କରି ରିଲିଜ୍ ପାଇଁ ଅନୁମତି ଦେଇଛି ସେନ୍ସର୍ ବୋର୍ଡ। ଚଳଚ୍ଚିତ୍ର ନିର୍ମାତା ସେଣ୍ଟ୍ରାଲ୍ ବୋର୍ଡ ଫର ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)କୁ ଫିଲ୍ମର ଟ୍ରେଲର୍ ଦେଖାଇବା ପରେ ଏହାକୁ ବିନା କୌଣସି କଟରେ ଅନୁମତି ମିଳିଛି। ଗତ ମାର୍ଚ ୨୪ ତାରିଖରେ ଟ୍ରେଲର୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ନିର୍ମାତା ଏବେ ଏହାର ଏକ ଗ୍ରାଣ୍ଡ୍ ଟ୍ରେଲର୍ ଲଞ୍ଚ୍ କରିବାର ଯୋଜନା କରୁଛନ୍ତି। ‘ରାଧେ’ ଚଳଚ୍ଚିତ୍ରର ଟ୍ରେଲର୍ଟି ୨.୪୩ ମିନିଟ୍ର ବୋଲି ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ସଲମାନ ଖାନ୍ ତାଙ୍କ ‘ରାଧେ’ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସଲୁ ମିଆଁଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାଧେ’ ଚଳିତବର୍ଷ ଇଦ୍ରେ ମୁକ୍ତିଲାଭ କରିବ ବୋଲି ଏକ ଇନ୍ଷ୍ଟା ପୋଷ୍ଟ୍ କରି ସୂଚନା ଦେଇଛନ୍ତି ଦବଙ୍ଗ ବୟ।
ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ଦିଶା ପଟାନୀ, ରଣଦୀପ ହୁଡ୍ଡା ଆଦି କଳାକାର ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଏକ କୋରିଆନ୍ ଆକ୍ସନ ମୁଭିର ଏହା ରିମେକ୍ ବୋଲି ସୂଚନା ରହିଛି।
ଏହି ତାରିଖ ଗତବର୍ଷଠାରୁ ସ୍ଥିର ହୋଇଥିଲେ ବି କରୋନା ଭାଇରସ୍ ପାଇଁ ତାରିଖ ଘୁଞ୍ଚିବାର ଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସଲମାନଙ୍କୁ ଶେଷ ଥର ପାଇଁ ‘ଦବଙ୍ଗ-୩’ରେ ଦେଖିବାକୁ ମିଳିଥିଲା।
  
 Follow Us