ଆୟୁଷ୍ମାନଙ୍କ ସାଥିରେ ସାମନ୍ଥାଙ୍କ ବଲିଉଡ୍‌ ପ୍ରବେଶ

Advertisment
ଆୟୁଷ୍ମାନଙ୍କ ସାଥିରେ ସାମନ୍ଥାଙ୍କ ବଲିଉଡ୍‌ ପ୍ରବେଶ

‘ଉ ଅଣ୍ଟବା’ ଗୀତଦୃଶ୍ୟରେ ଆକର୍ଷଣୀୟ ନୃତ୍ୟ କରି ଦେଶବ୍ୟାପୀ ଚହଳ ପକାଇଥିବା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ବଲିଉଡ୍‌ ଆସିବା ଖବର ପ୍ରାୟ ଏକ ବର୍ଷ ହେଲା ଆମେ ଶୁଣିଆସୁଥିଲୁ। ବିଶେଷ କରି ସାମନ୍ଥାଙ୍କ ପ୍ରଶଂସକମାନେ ସେଥିପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିରହିଥିଲେ। ଶୀଘ୍ର ସେହି ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗତ ଆଠ-ନଅ ମାସ ହେଲା ଅନେକ ଚଳଚ୍ଚିତ୍ର ନିର୍ମାତା ସାମନ୍ଥାଙ୍କୁ ନିଜନିଜ କାହାଣୀରେ ନାୟିକା ସାଜିବାକୁ ପ୍ରସ୍ତାବ ଦେଇଥିଲେ। ଶେଷରେ ତାଙ୍କୁ ଏକ ଚଳଚ୍ଚିତ୍ରର କାହାଣୀ ପସନ୍ଦ ଆସିଛି। ଶୁଣିବାକୁ ମିଳୁଛି ଯେ ସାମନ୍ଥା ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ଏକ ଫିଲ୍ମ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ବଡ଼ ବଜେଟ୍‌ର ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ଦିନେଶ ବିଜନ। ଏବେ ଏହାର ସୁଟିଂ ତାରିଖ ଆଦି ନିର୍ଦ୍ଧାରିତ ହେଉଛି।

ଯଦିଓ ଏହି ଚଳଚ୍ଚିତ୍ରର ନିର୍ମାତାଙ୍କ ପକ୍ଷରୁ ଅନ୍ୟ କୌଣସି ତଥ୍ୟ ପ୍ରଘଟ କରାଯାଇନାହିଁ, ଏହି ଚଳଚ୍ଚିତ୍ରରେ ବ୍ୟଙ୍ଗ, ରୋମାଞ୍ଚ ଓ ନାଟକୀୟତାର ପ୍ରାଚୁର୍ଯ୍ୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏ ବର୍ଷ ଶେଷ ସୁଦ୍ଧା ଏହାର ସୁଟିଂ ଆରମ୍ଭ ହେବ ଏବଂ ଆସନ୍ତା ବର୍ଷ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ। ଅପରପକ୍ଷେ, ପ୍ରଯୋଜକ-ନିର୍ଦ୍ଦେଶକ କରନ ଜୋହରଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ‘କଫି ଵିଥ୍‌ କରନ’ରେ ବଲିଉଡ୍‌ ତାରକା ଅକ୍ଷୟ କୁମାରଙ୍କ ସହିତ ସାମନ୍ଥା ଏକାଠି ଦେଖାଦେବେ ବୋଲି ଏହାର ଟ୍ରେଲର୍‌ରୁ ସ୍ପଷ୍ଟ ହୋଇସାରିଛି। ତେଣୁ ସାମନ୍ଥା ତାଙ୍କର ଦ୍ବିତୀୟ ବଲିଉଡ୍‌ ଚଳଚ୍ଚିତ୍ର ଖିଲାଡ଼ି କୁମାରଙ୍କ ସହିତ କରିବାର ଅନେକ ସମ୍ଭାବନା ଅଛି। ଉଲ୍ଲେଖଯୋଗ୍ୟ, ସାମନ୍ଥା ‘ଦି ଫ୍ୟାମିଲି ମ୍ୟାନ୍’ ନାମକ ଏକ ହିନ୍ଦୀ ୱେବ୍‌ ଧାରାବାହିକରେ ଅଭିନୟ କରି ସର୍ବଭାରତୀୟ ସ୍ତରରେ ଦର୍ଶକଙ୍କ ମନ ଜିଣିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe