ଚଳଚ୍ଚିତ୍ର ଜଗତ୍କୁ ପ୍ରଥମ ପଦାର୍ପଣରେ କଳ୍ପନାତୀତ ସମ୍ମାନ ଲାଭ କରି ସୁଦ୍ଧା ନିଜ ପ୍ରଶଂସକମାନଙ୍କୁ ବାନ୍ଧି ରଖିପାରିବାରେ ବିଫଳ ହୋଇଛନ୍ତି ଅଭିନେତ୍ରୀ ତଥା ଫେସନ୍ ଡିଜାଇନର ସମିତା ସେଟ୍ଟୀ। ବଡ଼ ଭଉଣୀ ଶିଳ୍ପା ସେଟ୍ଟୀଙ୍କ ପଦାଙ୍କ ଅନୁସରଣ କରି ମାୟା ନଗରୀରେ ପ୍ରବେଶ କରିଥିଲେ ହେଁ ସମିତା ସେଭଳି ଆଖି ଦୃଶିଆ ବାଜି ମାରିପାରିନାହାନ୍ତି। ଦୀର୍ଘ ୨୧ ବର୍ଷର ଅଭିନୟ ଜୀବନ ଭିତରେ ମାତ୍ର ୨୦ଟି ସିନେମାରେ ଅଭିନୟ କରିଥିବା ସମିତା କିନ୍ତୁ ନିଜ ପେସା ଫେସନ୍ ଡିଜାଇନ୍କୁ କାଏମ୍ ରଖିଛନ୍ତି। ସେହିପରି ବିଭିନ୍ନ ରିଅଲିଟି ସୋ’ରେ ପ୍ରତିଯୋଗୀ ସାଜି ରୁପେଲି ପରଦାରେ ସକ୍ରିୟ ରହିବାକୁ ଚେଷ୍ଟା ବି ଚଳାଇଛନ୍ତି। ମାତ୍ର ଦର୍ଶକମାନଙ୍କ ମନରେ ସେ ସେଭଳି ବିଶେଷ ଚାପ ଛାଡ଼ିନଥିବାରୁ ତାଙ୍କର ଆବିର୍ଭାବ କି ଅନ୍ତର୍ଧାନ କୌଣସି ଫରକ ଆଣିପାରୁନି।
Times of Indiaକର୍ଣ୍ଣାଟକର ମାଙ୍ଗାଲୋରରେ ୧୯୭୯ ଫେବ୍ରୁଆରି ୨ରେ ଏକ କନ୍ନଡ଼ ବନ୍ତ ପରିବାରରେ ଜନ୍ମିତ ସମିତା ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ ସହ ଫେସନ୍ ଡିଜାଇନ୍ରେ ଡିପ୍ଳୋମା ମଧ୍ୟ କରିଛନ୍ତି। ତେବେ ସେ ବଲିଉଡ୍ରେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ୨୦୦୦ ମସିହାର ଯଶରାଜ ଫିଲ୍ମ ପ୍ରଯୋଜିତ ‘ମୋହବତେଁ’ ସିନେମା ମାଧ୍ୟମରେ। ଏପରିକି ଏଥିରେ ନିଭାଇଥିବା ଇସିକା ଭୂମିକା ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବରେ ଇଫା-୨୦୦୧ ସମ୍ମାନ ମଧ୍ୟ ମିଳିଥଲା। ଏହା ପରେ ପରେ ‘ମେରେ ୟାର୍ କୀ ସାଦି ହୈ’ ଚଳଚ୍ଚିତ୍ରର ‘ସାରାରା ସାରାରା’ ଗୀତ ଓ ‘ସାଥୀୟା’ ଚିତ୍ରର ‘ଚୋରି ପେ ଚୋରି’ ଗୀତରେ ଦର୍ଶକମାନଙ୍କୁ ମତୁଆଲା କରିବାରେ ସକ୍ଷମ ହୋଇଥିଲେ। ସେହିପରି ‘ଜହର’ ପରି ହିଟ୍ ଫିଲ୍ମରେ ସୁଯୋଗ ପାଇଥିବା ସମିତାଙ୍କ ନାମ ଶ୍ରେଷ୍ଠ ନାୟିକା ବର୍ଗରେ ଷ୍ଟାରଡଷ୍ଟ ସମ୍ମାନ ପାଇଁ ସୁପାରିସ କରାଯାଇଥିଲା। ମାତ୍ର ପରବର୍ତ୍ତୀ ସିନେମା ‘ଫରେବ’ରେ ନିଜ ଭଉଣୀ ଶିଳ୍ପା ସେଟ୍ଟିଙ୍କ ସହ ଅଭିନୟ କରିବା ସହ ‘କ୍ୟାସ’, ‘ବେଵାଫା’ ଓ ‘ହେ ବେବି’ ପରି ଚଳଚ୍ଚିକ୍ର ଗୁଡ଼ିକରେ ତାଙ୍କୁ ସେଭଳି ଦର୍ଶକୀୟ ସ୍ବୀକୃତି ମିଳିନଥିଲା। ତେଣୁ ସେ ୨୦୦୮ରୁ ଦୀର୍ଘ ଦଶ ବର୍ଷ ଯାଏ ଫିଲ୍ମଦୁନିଆଁରୁ ଏକରକମ ଗାଏବ ହୋଇଯାଇଥିଲେ। ଏହି ଅବସରରେ ସେ ଫେସନ୍ ଡିଜାଇନ୍ ଜାରି ରଖି କିଛି ନାଁ ମଧ୍ୟ କମାଇଥିଲେ।
FilmyVoiceତେବେ ତାଙ୍କ ମନକୁ ଆନ୍ଦୋଳିତ କରି ଚାଲିଥିବା କଳାକାରର ମୋହ ତାଙ୍କୁ ପୁଣି ୨୦୧୭ରେ ଫେରାଇ ଆଣିଥିଲା ‘ୟୋ କେ ହୁଆ ବ୍ରୋ’ ପରି ୱେବ୍ ସିନେମାରେ। ତାହା ମଧ୍ୟ ସେଭଳି ଆଦୃତି ଆଣିନଥିବା ବେଳେ ୨୦୨୦ର ‘ଦି ଟେନାଣ୍ଟ୍’ ଓ ‘ବ୍ଳାକ୍ ଵିଡୋଜ୍’ ମଧ୍ୟ ଅନୁରୂପ ବିଫଳତା ଆଣିଥିଲା। ସେହିପରି ପୂର୍ବରୁ ୨୦୦୯ରେ ଟେଲିଭିଜନ୍ ରିଅଲିଟି ସୋ’ ‘ବିଗ୍ ବସ୍’ରୁ ପ୍ରତ୍ୟାଖ୍ୟାନ ପାଇଥିବା ସମିତା କିନ୍ତୁ ୨୦୧୫ରେ ‘ଝଲକ ଦିଖଲା ଯା’ରେ ରୋଚକ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇଥିଲେ। ଏଥି ସହିତ ୨୦୧୯ରେ ‘ଖତରୋଁ କେ ଖିଲାଡ଼ି’ ଓ ଚଳିତ ବର୍ଷ ‘ବିଗ୍ ବସ୍ ଓଟିଟି’ରେ ପ୍ରତିଯୋଗୀ ସାଜି ସମିତା ନିଜର ଅସ୍ଥିତ୍ବ ଜାହିର କରିବା ଲାଗି ପ୍ରୟାସ କରିଛନ୍ତି। ମାତ୍ର ପ୍ରଥମ ସିନେମାରେ ସେ ପରଷିଥିବା ଯାଦୁ ଆଉ ପରେ କେବେ ଦେଖିବାକୁ ମିଳିନି। ତଥାପି ଆଗାମୀ ଦିନରେ କୌଣସି ପ୍ରଭାବୀ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ ବୋଲି ଆଶା ରଖିଛନ୍ତି ସମିତା।
Follow Us